• padmabati kund

ବ୍ଲକଗ୍ରାଣ୍ଟ ଶିକ୍ଷକ ଅବସରପରେ ଛଅ ବର୍ଷ ପଢାଇପାରିବେ


ବ୍ଲକଗ୍ରାଣ୍ଟ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକମାନେ ଅବସରପରେ ମଧ୍ୟ ଛଅ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିପାରିବେ। କମ ଖର୍ଚ୍ଚରେ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟସରକାରଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ବିଜ୍ଞପ୍ତିନାମା ପ୍ରକାଶ ପାଇଛି।

ପୂର୍ବରୁ କେବଳ ସଂପୂର୍ଣ୍ଣ ସରକାରୀ ବିଦ୍ୟାଳୟର ଶିକ୍ଷକମାନେ, ଅତିଥି ଶିକ୍ଷକ (ଗେଷ୍ଟ ଫାକଲ୍ଟି) ଭାବରେ ଶିକ୍ଷାଦାନ କରିବାର ସୁବିଧା ପାଉଥିଲେ ଓ ଅତିଥି ଶିକ୍ଷକ ଭାବେ ସେମାନଙ୍କୁ ମାସିକ ଟ.10,000 ବେତନ ଦିଆଯାଉଥିଲା। କିନ୍ତୁ ଏବେ ଅତିଥି ଶିକ୍ଷକଙ୍କୁ ମାସିକ ଟ.12,000 ଲେଖାଏଁ ମାସିକ ପରିଶ୍ରମିକ ଦିଆଯିବ।

ବର୍ତ୍ତମାନ ସମୟରେ ରାଜ୍ୟରେ ଅନେକ ବିଦ୍ୟାଳୟରେ ପ୍ରାୟ 10ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି। ଏହି ପଦ ଗୁଡିକୁ ପୂରଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାର୍ଥୀମାନଙ୍କର ମାର୍କ ଦେଖି ନିଯୁକ୍ତି କରିବାକୁ ଚାହୁଁନାହିଁ। ଏଥିଲାଗି ଏକ ସ୍ଵତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ଅବଲମ୍ବନ କରାଯିବ। ଏହି ସ୍ଵତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ଅଧିକ ସମୟସାପେକ୍ଷ ହୋଇଥିବାରୁ ବିଭାଗ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଆଗରୁ ଅତିଥି ଶିକ୍ଷକମାନେ ଦୁଇବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିପାରୁଥିଲେ, କିନ୍ତୁ ଏବେ ଏହି ସମୟକୁ ଛଅବର୍ଷକୁ ବୃଦ୍ଧି କରାଯାଇଛି। ଶିକ୍ଷକମାନେ 60ବର୍ଷରେ ଅବସର ଗ୍ରହଣ କରିବାପରେ ଯେଉଁମାନେ ଚାହିଁବେ ସେମାନଙ୍କୁ ଆଉ ପାଞ୍ଚବର୍ଷ ଅଧିକ ଅତିଥି ଶିକ୍ଷକ ଭାବେ ଶିକ୍ଷାଦାନ କରିବାକୁ ସୁବିଧା ମିଳିବ। ଏହାପରେ ଯଦି ବିଭାଗ ଶିକ୍ଷକଙ୍କ ଶିକ୍ଷାଦାନରେ ସନ୍ତୁଷ୍ଟ ହୁଏ ଏବଂ ଶିକ୍ଷକଙ୍କର ଦକ୍ଷତା ଓ ସାମର୍ଥ୍ୟ ଥାଏ ତେବେ ଅଧିକ ଏକବର୍ଷ ପର୍ଯ୍ୟନ୍ତ ଅଧିକ ଶିକ୍ଷାଦାନ କରିବାକୁ ଅନୁମତି ମିଳିବ।

ରାଜ୍ୟର କେଉଁ ଜିଲାରେ କେତେ ଶିକ୍ଷକ ଅଭାବ ଅଛନ୍ତି ସେନେଇ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ରିପୋର୍ଟ ଦେବାପରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷକଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ପ୍ରତି ମାସରେ ଦରମା ଦେବା ଭଳି ସମସ୍ତ କାର୍ଯ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ବୁଝିବେ।

ତେବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦେବା ବେଳେ ଶିକ୍ଷକମାନଙ୍କର ବ୍ୟକ୍ତିଗତ ଚରିତ୍ରକୁ ମଧ୍ୟ ଧ୍ୟାନ ଦିଆଯିବ। ଯଦି କୌଣସି ଶିକ୍ଷକ କିଛି କେସ କିମ୍ବା ବିବାଦୀୟ ମାମଲାରେ ଜଡିତ ଥିବେ ସେମାନଙ୍କୁ ଶିକ୍ଷକତା କରିବାର ସୁଯୋଗ ଦିଆଯିବ ନାହିଁ ବୋଲି ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି।

#teacher

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon