• ବେତାର ବ୍ୟୁରୋ

ବୁଧବାର ଯାଏଁ ଭୀଷଣ ବର୍ଷା : କେଉଁ ଜିଲ୍ଲାରେ ଜାଣନ୍ତୁ


ଓଡିଶାର ଉପକୂଳ ଅଞ୍ଚଳରେ ଓ ବଙ୍ଗୋପ ସାଗରରେ ଦୁଇଟି ଚକ୍ରବାତୀ ତୋଫାନ ସୃଷ୍ଟି ହେଇଥିବାରୁ ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଓଡିଶାରେ ଭୀଷଣ ବର୍ଷା ହେବାର ଅନୁମାନ କରାଯାଉଛି, ଯାହା ଫଳରେ କିଛି ସହର ଓ ଜନବସତିମାନଙ୍କରେ ବନ୍ୟା ହେବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ ।

ସ୍କାଏମେଟ ପାଣିପାଗ ଗବେଷଣା ପ୍ରତିଷ୍ଠାନ ତରଫରୁ କୁହାଯାଇଛି ଯେ ପଶ୍ଚିମ ବଙ୍ଗ ତଥା ବାଙ୍ଗଲାଦେଶ ଦକ୍ଷିଣରେ ଏକ ଚକ୍ରବାତୀ (ଘୂର୍ଣ୍ଣନଶୀଳ ବାୟୁ) ସିଷ୍ଟମ ଦେଖିବାକୁ ମିଳିଥିବା ବେଳେ ସେହିପରି ଏକ ସିଷ୍ଟମ ଓଡିଶାର ଦକ୍ଷିଣ ଉପକୁଳଠାରେ ବିକଶିତ ହେଉଥିବା ଉପଗ୍ରହ ଚିତ୍ରରୁ ଜଣାପଡିଛି।

ଏହା ବ୍ୟତୀତ ଏହି ସମୟରେ ମୌସୁମୀର ପ୍ରଭାବ ଝାଡଖଣ୍ଡର ରାଞ୍ଚି ଠାରୁ ନେଇ କଲିକତା ଯାଏଁ ମଧ୍ୟ ବ୍ୟାପ୍ତ ଅଛି । ଏହି ପାଣିପାଗ ଚିତ୍ର ବିଷୟରେ ବିଶ୍ଳେଷଣ କରି ସ୍କାଏ ମେଟ ତରଫରୁ କୁହାଯାଇଛି, “ଏହିସବୁ ସିଷ୍ଟମ (ମୌସୁମୀ, ଚକ୍ରବାତୀ) ପରସ୍ପର ଉପରେ ପ୍ରଭାବ ପକାଇବେ, ଯାହାଫଳରେ ଓଡିଶାର ଉତ୍ତର ଭାଗରେ ଏକ ଲଘୁଚାପ ସୃଷ୍ଟି ହେବ ଓ ଭୀଷଣା ବର୍ଷା ହେବାର ସମ୍ଭାବନା ଅଛି ।“

ଉକ୍ତ ବିଶ୍ଳେଷଣ ଅନୁସାରେ “କିଛି ସମୟ ପରେ ଏହି ପ୍ରଭାବ ପଶ୍ଚିମ ଦିଗ ମୁହା ହେଇ ଦୁର୍ବଳ ହେବ” ।

ଉତ୍ତର,ପଶ୍ଚିମ ପ୍ରଭାବିତ

ଭାରତୀୟ ପାଣିପାଗ ବିଭାଗ ମଧ୍ୟ ନିଜର ସାପ୍ତାହିକ ବୁଲେଟିନରେ ଓଡିଶାରେ ଆଗାମୀ ଦୁଇଦିନ ଧରି ଭୀଷଣ ବର୍ଷା ହେବା କଥା ଉଲ୍ଲେଖ କରିଛି ।

ମୋଟାମୋଟି ଭାବେ ଏହି ପାଣିପାଗ ସୂଚନା ଅନୁସାରେ ଆଗାମୀ ଦୁଇଦିନ ଧରି ଓଡିଶାର ଉତ୍ତର ଭାଗରେ ଥିବା ଜିଲା ଯଥା ମୟୂରଭଞ୍ଜ, ବାଲେଶ୍ଵର , କେଉଁଝର ଏବଂ ପଶ୍ଚିମାଞ୍ଚଳ ଜିଲ୍ଲା ଯଥା ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଆଦି ଜିଲ୍ଲାରେ ଅତି ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଜଣାପଡିଛି ।

ଏହି ପାଣିପାଗ ସିଷ୍ଟମର ପ୍ରଭାବ ଓଡିଶାର ଦେଖିବାକୁ ମିଳିସାରିଲାଣି । ସ୍କାଏମେଟ ପାଣିପାଗ କମ୍ପାନୀ ତରଫରୁ ମିଳିଥିବା ସୂଚନା ମୁତାବକ ରବିବାର ସନ୍ଧ୍ୟା ସୁଦ୍ଧା ପୂର୍ବ ଭାରତରେ ଜାମଶେଦପୁର ଠାରେ ୧୭୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦାଠାରେ ୯୩ ମିମି ବର୍ଷା ରେକର୍ଡ କରାଯାଇଛି ।

#rainfall #weather

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon