• ବେତାର ବ୍ୟୁରୋ

ଏକାଠି କଲେଜରେ ପଢୁଥିଲେ ପିତା-ପୁତ୍ର: ବାଜପାୟୀଙ୍କ ବିଷୟରେ ପାଞ୍ଚ କଥା


ଦୀର୍ଘଦିନ ଧରି ଅସୁସ୍ଥ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ  ଗୁରୁବାର ଅପରାହ୍ନରେ ଦିଲ୍ଲୀସ୍ଥିତ ଏମ୍ସ ଠାରେ ୯୩ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ମର ଶରୀରର ନିକଟରେ ପୋଷ୍ୟକନ୍ୟା ତଥା ଜ୍ଵାଇଁ ଓ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

କମ ସମୟ ପାଇଁ ହେଉ ପଛେ , ଶ୍ରୀବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।  ପ୍ରଥମ ଥର 13 ଦିନ ପାଇଁ (1996), ଦ୍ଵିତୀୟ ଥର 11 ମାସ ପାଇଁ  (1998-1999) ଓ ତ୍ରିତୀୟ ଥର ପାଞ୍ଚ ବର୍ଷରୁ ଅଳ୍ପ କିଛି ଦିନ କମ ଅବଧି (1999-2004) ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ । ଏହା ପୂର୍ବରୁ 1977 ରୁ 1979 ଯାଏଁ ସେ ଭାରତର ବୈଦେଶିକ ମନ୍ତ୍ରୀ ଭାବେ ମୋରାଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ଵରେ କାମ କରିଥିଲେ ।

ତାଙ୍କ ବିଷୟରେ କମ ଜଣା ଥିବା ପାଞ୍ଚଟି କଥା । 

୧.  ପିତା-ପୁତ୍ରଙ୍କ ଏକସଙ୍ଗେ ଶିକ୍ଷା ଗ୍ରହଣ  :  ସ୍ନାତକ ଶିକ୍ଷା ସମାପ୍ତ ପରେ ବାଜପେୟୀ ଯେତେବେଳେ ଆଇନ ଶିକ୍ଷା କରିବାକୁ ଚାହିଁଲେ, ସେତେବେଳ ତାଙ୍କ ଶିକ୍ଷକ ପିତା ମଧ୍ୟ ଆଇନ ଶିକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଫଳରେ ଉଭୟ ଗୋଟିଏ କ୍ଳାସରେ ଶିକ୍ଷା ଗ୍ରହଣ କରୁଥିଲେ , ଏପରିକି ଗୋଟିଏ ହଷ୍ଟେଲ ରୁମରେ ଦୁହେଁ ରହୁଥିଲେ ।

୨. ବନ୍ଧୁଙ୍କ ପରିବାର ହେଲା ନିଜ ପରିବାର :  ଅଟଳ ବିହାରୀ ବାଜପେୟୀ ୧୯୫୭ରେ ପ୍ରଥମ ଥର ପାଇଁ ପାର୍ଲାମେଣ୍ଟ ସଦସ୍ୟ ହେଲେ । ଏହପରେ ୧୯୬୦ରେ ସେ ଦିଲ୍ଲୀରେ ରହୁଥିବା କଲେଜ ଅଧ୍ୟାପକ ବି ଏନ କାଉଲଙ୍କ ସହିତ ଘନିଷ୍ଠ ହେଲେ । କାଉଲଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ  ତଥା ପୂର୍ବ ସହପାଠିନୀ ରାଜକୁମାରୀ ଓ କନ୍ୟା ନମ୍ରତା କଥା ବାଜପେୟୀ ବୁଝିବାକୁ ଲାଗିଲେ । ସେତେବେଳେ ତାଙ୍କର ଏ ନିଷ୍ପତ୍ତି ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ମଧ୍ୟ ସେ ଏସବୁକୁ  ଭ୍ରୂକ୍ଷେପ କରି ନ ଥିଲେ । 

୩. ଶିଶୁ ଭଳିଥିଲେ : ବାଜପେୟୀ ଯେବେ ୧୯୯୩ ମସିହାରେ ଆମେରିକା ଗସ୍ତ କରିଥିଲେ, ସେତେବେଳେ ତାଙ୍କୁ ୬୯ ବର୍ଷ ବୟସ ହେଇଥିଲା । ସେ ସମୟରେ ଆମେରିକାର ଡ଼ିଜନି ଲାଣ୍ଡ ପରି ଜାଗାରେ ବିଭିନ୍ନ ଦୋଳିରେ ସେ ଶିଶୁଙ୍କ ପରି ବସି ଆନନ୍ଦ ନେଇଥିଲେ ।

