- padmabati kund
ଇମ୍ରାନ ହାସମୀ ହେବେ ଶିଶୁ ଅପହରଣ କେଶ ଡିଟେକ୍ଟିଭ

ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କୁ ତାଙ୍କର ଆଗାମୀ ଫିଲ୍ମରେ ରିଅଲ ଲାଇଫ ଡିଟେକ୍ଟିଭ ସୁର୍ଯ୍ୟକାନ୍ତ ଭାଣ୍ଡେ ପାଟିଲଙ୍କର ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଏହି ଫିଲ୍ମର ନାଁ ରହିଛି ‘ଫାଦର୍ସ ଡେ’। ଗୁଜୁରାଟୀ ଲେଖକ ପ୍ରଫୁଲ ଶାହଙ୍କ ବହି ‘ଦୃଶ୍ୟମ ଅଦୃଶ୍ୟମ’ର କାହାଣୀ ଉପରେ ଏହି ଚଳଚ୍ଚିତ୍ରଟି ଆଧାରିତ।
ଏନେଇ ଇମ୍ରାନ ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ କରି ଲେଖିଛନ୍ତି ଯେ, “120ଜଣ ଶିଶୁଙ୍କର ଅପହରଣ କେସକୁ ମାଗଣାରେ ସମାଧାନ କରିଥିବା ଡିଟେକ୍ଟିଭ ସୂର୍ଯ୍ୟକାନ୍ତଙ୍କ ଉପରେ ନିର୍ମିତ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛି।“
ଭାରତର ଜଣେ ପ୍ରମୁଖ ଡିଟେକ୍ଟିଭ ଭାବେ ପରିଚିତ ସୁର୍ଯ୍ୟକାନ୍ତ ଭାଣ୍ଡେ ପାଟିଲ, ଯେ କି 120ରୁ ଉର୍ଦ୍ଧ୍ଵ ଶିଶୁଙ୍କ ଅପହରଣ କେସକୁ ମାଗଣାରେ ସମାଧାନ କରିଥିଲେ। ଏହି ଫିଲ୍ମ ମାଧ୍ୟମରେ ଏକ ବାପା ଏବଂ ପୁଅର ମଧ୍ୟରେ ଥିବା ଆବେଗଭରା ସମ୍ପର୍କକୁ ଚିତ୍ରିତ କରାଯିବ।
20 ବର୍ଷ ତଳ ସତ କାହାଣୀ
ସିଭିଲ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ଭାଣ୍ଡେ ପାଟିଲ ପୁଣେ ଏବଂ ମୁମ୍ବାଇର ପୁଲିସଙ୍କ ସହ ମିଶି ହଜି ଯାଇଥିବା ଶିଶୁଙ୍କ ସନ୍ଧାନରେ ସାହାଯ୍ୟ କରିଥିଲେ । ସେ ଏଥିପାଇଁ ଏକ ୱେବସାଇଟ ମଧ୍ୟ ତିଆରି କରିଥିଲେ । ୧୯୯୯ରେ ନିଜର ଏକ ଏଜେନ୍ସି ଗଢିଥିଲେ । ବର୍ତ୍ତମାନ ସୂର୍ଯ୍ୟକାନ୍ତଙ୍କ ବୟସ ୫୫ବର୍ଷ ଏବଂ ଇମରାନ ସୂର୍ଯ୍ୟକାନ୍ତଙ୍କ ୩୫ବର୍ଷ ବୟସ ସମୟର ଅଭିନୟ କରିବେ।
ଇମ୍ରାନ ହାସମୀ ନିଜ ଚରିତ୍ର ବିଷୟରେ ମୁମ୍ବାଇ ମିରରକୁ କହିଛନ୍ତି ଯେ, “ଡିଟେକ୍ଟିଭ ପାଟିଲଙ୍କ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ସୂର୍ଯ୍ୟକାନ୍ତ ଭାଣ୍ଡେ ପାଟିଲଙ୍କର କାହାଣୀ ହୃଦୟକୁ ସ୍ପର୍ଶ କଲାପରି ଓ ପ୍ରେରଣାଦାୟକ ଅଟେ। ତାଙ୍କ ପରି ମଣିଷ ଖୋଜିଲେ ବହୁତ କମ ମିଳିବେ।“
ଏହି ‘ଫାଦର୍ସ ଡେ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ବାଗଚୀ। ଫିଲ୍ମର କାହାଣୀ ବିଷୟରେ ସେ କହିଛନ୍ତି ଯେ, “ଏମିତି ବହୁତ ଫିଲ୍ମ ଅଛି ଯାହା କେବଳ ଦର୍ଶକ ମାନଙ୍କର ମନୋରଞ୍ଜନ କରାଏ, ଅନ୍ୟକେତେକ ଫିଲ୍ମ ଦର୍ଶକଙ୍କର ଚିନ୍ତାଧାରାକୁ ବଦଳାଇ ଦିଏ ଓ ଅନ୍ୟ କେତେକ ଫିଲ୍ମ ଜୀବନ ବଞ୍ଚିବାର ଶୈଳୀକୁ ବଦଳେଇ ଦେଇଥାଏ। କିନ୍ତୁ ଏହି ପ୍ରେରଣଦାୟକ ଫିଲ୍ମଟି ଏହି ତିନୋଟି ଯାକ କାମ କରିବ।“ ଏହି ଫିଲ୍ମର ପ୍ରଯୋଜନା ଇମ୍ରାନ ହାସମୀ , ପ୍ରିୟା ଗୁପ୍ତା ଏବଂ କଳ୍ପନା ଉଡୟାର ମିଶି କରିଛନ୍ତି ।