- padmabati kund
ଲାଗୁ ହେଲା ନୂଆ ଜିଏସଟି ଦର :କ'ଣ ଶସ୍ତା, କ'ଣ ମହଙ୍ଗା

ଆଜିଠାରୁ (ଜୁଲାଇ 27) ବଜାରରେ ନୂଆ ଜିଏସଟି ଦର ଲାଗୁ ହୋଇଛି। ଜୁଲାଇ 21 ତାରିଖରେ ଅନୁଷ୍ଠିତ ହୋଇଥିବା ଜିଏସଟି କାଉନସିଲ ବୈଠକରେ କାର୍ଯ୍ୟକାରୀ ଅର୍ଥମନ୍ତ୍ରୀ ପୀୟୂଷ ଗୋୟେଲ କମ ହୋଇଥିବା ଜିଏସଟି ଦର ଘୋଷଣା କରିଥିଲେ।
ନୂଆ ଜିଏସଟି ଦର ଲାଗୁ ହେବା ପରେ ଫ୍ରିଜ, ୱାସିଙ୍ଗମେଶିନ ଠାରୁ ଆରମ୍ଭ କରି ପ୍ରାୟ 88ପ୍ରକାର ଜିନିଷ ଶସ୍ତା ହୋଇଛି। ସବୁଠାରୁ ଅଧିକ 28ପ୍ରତିଶତ ଜିଏସଟି ଲାଗୁଥିବା ଏହି ସବୁ ସାମଗ୍ରୀ ଜିଏସଟି ଦର କମ କରାଯାଇ 18ପ୍ରତିଶତ ରଖାଯାଇଛି।
ତେବେ ଜାଣିରଖନ୍ତୁ କେଉଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କେତେ ପ୍ରତିଶତ ଜିଏସଟି କମ ହୋଇଛି।
28% ରୁ 18% ହୋଇଥିବା ସାମଗ୍ରୀ
ଫ୍ରିଜ, ଫ୍ରିଜର, ୱାଟର କୁଲର, ମିଲ୍କ କୁଲର, ୱାଶିଙ୍ଗ ମେଶିନ, ଭାକ୍ୟୁମ କ୍ଳିନର,ଗ୍ରାଇଣ୍ଡର, ଜୁସର, ୱାଟର ହିଟର, ହେୟାର ଡାୟର, ହ୍ୟାଣ୍ଡ ଡାୟର, 68ସେମି ମଧ୍ୟରେ ଟେଲିଭିଜନ ପରି ସାମଗ୍ରୀରେ ଆଗରୁ 28% ଜିଏସଟି ଲାଗୁଥିଲା ଓ ବର୍ତ୍ତମାନ ଏହା 18% ହୋଇଛି।
0% ହୋଇଥିବା ସାମଗ୍ରୀ
ରାକ୍ଷୀ, ଶାଳ ପତ୍ରରୁ ତିଆରି ଦ୍ରବ୍ୟ, ଫୁଲ ଝାଡୁ, ଖଲିପତ୍ର ଦନା (ପାତ୍ର) ଇତ୍ୟାଦିରେ ପୂର୍ବରୁ ଲାଗୁହେଇଥିବା ଜିଏସଟି ଉଚ୍ଛେଦ କରାଯାଇଛି। ସେହିପରି ମହିଳା ବର୍ଗଙ୍କୁ ଦୃଷ୍ଟିରେ ରଖି ସାନିଟାରି ନାପକିନକୁ ମଧ୍ୟ ସଂପୂର୍ଣ୍ଣ ଜିଏସଟି ମୁକ୍ତ କରାଯାଇଛି।
12% ରୁ 5% ହୋଇଥିବା ସାମଗ୍ରୀ
ହସ୍ତଶିଳ୍ପ ଜାତୀୟ ଦ୍ରବ୍ୟ ଓ ଟ.1000 ମଧ୍ୟରେ ମିଳୁଥିବା ଟୋପିରେ ଜିଏସଟି ହାରକୁ 12% ରୁ 5%କୁ କମ କରାଯାଇଛି।
18% ରୁ 12% ହୋଇଥିବା ସାମଗ୍ରୀ
ବାଉଁଶରୁ ନିର୍ମିତ ଦ୍ରବ୍ୟ, ପିତ୍ତଳ କିରୋସିନ ପ୍ରେସର ଷ୍ଟୋଭ, ରଙ୍ଗ କାମରେ ବ୍ୟବହୃତ ହେଉଥିବା ହାତଚାଳିତ ରବର ରୋଲରରେ ଜିଏସଟି ହାର 12%କୁ କମ କରାଯାଇଛି।
18% ରୁ 5% ହୋଇଥିବା ସାମଗ୍ରୀ
ଜୋତାରେ ଜିଏସଟି ହାର 18% ରୁ 5%କୁ କମ କରାଯାଇଛି। ତେବେ ଜୋତା ଦାମ ଟ.1000ରୁ ଅଧିକ ହେଇଥିଲେ 18% ଜିଏସଟି ରହିବ।
18%ରୁ 12% ହୋଇଥିବା ସାମଗ୍ରୀ
ହ୍ୟାଣ୍ଡବ୍ୟାଗ, କାଠର ଫଟୋ ଫ୍ରେମ,ପଥର ମୂର୍ତ୍ତୀ, ଆଳଙ୍କାରିକ ଦର୍ପଣ, କାଚର ମୂର୍ତ୍ତୀ, ହାତ ତିଆରି ଲ୍ୟାମ୍ପ ଇତ୍ୟାଦିରେ ଜିଏସଟି 18%ରୁ 12%କୁ କମ ହୋଇଛି।
12%ରୁ 5% ହୋଇଥିବା ସାମଗ୍ରୀ
ହାତ ତିଆରି ଗାଲିଚା, ହାତ ତିଆରି ଜରି ଫିତା ଓ ତୋରଣରେ ଜିଏସଟି ହାର 12% ରୁ 5%କୁ କମ ହୋଇଛି।