- padmabati kund
ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ଦୁଇ ଭାଇ, ମିଳିଲା ସାଢେ ପାଞ୍ଚ ଲକ୍ଷ

ମୁମ୍ବାଇରେ ଦୁଇ ଭାଇ ଗୋଟିଏ ମାଛ ଧରି ଗୋଟିଏ ଦିନ ମଧ୍ୟରେ ଲକ୍ଷପତି ହୋଇଯାଇଛନ୍ତି। ପ୍ରତିଦିନ ପରି ଶୁକ୍ରବାର ଦିନ ମାଛ ଧରିବାକୁ ଯିବା ସମୟରେ ସେହି ଦୁଇ ଭାଇ ଭାବି ନଥିବେ ଯେ ସେମାନଙ୍କର ଭାଗ୍ୟ ଏପରି ଚମକିବ ବୋଲି। ପ୍ରତିଥର ପରି ପାଳଘର ସମୁଦ୍ର କୂଳରୁ ମାଛ ଧରିବା ସମୟରେ ଏକ ଘୋଲ ମାଛ ଧରା ପଡିଥିଲା। ଯାହାକୁ ବଜାରରେ ଦୁଇଭାଇ 5ଲକ୍ଷ 50ହଜାର ଟଙ୍କାରେ ବିକ୍ରି କରିଥିଲେ।
ମହେଶ ଓ ତାଙ୍କ ଭାଇ ଭରତ ଧରିଥିବା ଏହି ଘୋଲ ମାଛର ଓଜନ ପ୍ରାୟ 30କିଗ୍ରା ହେବ। ଏହି ଖବର ସେହି ଅଞ୍ଚଳରେ ବ୍ୟାପିଯିବା ପରେ ସୋମବାରଦିନ ମାଛ ବିକ୍ରି ପାଇଁ ନିଲାମ ଡକାଯାଇଥିଲା। ପ୍ରାୟ 20ମିନିଟର ଏହି ନିଲାମୀ ପ୍ରକ୍ରିୟାରେ ଜଣେ ବ୍ୟାପାରୀ ଏହି ମାଛକୁ 5ଲକ୍ଷ 50ହଜାର ଟଙ୍କାରେ କିଣିଥିଲେ।
କାହିଁକି ମୁଲ୍ୟବାନ ଏହି ମାଛ
ଘୋଲ ମାଛ ଖାଇବାକୁ ସ୍ଵାଦିଷ୍ଟ ହୋଇଥାଏ। ଏହାବ୍ୟତୀତ ଏଥିରେ ବହୁତ ଔଷଧୀୟ ଗୁଣ ରହିଛି। ଯେଉଁଥି ପାଇଁ ପୂର୍ବ ଏସିଆରେ ଏହା ଅଧିକ ମୁଲ୍ୟବାନ ଅଟେ। ଏହି ଘୋଲ ମାଛକୁ ‘ସୁନାର ମାଛ’ ବୋଲି ମଧ୍ୟ କୁହାଯାଇଥାଏ। ଏହି ମାଛ ମୁଖ୍ୟତଃ ସିଙ୍ଘାପୁର, ମାଲେସିଆ, ଇଣ୍ଡୋନେସିଆ, ହଙ୍ଗ-କଙ୍ଗ ଓ ଜାପାନରେ ବିକ୍ରି କରାଯାଇଥାଏ। ସବୁଠାରୁ ଶସ୍ତା ଘୋଲ ମାଛର ମୂଲ୍ୟ ଏକ କିଲୋ ପ୍ରତି ଟ.8,000 ରୁ ଟ.10,000 ମଧ୍ୟରେ ହୋଇଥାଏ।
ଔଷଧ ଓ ପ୍ରସାଧାନ ସାମଗ୍ରୀରେ ବ୍ୟବହାର
ଘୋଲ ମାଛର ବ୍ୟବହାର କରି ଔଷଧ ତିଆରି ହୋଇଥାଏ। ଏହି ମାଛର ଚର୍ମରେ କୋଲେଜନ ରହିଥାଏ। ଏହାର ବ୍ୟବହାର ପ୍ରସାଧାନ ସାମଗ୍ରୀ ତିଆରିରେ ମଧ୍ୟ ହୋଇଥାଏ। ଗତ କିଛି ବର୍ଷ ହେବ ଏହାର ଚାହିଦା ବହୁ ମାତ୍ରାରେ ବଢିଯାଇଛି। ଏହା ସହିତ ଅପରେସନ ସମୟରେ ବ୍ୟବହାର କରାଯାଉଥିବା ଘୁଳନଶୀଳ ଷ୍ଟିଚ୍ ପ୍ରସ୍ତୁତ କରିବାରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ ।
ଏହା ପୂର୍ବରୁ ମେ’ ମାସରେ ଭୟାନ୍ଦର ଏକ ମତ୍ସ୍ୟଜୀବୀ ୱିଲିୟମ ଗବରୁ ଉଟାନରୁ ଏକ ଘୋଲ ମାଛ ଧରିଥିଲେ, ଯାହା 5ଲକ୍ଷ 16 ହଜାର ଟଙ୍କାରେ ବିକ୍ରି ହୋଇଥିଲା।