• padmabati kund

ମନମୋହନ ସିଂଙ୍କ ଉପରେ ଫିଲ୍ମ କରୁଥିବା ନିର୍ଦ୍ଦେଶକ ଜିଏସଟି ଠକେଇ ମାମଲାରେ ଗିରଫ


ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ “ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର”ର ନିର୍ଦ୍ଦେଶକ ବିଜୟ ରତ୍ନାକର ଗୁଟ୍ଟେଙ୍କୁ ଗିରଫ କରାଯାଇଛି। ବିଜୟ ଗୁଟ୍ଟେଙ୍କୁ ଜିଏସଟିରେ ପ୍ରାୟ 34କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା କାରଣରୁ ଜିଏସଟି ଇଣ୍ଟେଲିଜେନ୍ସ ଦ୍ଵାରା ମୁମ୍ବାଇରୁ ଗିରଫ କରାଯାଇଛି।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ, ବିଜୟ ଗୁଟ୍ଟେଙ୍କ ବିରୋଧରେ କେନ୍ଦ୍ରୀୟ ବସ୍ତୁ ଏବଂ ସେବା କର ର ସେକ୍ସନ 132(1)(c) ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ବିଜୟ ଗୁଟ୍ଟେଙ୍କ କମ୍ପାନୀ ବି.ଆର.ଜି ଡିଜିଟାଲ କର୍ପୋରେସନ ପ୍ରାଇଭେଟ ଲିମିଟେଡ ନକଲି ବିଲ୍ ମାଧ୍ୟମରେ 34କୋଟି ଟଙ୍କାର ଧୋକା କରିଛି। ଏହି କମ୍ପାନୀ ଆନିମେସନ ଓ ଜନଶକ୍ତି ପାଇଁ ଅନ୍ୟ ଏକ କମ୍ପାନୀ (ହାରିଜନ ଆଉଟସୋର୍ସ ପ୍ରା. ଲି.)ଠାରୁ 34କୋଟି ଟଙ୍କାର ନକଲି ବିଲ ନେଇଥିଲେ। ଏହି ଦ୍ଵିତୀୟ କମ୍ପାନୀ ଉପରେ ପୂର୍ବରୁ 170କୋଟି ଟଙ୍କାର ଜିଏସଟି ହେରଫେର ଅଭିଯୋଗ ରହିଛି।

ରିପୋର୍ଟ ଅନୁସାରେ ବିଜୟ ଗୁଟ୍ଟେଙ୍କୁ ପଚରାଉଚୁରା କରୁଥିବା ଅଧିକାରୀଙ୍କୁ ସେ ସହଯୋଗ କରୁନାହାନ୍ତି ଓ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। 14 ଅଗଷ୍ଟ ପର୍ଯ୍ୟନ୍ତ ବିଜୟଙ୍କୁ ଆର୍ଥର ରୋଡ ଜେଲ ପଠାଇ ଦିଆଯାଇଛି।

“ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର” ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର 21 ତାରିଖରେ ରିଲିଜ ହେବ ଯେଉଁଥିରେ ମୁଖ୍ୟ ଭୂମିକାରେ ଅନୁପମ ଖେରଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ତାଙ୍କ ପତ୍ନୀ ଗୁରଶରଣ କୌର,ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମ, ଶିବରାଜ ପାଟିଲ, ପ୍ରଣବ ମୁଖାର୍ଜୀ,ପି.ବି. ନରସିଂହ ରାଓଙ୍କପରି ବହୁ ରାଜନୈତିକ ଚରିତ୍ରଙ୍କୁ ଦେଖିବାକୁ ମିଳିବ।

ଏହାର କାହାଣୀ ଡ. ମନମୋହନ ସିଂ ଙ୍କର ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁ ଲେଖିଥିବା “ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର” ପୁଷ୍ଟକ ଉପରେ ଆଧାରିତ। ଏଥିରେ ଅନୁପମ ଖେରଙ୍କ ବ୍ୟତୀତ ଦିବ୍ୟା ସେଠ, ରାମ ଅବତାର ଭାରଦ୍ଵାଜ, ଆହାନା କୁମାର ଓ ଅର୍ଜୁନ ମାଥୁର ଅଭିନୟ କରିଛନ୍ତି।

ଏହାର ପ୍ରଯୋଜନା ଦେଇଛନ୍ତି ହଂସଲ ମେହେତା। ପ୍ରଥମେ ଏହାର ସ୍କ୍ରିପ୍ଟ ଲେଖା ପାଇଁ ବିବାଦ ଉପୁଜି ଥିଲା ଓ ବର୍ତ୍ତମାନ ଏହାର ନିର୍ଦ୍ଦେଶକଙ୍କ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

#entertainment #crime #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon