• ବେତାର ବ୍ୟୁରୋ

ଇଂଜିନିୟରିଂ, ଡାକ୍ତରୀ ପଢାଖର୍ଚ୍ଚ ବଢିଲା


ଓଡିଶାରେ ବୃତ୍ତି ଭିତ୍ତିକ ବା ପ୍ରଫେସନାଲ ଶିକ୍ଷାଦାନ କରୁଥିବା ଶିକ୍ଷାନୁଷ୍ଠାନମାନଙ୍କରେ ବାର୍ଷିକ ଫି’ ବୃଦ୍ଧି କରିବା ପାଇଁ ଓଡିଶା ସରକାର ଆଦେଶ ଜାରି କରିଛନ୍ତି । ଏହି ଆଦେଶ ମୁତାବକ ରାଜ୍ୟରେ ଥିବା ଘରୋଇ ଇଞ୍ଜିନିୟରିଂ, ଏମସିଏ, ଡାକ୍ତରୀ ତଥା ଫାର୍ମାସୀ କଲେଜରେ ଫି’ ବୃଦ୍ଧି କରିବା ନିମନ୍ତେ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ପୂର୍ବରୁ ଜୁନ ମାସରେ ବେତାର.ଇନ ରେ ପ୍ରକାଶିତ ଏକ ଖବର ଅନୁଯାୟୀ ରାଜ୍ୟ ସରକାର ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ବାର୍ଷିକ ଫି ବୃଦ୍ଧି ପାଇଁ ରାଜି ହେଇଥିଲେ ।

ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ଜୁଲାଇ ୨୭ ତାରିଖରେ ଜାରି ହେଇଥିବା ଘୋଷଣାନାମା ଅନୁସାରେ ସି ଭି ରମଣ କଲେଜ, ଗାନ୍ଧୀ ଗ୍ରୁପର ସମସ୍ତ ଇଞ୍ଜିୟରିଙ୍ଗ କଲେଜ, ସିନର୍ଜି, ସିଲିକନ, ଟ୍ରାଇଡେଣ୍ଟ ଭଳି ଖ୍ୟାତନାମା ଘରୋଇ ଇଂଜିନିୟରିଙ୍ଗ କଲେଜରେ ଫି’ ବୃଦ୍ଧି କରାଯାଇଛି । ଏହି ଫି’ ବୃଦ୍ଧି ପରିମାଣ କଲେଜ ଅନୁସାରେ ଭିନ୍ନ ଭିନ୍ନ ଅଟେ ଅର୍ଥାତ ସେମିଷ୍ଟର ପିଛା ଟ.୧୦୦୦ ରୁ ଆରମ୍ଭ କରି ଟ.୧୫,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାହେଇଛି ।

ଓଡିଶା ଏବେ 80ରୁ ଅଧିକ ଘରୋଇ କଲେଜ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି । ସେଥିରୁ ମାତ୍ର ହାତଗଣତି କେତୋଟି କଲେଜକୁ ଛାଡିଦେଲେ ଅଧିକାଂଶ କଲେଜରେ 40 ପ୍ରତିଶତରୁ ଅଧିକ ସିଟ ଖାଲିପଡୁଛି । ତେବେ ଅସଲ କଥା ହେଲା ଯେଉଁ କଲେଜରେ ଇଞ୍ଜିନିୟରିଙ୍ଗ ବା ଏମ.ଟେକ ଇତ୍ୟାଦି ପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ରହିଛି, ସେହି କଲେଜର ଫି’ ବୃଦ୍ଧି କରାଯାଇଥିବା ମନେହୁଏ ।

ତେବେ ଫିସ ବୃଦ୍ଧି ବାବଦରେ ଓଡିଶା ଘରୋଇ ଇଞ୍ଜିନିୟରିଙ୍ଗ କଲେଜ ସଂଘର ନିଜସ୍ଵ ମତ ରହିଛି । ଘରୋଇ ଇଞ୍ଜିନିୟରିଙ୍ଗ କଲେଜ ସଂଘ (ଓପେକୋ)ର ସାଧାରଣ ସଂପାଦକ ବିନୋଦ ଦାଶ କହିଛନ୍ତି, “ପ୍ରତି ତିନି ବର୍ଷରେ ଥରେ ଫି ବୃଦ୍ଧି କରାଯାଏ “। ସେ ଏହା ମଧ୍ୟ କହିଛନ୍ତି ଏଥର କେବଳ 8 ରୁ 10 କଲେଜକୁ ଅନୁମତି ମିଳିଛି ଫି ବୃଦ୍ଧି କରିବା ପାଇଁ ।

ତେବେ କାଁ ଭାଁ ଗୋଟିଏ ଦୁଇଟି କଲେଜରେ ଫି ଦୁଇ ରୁ ଚାରି ହଜାର ଟଙ୍କା କମିଥିବା ସରକାରଙ୍କ ଘୋଷଣାପତ୍ରରେ ଦେଖିବାକୁ ମିଳିଛି ।

ଡାକ୍ତରୀ,ଏମବିଏ, ଏମସିଏ

ଇଞ୍ଜିନିୟରିଙ୍ଗ କଲେଜ ଫି ବୃଦ୍ଧି ସହିତ ଅନେକ ଘରୋଇ ମେଡିକାଲ କଲେଜ ଓ ଫାର୍ମାସୀ କଲେଜ ଏବଂ ଏମବିଏ, ଏମସିଏ କଲେଜର ଫି’ ବୃଦ୍ଧି ସରକାର ଘୋଷଣା କରିଛନ୍ତି । ଏପରିକି ଘରୋଇ ଆୟୁର୍ବେଦିକ ଡାକ୍ତରୀ ଶିକ୍ଷା ପାଇଁ ମଧ୍ୟ ଫି’ ବୃଦ୍ଧି ହେଇଛି ।

ଓଡିଶାର ପ୍ରାୟ ସବୁ ପ୍ରସିଦ୍ଧ ଘରୋଇ ଇଂଜିନିୟରିଙ୍ଗ କଲେଜରେ ଥିବା ଏମବିଏ ତଥା ଏମସିଏ ପାଠ୍ୟକ୍ରମ ପାଇଁ ଫି’ ବୃଦ୍ଧି କରାଯାଇଥିବା ବେଳେ, ଏମବିବିଏସ (ଡାକ୍ତରୀ) ପାଠ୍ୟକ୍ରମ ପାଇଁ ହାଇଟେକ ମେଡିକାଲ କଲେଜରେ ଫି ବୃଦ୍ଧି ହେଇଛି ।

ଏହି ଫି’ ବୃଦ୍ଧିରେ କର୍ମଚାରୀଙ୍କ କଲ୍ୟାଣ ଖର୍ଚ୍ଚ ବି ରହିବ। ଏମବିଏ ପାଠ୍ୟକର୍ମରେ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ତାଲିମ ପାଇଁ ପୂର୍ବରୁ 9,600ଟଙ୍କା ଦେବାକୁ ପଡୁଥିଲା ଏବେ ଏହା 12 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି ।

ଏହିସବୁ କଲେଜମାନଙ୍କରେ ହଷ୍ଟେଲ ଫି ବାବଦକୁ ଜଣକ ପିଛା ସର୍ବାଧିକ ବାର୍ଷିକ ଟ.୨୪,୦୦୦ ଆଦାୟ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।

#education

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon