- padmabati kund
କି-କି ଚ୍ୟାଲେଞ୍ଜ କରି ଧରାପଡିଲେ, ଷ୍ଟେସନ ସଫା କଲେ

ଇଣ୍ଟରନେଟରେ ଲୋକପ୍ରିୟ ହୋଇଥିବା କି-କି ଚ୍ୟାଲେଞ୍ଜ କରିବାରୁ ବିରାର ର ତିନିଜଣ ଯୁବକଙ୍କୁ ଗିରଫ କରିଛି। ଏହି ତିନିଜଣ ଯୁବକ ରେଲୱେ ପ୍ଲାଟଫର୍ମ ନିକଟରେ ଏକ ଭିଡିଓ ଶୁଟିଙ୍ଗ କରିଥିଲେ। ଏହି ଭିଡିଓରେ ସେମାନେ କି-କି ଚ୍ୟାଲେଞ୍ଜ କରୁଥିବାର ଦେଖିବାକୁ ମିଳିଥିଲା। ଏହାର ଦଣ୍ଡ ସ୍ୱରୂପ ଏହି ତିନିଜଣ ଯୁବକୁ ତିନିଦିନ ଷ୍ଟେସନ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଲୋକମାନଙ୍କୁ ଏହି ବିପଦପୂର୍ଣ୍ଣ କି-କି ଚ୍ୟାଲେଞ୍ଜ ବିଷୟରେ ସଚେତନ କରିବା ପାଇଁ କୁହାଯାଇଛି।
ଏହି ତିନିଜଣ ଯୁବକଙ୍କ ନାମ ହେଉଛି ନିଶାନ୍ତ ଶାହ (20), ଧ୍ରୁବ ଶାହ (23) ଓ ଶ୍ୟାମ ଶର୍ମା (24)। ଶ୍ୟାମ ଶର୍ମା ଜଣେ ଟେଲିଭିଜନ ଧାରାବାହିକ ଅଭିନେତା ଅଟନ୍ତି। କିଛିଦିନ ତଳେ ଏହି ତିନି ଜଣ ଯୁବକ ୟୁ-ଟ୍ୟୁବରେ ଏକ ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓରେ ତିନିଜଣଙ୍କୁ ରେଳୱେ ପ୍ଲାଟଫର୍ମ ନିକଟରେ କି-କି ଚ୍ୟାଲେଞ୍ଜ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଥିଲା ଓ 14ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଥିଲେ।
ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ଭିଡିଓ ରେଲୱେ ପ୍ରୋଟେକ୍ସନ ଫୋର୍ସ ଦେଖିବା ପରେ ଉକ୍ତ ତିନିଜଣ ବ୍ୟକ୍ତିଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା। ଏହାପରେ ସେହି ତିନିଜଣ ବ୍ୟକ୍ତି ଆମ୍ବୁଲାନ୍ସ ମଧ୍ୟରେ ଏକ କିକି ଚ୍ୟାଲେଞ୍ଜ କରୁଥିବାର ଭିଡିଓ ଅପଲୋଡ କରିଥିଲେ।
ରେଲୱେ ପ୍ରୋଟେକ୍ସନ ଫୋର୍ସ ଉକ୍ତ ଆମ୍ବୁଲାନ୍ସର ମାଲିକ ମାଧ୍ୟମରେ ଏହି ତିନିଜଣ ବ୍ୟକ୍ତିଙ୍କୁ ବୁଧବାର ଦିନ ଗିରଫ କରିଥିଲେ। ଗିରଫ କରିବା ବେଳେ ତିନିଜଣ କାନ୍ଦୁଥିଲେ ବୋଲି ଗିରଫ କରିଥିବା ଅଧିକାରୀ କହିଛନ୍ତି।
ଏହାପରେ ତିନିଜଣ ଯୁବକଙ୍କୁ ୱସାଇରେ ଥିବା କୋର୍ଟକୁ ପଠାଇ ଦିଆଯାଇଥିଲା। କୋର୍ଟ ସେହି ତିନିଜଣ ବ୍ୟକ୍ତିଙ୍କୁ ସପ୍ତାହରେ ତିନିଦିନ ଭସାଇ ରେଲୱେ ଷ୍ଟେସନ ସଫାକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ ନକରିବାକୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ କୁହାଯାଇଛି।
ଷ୍ଟେସନ ସଫା କରିବା କାମ ସକାଳ 11ଟାରୁ ଅପରାହ୍ନ 2ଟା ଏବଂ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କରିବାକୁ ପଡିବ।