୪. ୨୦୧୫ରେ ମୃତ୍ୟୁ ଗୁଜବ : ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହେବାର କିଛି ଦିନ ପରେ ସୋସିଆଲ ମିଡିଆରେ ତାଙ୍କର ମୃତ୍ୟୁ ହେଇଛି ବୋଲି ଏକ ଗୁଜବ ଶୁଣିବାକୁ ମିଳିଥିଲା । ବାଲେଶ୍ଵର ଜିଲ୍ଲାର ଏକ ସ୍କୁଲର ପ୍ରଧାନଶିକ୍ଷକ ଏହା ଶୁଣି ପ୍ରାର୍ଥନା ସଭା କରି ଦିନକ ପାଇଁ ଛୁଟି ଘୋଷଣା କରିଥିଲେ । ପରେ ଅବଶ୍ୟ ଏଥିପାଇଁ ତାଙ୍କୁ ଚାକିରିରୁ ନିମମ୍ବିତ କରାଯାଇଥିଲା ।

୫. ପାକିସ୍ଥାନ ସହିତ  ଶାନ୍ତି ପାଇଁ ଦିଲୀପ କୁମାରଙ୍କୁ ଅନୁରୋଧ : ବାଜପେୟୀ ପାକିସ୍ଥାନ ସହିତ ଭାରତର ଶାନ୍ତି ସ୍ଥାପନ ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଖୁର୍ସିଦ କସୁରୀଙ୍କ ଲିଖିତ ପୁସ୍ତକ ଅନୁସାରେ, ୧୯୯୯ ମସିହାରେ ବାଜପେୟୀ କାରଗିଲ ଘଟଣା ପାଇଁ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଫୋନ କରିଥିବା ବେଳେ ତାଙ୍କୁ ବୁଝେଇବା ପାଇଁ ପାକିସ୍ତାନର ପେଶୱାରରେ ଜନ୍ମିତ ତଥା ବଲିଉଡ କଳାକାର ଦିଲୀପ କୁମାର (ମୂଳ ନାମ ୟୁସୁଫ ଖାନ) ଙ୍କ ସହିତ କଥା କରେଇଥିଲେ । ଏହି କଥାବାର୍ତ୍ତାରେ ଦିଲୀପ କୁମାର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଥିଲେ ଯେ , ଭାରତ-ପାକିସ୍ତାନ ସମ୍ବନ୍ଧ ଅଶାନ୍ତ ହେଲେ ଭାରତୀୟ ମୁସଲମାନମାନେ ଘରୁ ବାହାରନ୍ତି ନାହିଁ, ଏଣୁ ପାକିସ୍ତାନ ବୁଝିବିଚାରି ନିଷ୍ପତ୍ତି ନେଉ ।        

ଲକ୍ଷ୍ନୌଠାରେ 1924 ମସିହାରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ ଜଣେ ନିର୍ଭୀକ ଓ ସ୍ଵାଧୀନଚେତା ବ୍ୟକ୍ତିତ୍ଵ ସହିତ ହିନ୍ଦୀ ଭାଷାର ଆଗଧାଡିର କବି ଥିଲେ । ତାଙ୍କ ରଚିତ କବିତା ପଂକ୍ତି “ହାର ନହିଁ ମାନୁଙ୍ଗା, ରାର ନଇ ଠାନୁଙ୍ଗା, କାଲ କେ କପାଲ ପର ଲିଖତା ମିଟାତା ହୁଁ,  ମେ ଗୀତ ନୟା ଗାତା ହୁଁ (ହାର୍ କେବେ ନ ମାନିବି, ପୁଣି ଥରେ ହଟ କରିବି , କାଳର କପାଳରେ ଲେଖୁଥିବି, ଲିଭାଉଥିବି, ମୁଁ ନୂଆ ଗୀତ ଗାଉଥିବି) ଆଜି ମଧ୍ୟ ଜନମାନସରେ ଲୋକପ୍ରିୟ ହେଇ ରହିଛି ।

#currentaffairs #breakingnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon