• ବେତାର ବ୍ୟୁରୋ

ଲଘୁଚାପ ଜନିତ ବର୍ଷା ରାଜ୍ୟରେ ଆହୁରି 48 ଘଣ୍ଟା ପର୍ଯ୍ୟନ୍ତ ରହିବ


ଉତ୍ତର ପଶ୍ଚିମ ବଙ୍ଗୋପସାରରେ ସୃଷ୍ଟିହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପନେଇଛି। ଏହାର ପ୍ରଭାବରେ ଆସନ୍ତା 24-48 ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସ୍କାଏମେଟ ପାଣିପାଗ ଗବେଷଣା ପ୍ରତିଷ୍ଠାନ ତରଫରୁ କୁହାଯାଇଛି ଯେ ଆସନ୍ତା 24-48 ଘଣ୍ଟା ମଧ୍ୟରେ ଓଡିଶାର ଭୁବନେଶ୍ଵର, ଭଦ୍ରକ, କଟକ, ମୟୂରଭଞ୍ଜ,ଭବାନୀପାଟଣା, ଟିଟଲାଗଡ, ଗୋପାଳପୁର,ଫୁଲବାଣୀ, ଝାରସୁଗୁଡା ଓ ସମ୍ବଲପୁରରେ ଭୀଷଣ ବର୍ଷା ହେବା ସହିତ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ।

ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ।ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ଲାଗି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ପାଇବ, ଘାଇ ସୃଷ୍ଟି ହେବ, ସେ ନେଇ ପରିସ୍ଥିତି ଉପରେ ନଜର ରଖିବା ଲାଗି ଜଳସଂପଦ ବିଭାଗ ନିଜର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବା କଥା ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ।

ଗତ 24ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ 86ମି.ମି, ଭବାନୀପାଟଣାରେ 84 ମି.ମି, ଟିଟଲାଗଡରେ 73 ମି.ମି, କୋରାପୁଟରେ 45 ମି.ମି, ଗୋପଳପୁରରେ 43 ମି.ମି, ଫୁଲବାଣୀରେ 34 ମି.ମି, ଚାନ୍ଦବାଲିରେ 28 ମି.ମି ଓ ଅନୁଗୁଳରେ 18 ମି.ମି ବର୍ଷା ରେକର୍ଡ କରାଯାଇଛି। 

ଏହି ଲଘୁଚାପଟି ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାରୁ ଏହାର ପ୍ରଭାବ ବିହାର ଓ ପୂର୍ବ ଉତ୍ତରପ୍ରଦେଶରେ ମଧ୍ୟ ଦେଖାଯିବ। ଏହି ସ୍ଥାନରେ ମଧ୍ୟ ଆସନ୍ତା ତିନିରୁ ଚାରିଦିନ ମଧ୍ୟରେ ପ୍ରବଳ ବର୍ଷା ଲାଗିରହିବ।

ଏହି ଲଘୁଚାପ ବର୍ଷାରେ ସମଗ୍ର ଦେଶରେ ହୋଇଥିବା ମୌସୁମୀ ବର୍ଷାର ପରିମାଣରେ ସୁଧାର ଆସିବ। ଜୁନ ମାସ 1 ତାରିଖରୁ ଅଗଷ୍ଟ 13 ତାରିଖ ମଧ୍ୟରେ ଦେଶରେ ସାମାନ୍ୟରୁ 10 ପ୍ରତିଶତ କମ ବର୍ଷା ହୋଇଛି ବୋଲି ସ୍କାଏମେଟ ପାଣିପାଗ ଗବେଷଣା ପ୍ରତିଷ୍ଠାନ ତରଫରୁ କୁହାଯାଇଛି।

#currentnews #weather

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon