• ବେତାର ବ୍ୟୁରୋ

ନିଜ ସ୍ତ୍ରୀ ଛଡା ଅନ୍ୟ ସହ ସମ୍ପର୍କ ରଖିଲେ ପୁରୁଷ ଦୋଷୀ, ସ୍ତ୍ରୀ ନୁହେଁ : ସୁପ୍ରିମ କୋର୍ଟ


ବ୍ୟଭିଚାର ଆଇନକୁ ଉଚ୍ଛେଦ କରିବା ସମ୍ପର୍କରେ ଆଗତ ହେଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଯେ , ଭାରତୀୟ ପିଙ୍ଗଳ କୋଡର 497 ଧାରା ମୁତାବକ ବିବାହିତ ପୁରୁଷ ଅନ୍ୟ ବିବାହିତ ମହିଳାଙ୍କ ସହିତ ସମ୍ପର୍କ ରଖିଲେ  ପୁରୁଷ ଦୋଷୀ ହେବେ, କିନ୍ତୁ ଉକ୍ତ ମହିଳାଙ୍କୁ ଦୋଷୀ ଘୋଷଣା କରାଯାଇପାରିବା ନାହିଁ । 

ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଶୁଣାଣି ଚାଲିଥିବା ବେଳେ ଅନେକ ଓକିଲ ମାନେ ସେଠାରୁ ସିଧାସଳଖ ଟ୍ଵିଟ କରିଥିଲେ । ଜନୈକା ପ୍ରତିଭା ମିଶ୍ରଙ୍କ ଟ୍ଵିଟ ଅନୁସାରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ଶୁଣାଣି ସମୟରେ କହିଥିଲେ ,” ବିବାହ ଦୁଇ ଜଣଙ୍କୁ ନେଇ ହେଇଥାଏ , ଏହିପରି (ବ୍ୟଭିଚାର) କାର୍ଯ୍ୟକଳାପ ପାଇଁ ଉଭୟ ଦାୟୀ । ହେଲେ ବ୍ୟଭିଚାର କ୍ଷେତ୍ରରେ ଜଣେ (ପୁରୁଷ) ଦୋଷୀ ହୁଏ , ଅନ୍ୟ ଜଣକ (ସ୍ତ୍ରୀ) ହୁଏନାହିଁ, ଏହା ପଛରେ ଏକ ଯୁକ୍ତିଯୁକ୍ତ  କାରଣ ଥିବା ମନେ ହୁଏ ନାହିଁ।"

ତେବେ ପ୍ରଧାନ ବିଚାରପତି ଏହି ଆଇନକୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ।

ଗୁରୁବାର ସୁପ୍ରିମକୋର୍ଟରେ ଏହି କେଶପାଇଁ ଲଢ଼ୁଥିବା ଜଣେ ଆଡଭୋକେଟ ଏହି ଆଇନ ପଛରେ ଥିବା କାରଣ ବର୍ଣ୍ଣନା କରି କହିଥିଲେ ବ୍ୟଭିଚାର ମାମଲାରେ ପର ପୁରୁଷ ସହିତ ସମ୍ପର୍କ ରଖିଥିବା ସ୍ତ୍ରୀ ଯେପରି ନିଜ ସ୍ୱାମୀ ଦ୍ୱାରା ନିର୍ଯ୍ୟାତିତ ନ ହୁଏ, ସେହି କାରଣ ପାଇଁ ବିବାହିତ ମହିଳାମାନଙ୍କୁ ଏହି କ୍ଷେତ୍ରରେ ଦୋଷମୁକ୍ତ ଭାବେ ଧରିନେବାପାଇଁ ସେତେବେଳର ଆଇନ ବିଶେଷଜ୍ଞମାନେ ଏହି ବ୍ୟବସ୍ଥା କରିଥିଲେ। 

କିଛି ଆଇନ ବିଶାରଦମାନଙ୍କ ଅନୁସାରେ ଏହି 150 ବର୍ଷ ପୁରୁଣା ନିୟମ ସେତେବେଳର ଭାରତୀୟ ସମାଜକୁ ଆଖିଆଗରେ ରଖି ପ୍ରସ୍ତୁତ ହେଇଥିଲା, ଯେଉଁ ସମାଜ ଏବେ ବି ଅଳ୍ପ ବହୁତେ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ତେବେ ଅନ୍ୟମାନେ ଏହି ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାପାଇଁ ଆବେଦନ କରିଛନ୍ତି। 

କେନ୍ଦ୍ର ସରକାର କିନ୍ତୁ ଏହି ଆଇନ ସପକ୍ଷରେ ଯୁକ୍ତି ବାଢିଛନ୍ତି ଓ କହିଛନ୍ତି ଯେ ଏହି ନିୟମ ବିବାହ ଭଳି ଅନୁଷ୍ଠାନର ପବିତ୍ରତା ରକ୍ଷା କରିବା ପାଇଁ ଉପଯୁକ୍ତ। 

ଭାରତୀୟ ପିଙ୍ଗଳ କୋଡରେ 497 ଧାରା ଅନୁଯାୟୀ କୌଣସି ବିବାହିତ ପୁରୁଷ ଯଦି ନିଜ ଜାଣତରେ ଅନ୍ୟ କାହାର ପତ୍ନୀ ସହିତ ସମ୍ବନ୍ଧ ରଖେ , ତେବେ ଉକ୍ତ ବିବାହିତ ପୁରୁଷକୁ ବ୍ୟଭିଚାର ମାମଲାରେ ଦୋଷୀ ସାବ୍ୟସ୍ତ କରିହେବ । ଏହି ମାମଲାରେ ଦୋଷୀଙ୍କୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲ ଓ ଅର୍ଥ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ତେବେ ଏଥିପାଇଁ ମୋକଦ୍ଦମା କେବଳ ଉକ୍ତ ଅନ୍ୟ ମହିଳାଙ୍କ ସ୍ଵାମୀ କରିପାରିବେ, ଏପରିକି ବିବାହିତ ପୁରୁଷଙ୍କ ପତ୍ନୀ ନୁହେଁ ।

ଏହି ଆଇନ ସମ୍ବିଧାନର ଧାରା 14 (ଆଇନ ଆଖିରେ ସମସ୍ତେ ସମାନ) କୁ ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ଦର୍ଶାଇ ଏହି ନିୟମକୁ ଉଚ୍ଛେଦ କରିବାକୁ ଆବେଦନା ହେଇଥିଲା ।

ତେବେ ଏ ନେଇ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ  ଖଣ୍ଡପୀଠ କୌଣସି ନିଷ୍ପତ୍ତିରେ ପହଂଚି ପାରିନାହାନ୍ତି। ଏହି ଆଇନ ବ୍ୟବସ୍ଥା ସମ୍ବିଧାନର ସମାନତା ଧାରାକୁ ଉଲ୍ଲଂଘନ କରୁଛି କି ନାହିଁ, ସେ ସମ୍ପର୍କରେ ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ଯ୍ୟ କରାଯାଇଛି।

#currentnews #supremecourt #adultery

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon