- ବେତାର ବ୍ୟୁରୋ
ଘର ଭିତରେ ଗଛ ଲଗାଉଛନ୍ତି ? ଜାଣନ୍ତୁ ଏଥିପାଇଁ ଥିବା ବାସ୍ତୁ ନିୟମ

ଘର ମଧ୍ୟରେ ଛୋଟ ଛୋଟ ଗଛ ଲଗାଇବା ଦ୍ଵାରା ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଏହା ସହିତ ଘର ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଓ ଶକ୍ତି ଜାଗ୍ରତ ହୋଇଥାଏ। ବାସ୍ତୁ ନିୟମ ଅନୁସାରେ ଘର ମଧ୍ୟରେ କେତେକ ଗଛ ଲଗାଇଲେ ଶୁଭ ଫଳ ମିଳିଥାଏ ଓ କେତେକ ଗଛ ଏପରି ଅଛି ଯାହାକୁ ଘର ମଧ୍ୟରେ ଲଗାଇବା ଦ୍ଵାରା ଅଶୁଭ ଫଳ ମିଳିଥାଏ।
ତେଣୁ ଘର ଭିତରେ ଗଛ ଲଗାଇବା ସମୟରେ ବାସ୍ତୁ ନିୟମ ଅନୁସାରେ ଗଛ ଲଗାଇବା ଉଚିତ ଯାହାଦ୍ୱାରା ଆପଣଙ୍କ ଘର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ ଓ ଶୁଭଫଳ ପ୍ରାପ୍ତି ହେବ। ତେବେ ଜାଣିରଖନ୍ତୁ ଗଛ ଲଗାଇବା ସମୟରେ କେଉଁ କେଉଁ ବାସ୍ତୁ ନିୟମ ଉପରେ ଧ୍ୟାନ ଦେବେ।
୧.ଘର ମଧ୍ୟରେ ଗଛ ଲଗାଇବା ସମୟରେ ଗଛକୁ ସବୁବେଳେ ଘରର ଦକ୍ଷିଣ ଦିଗ,ପଶ୍ଚିମ ଦିଗ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଲଗାନ୍ତୁ।
୨.ଘରର ମୁଖ୍ୟ ଦ୍ଵାରାରେ ଗଛ ଲଗାନ୍ତୁ ନାହିଁ। ବାସ୍ତୁ ନିୟମ ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ଗଛ ଲଗାଇବା ଦ୍ଵାରା ଏହାର ନକରାତ୍ମକ ପ୍ରଭାବ ସଂପୂର୍ଣ୍ଣ ଘର ଓ ସଦସ୍ୟଙ୍କ ଉପରେ ପଡିଥାଏ।
୩. ଘର ମଧ୍ୟରେ ଗଛ ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଯେ ଅନ୍ୟ ସମସ୍ତ ଗଛ ସହିତ ତୁଳସୀ ଗଛ ମଧ୍ୟ ଘରେ ଲଗାଇବା ଜରୁରୀ।ଏହି ତୁଳସୀ ଗଛ ଘରର ଉତ୍ତର ଦିଗ, ପୂର୍ବ ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଆବଶ୍ୟକ।ଏହା ସହିତ ବୋନସାଇ ଓ ମନି ପ୍ଳାଣ୍ଟ ଲଗାଇବା ଶୁଭ ହୋଇଥାଏ।
୪.କଣ୍ଟାଜାତୀୟ ଗଛକୁ ଘର ମଧ୍ୟରେ ଲଗାନ୍ତୁ ନାହିଁ। କେବଳ ଗୋଲାପ ଗଛ ଘର ମଧ୍ୟରେ ଲଗାଇପାରିବେ କିନ୍ତୁ ଅନ୍ୟାନ୍ୟ କଣ୍ଟାଜାତୀୟ ଗଛ ଯଥା କାକ୍ଟସ ଘର ମଧ୍ୟରେ ଲଗାଇବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
୫. ଘର ମଧ୍ୟରେ ଆପଣ ଯେଉଁ ଗଛ ଲଗାଉଛନ୍ତି ଏହି ଗଛର ପରିମାଣ ସର୍ବଦା ଯୁଗ୍ମ ହେବା ଆବଶ୍ୟକ। ବାସ୍ତୁ ନିୟମ ଅନୁସାରେ ଅଯୁଗ୍ମ ସଂଖ୍ୟାର ଗଛ ଘର ମଧ୍ୟରେ ରହିବା ଦ୍ଵାରା ଅଶୁଭ ଫଳ ମିଳିଥାଏ।
(ବି.ଦ୍ର : ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ ।)