• padmabati kund

ନୂଆ ଯୋଜନା : ଦୁର୍ଘଟଣା ରୋକିବାକୁ ବଦଳିବ ରାସ୍ତା ହମ୍ପ୍ସ ଆକାର


ରାସ୍ତାରେ ଗାଡି ଚଳାଇବା ସମୟରେ ସମସ୍ତେ ସ୍ପିଡ ବ୍ରେକର ବା ହମ୍ପ୍ସ ନିଶ୍ଚିତ ଭାବରେ ସମ୍ମୁଖୀନ କରିଥିବେ। ଆଶ୍ଚର୍ଯ୍ୟର କଥା ହେଉଛି ରାସ୍ତାରେ ଦୁର୍ଘଟଣାକୁ କମାଇବା ପାଇଁ ତିଆରି ହୋଇଥିବା ଏହି ହମ୍ପ୍ସ ଯୋଗୁଁ ବର୍ତ୍ତମାନ ଅଧିକାଂଶ ଦୁର୍ଘଟଣା ହେଉଛି।

ଭାରତରେ ପ୍ରତିଦିନ ହାରାହାରି 26ଟି ସଡକ ଦୁର୍ଘଟଣା ଏହି ହମ୍ପ୍ସ ପାଇଁ ହେଉଛି ଯେଉଥିରୁ ପ୍ରତିଦିନ 10ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ତଥା ଅବୈଧ ଆକାରରେ ଏହି ହମ୍ପ୍ସ ସବୁ ନିର୍ମିତ ହେଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ଏକ ନୂତନ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଓ ଦେଶରେ ବର୍ତ୍ତମାନ ଥିବା ହମ୍ପ୍ସ ଗୁଡିକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହି ରିପୋର୍ଟ ଅନୁସାରେ ଏହି ହମ୍ପ୍ସ ଗୁଡିକର ଉଚ୍ଚତା 10ସେ.ମି ଓ ଲମ୍ବ 3.5ମିଟର ହେବ। ଆଗାମୀ ଦିନରେ ଦେଶରେ ସମସ୍ତ ରାସ୍ତାରେ ଏହି ଆକାରର ହମ୍ପ୍ସ ନିର୍ମାଣ କରାଯିବ। ଏହା ସହିତ ଗାଡି ଚାଳକଙ୍କୁ ସାବଧାନ କରିବା ପାଇଁ ପ୍ରତ୍ୟେକ ହମ୍ପ୍ସର 40ମିଟର ପୂର୍ବରୁ ଏକ ସୂଚନା ଫଳକ ଲଗାଯିବ। ରାତିରେ ଏହି ହମ୍ପ୍ସ ଗୁଡିକ ସହଜରେ ଦେଖାଯିବା ଲାଗି ଥର୍ମୋପ୍ଲାଷ୍ଟିକ ରଙ୍ଗରେ ହମ୍ପ୍ସ ଗୁଡିକ ଉପରେ ଗାର ଟଣାଯିବ।

ଭାରତରେ ପ୍ରତିବର୍ଷ ଏହି ହମ୍ପ୍ସ ପାଇଁ 10ହଜାରରୁ ଅଧିକ ଦୁର୍ଘଟଣା ଘଟିଥାଏ। 2015 ମସିହାରେ ହମ୍ପ୍ସ କାରଣରୁ 3,409 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ 2016 ରେ ଏହାର ସଂଖ୍ୟା 3,396 ରହିଥିଲା।

ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ ଯେଉଁ ଜାଗାରେ ହମ୍ପ୍ସର ଆବଶ୍ୟକତା ନଥାଏ ସେହି ସ୍ଥାନରେ ହମ୍ପ୍ସ ତିଆରି ହୋଇଥାଏ। ଯଦି କୌଣସି ଜାଗାରେ ଦୁର୍ଘଟଣା ଘଟିଥାଏ ତେବେ ଲୋକମାନେ ସେହି ଜାଗାରେ ହମ୍ପ୍ସ ନିର୍ମାଣ ପାଇଁ ଦାବି କରିଥାନ୍ତି। ଫଳରେ ଖରାପ ଡିଜାଇନ ଓ ନିମ୍ନ ସ୍ତରର ହମ୍ପ୍ସ ତିଆରି ହୋଇଥାଏ ଯାହାଦ୍ୱାରା ଦୁର୍ଘଟଣା ହେବାର ଅଧିକ ଆଶଙ୍କା ବଢି ଯାଇଥାଏ।

ଦେଶର ରାଜଧାନୀ ଦିଲ୍ଲୀରେ ନିୟମ ଅନୁସାରେ ନିର୍ମାଣ ହୋଇଥିବା ହମ୍ପ୍ସ ସଂଖ୍ୟା ମାତ୍ର 93। କିନ୍ତୁ ଏହା ବ୍ୟତୀତ ଅସଂଖ୍ୟ ହମ୍ପ୍ସ ଦେଖିବାକୁ ମିଳିଥାଏ। ଏଥିରୁ ଅନୁମାନ କରିହେବ ଯେ ସମଗ୍ର ଦେଶରେ କେତେ ପରିମାଣର ଅବୈଧ ହମ୍ପ୍ସ ନିର୍ମାଣ ହୋଇଛି।

#currentnews #speedbreaker #road

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon