• padmabati kund

ଅଗଷ୍ଟ 9 : ପରମାଣୁ ବୋମା ବିସ୍ଫୋରଣର ଲୋମହର୍ଷକ କାହାଣୀ


ଦ୍ଵିତୀୟ ବିଶ୍ଵଯୁଦ୍ଧର ଶେଷ ପର୍ଯ୍ୟାୟରେ, ଅଗଷ୍ଟ 6 ଓ 9 ତାରିଖ, 1945 ମସିହାରେ ଆମେରିକା ଜାପାନର ଦୁଇଟି ସହର ହିରୋସୀମା ଓ ନାଗାସାକି ଉପରେ ଦୁଇଟି ନ୍ୟୁକ୍ଲିୟର ବୋମା ବିସ୍ଫୋରଣ କରିଥିଲା। ଏହି ଦୁଇଟି ବିସ୍ଫୋରଣରେ ପ୍ରାୟ 129,000ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ବେସାମରିକ ବିଭାଗର ଥିଲେ।

ଏହି ଲୋମହର୍ଷଣକାରୀ ଘଟଣାକୁ 73 ବର୍ଷ ବିତିଯାଇଅଛି। ତେବେ ଏହି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜାପାନର ଅଧିବାସୀ କଣ କୁହନ୍ତି, ଆସନ୍ତୁ ଜାଣିବା।

ସୁନାଓ ସୁବୋଇ (ହିରୋସୀମା)

ଏହି ଘଟଣାଟି ଘଟିବା ସମୟରେ ସୁନାଓ 20ବର୍ଷର ଥିଲେ। ଅଗଷ୍ଟ 6, 1945 ଦିନ ସକାଳେ ବିଶ୍ଵବିଦ୍ୟାଳୟକୁ ପଢିବାକୁ ଯାଉଥିଲେ। ଏହି ସମୟରେ ହିରୋସୀମା ଉପରେ ପାରମାଣବିକ ବିଧ୍ଵଂସକାରୀ ବୋମା (ଲିଟିଲ ବୟ) ପଡିଥିଲା। ସୁନାଓଙ୍କ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସମସ୍ତ ଅଂଶ ଜଳି ଯାଇଥିଲା। ଏହାର ଯନ୍ତ୍ରଣା ଏତେ ଅଧିକ ଥିଲାଯେ ସେ ଭାବିଥିଲେ ସେ ସେହି ସମୟରେ  ମରିଯିବେ। କିନ୍ତୁ ତାଙ୍କର ସହପାଠୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ମିଲିଟାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ।

ଏହି ଘଟଣାର ବହୁତ ଦିନ ବିତିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଖୋଜି ଘରକୁ ନେଇଯାଇଥିଲେ। ତାଙ୍କୁ ଚାଲିବାପାଇଁ ପ୍ରାୟ ଏକବର୍ଷରୁ ଅଧିକ ସମୟ ଲାଗିଯାଇଥିଲା।

ଶିଗେମୀତଷୁ ତନକା (ନାଗାସାକି)

ତନକା ଏହି ସମୟରେ ପାଞ୍ଚ ବର୍ଷ ବୟସର ଥିଲେ। ସେ ତାଙ୍କ ଘର ପାଖରେ ଥିବା ଏକ ଗଛତଳେ ଖେଳୁଥିଲେ। ଏହି ସମୟରେ ତାଙ୍କୁ ବଜ୍ରପଡିବାପରି ଖୁବଜୋର ଶବ୍ଦ ଶୁଭିଲା ଏବଂ ଆକାଶ ସଂପୂର୍ଣ୍ଣ ଧଳା ଦେଖାଯାଉଥିଲା। ପରମାଣୁ ବୋମାର ପ୍ରଭାବରେ ତାଙ୍କ ଘରର ସମସ୍ତ ଝରକା କବାଟ ଉଡିଯାଇଥିଲା।

ତାଙ୍କ ମା ପାଖରେ ଥିବା ଏକ ବିଦ୍ୟାଳୟରେ କାମ କରୁଥିଲେ। ସେଠାକୁ ଯାଇ ସେ ଲୋକମାନଙ୍କର କାନ୍ଦବୋବାଳି ଓ ପୋଡା ମାଂସର ବାସ୍ନା ଶୁଙ୍ଘିବାକୁ ପାଇଲେ। ଏହି ଘଟଣାର 12ବର୍ଷ ପରେ ତାଙ୍କ ପିତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ମିୟାକୋ ଜୋଦାଇ (ନାଗାସାକି)

ପାଞ୍ଚ ବର୍ଷୀୟ ଜୋଦାଇ ନିଜର ଆଇ ମା’ ଓ ମାଉସୀଙ୍କ ସହିତ ନାଗାସାକିର ପାହାଡ ଅଞ୍ଚଳରେ ରହୁଥିଲେ। ଫ୍ୟାଟ ମ୍ୟାନ ବିସ୍ଫୋରଣ ହେବା ସମୟରେ ତାଙ୍କୁ ଏପରି ଲାଗିଥିଲା ଯେ, ତାଙ୍କ ଅଜାଣତରେ ଯେମିତି କେହି ତାଙ୍କୁ ବିଜୁଳି ଝଟକା ଦେଇଥିଲା। ଏହି ଘଟଣାରେ ତାଙ୍କ ଘର ଧ୍ଵଂସ ହୋଇଯାଇଥିଲା ଓ ସେ ଖାଇବା ପାଇଁ କିଛି ପାଇନଥିଲେ। ଏହାପରେ ତାଙ୍କ ଘରର ଉତ୍ତର-ପୂର୍ବ ଦିଗରେ 100କିମି ଦୂରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।

ଦ୍ଵିତୀୟ ବିଶ୍ଵଯୁଦ୍ଧର ଏହି ଦୁଇ ଦୁଃଖଦ ଘଟଣା ପରେ ଜାପାନ ଆତ୍ମସମର୍ପଣ କରିଥିଲା। ପରମାଣୁ ବୋମାର ଅପପ୍ରୟୋଗ ପରି ଭୁଲକୁ ପୁନରାବୃତ୍ତି କରାଯାଇନାହିଁ। ବରଂ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । 

#nuclearbombblast #nagasaki #hiroshima

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon