- padmabati kund
ଓଡିଶା ସରକାରଙ୍କ ପର୍ଯ୍ୟଟନ ବିକାଶ ଯୋଜନା : ନିଜ ଘରକୁ ହୋଟେଲ ପରି ଭଡା ଦେଇପାରିବେ

ଓଡିଶା ପର୍ଯ୍ୟଟନ ବିଭାଗ ଓ ଆତିଥେୟତା ପ୍ରଦାନକାରୀ ସଂସ୍ଥା ‘ଓୟୋ’ ପକ୍ଷରୁ ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ହୋମ ଷ୍ଟେ ସୁବିଧା ଯୋଗାଇଦେବାକୁ ଯୋଜନା କରାଯାଉଛି। ଓଡିଶା ସରକାର ଓ 'ଓୟୋ' କମ୍ପାନୀ ମଧ୍ୟରେ ହେଇଥିବା ଚୁକ୍ତି ଅନୁସାରେ ସାଧାରଣ ଲୋକେ ନିଜ ଘରକୁ ହୋଟେଲ ପରି ଭଡା ଦେଇପାରିବେ।
ଭୁବନେଶ୍ଵର ସମେତ ପୁରୀ, କୋଣାର୍କ, କଟକ, ରାଉରକେଲା, ସମ୍ବଲପୁର, ଭଦ୍ରକ,ବ୍ରହ୍ମପୁର, ବାଲେଶ୍ଵର ସହରରେ ପର୍ଯ୍ୟଟକମାନେ ଘରୋଇ ରହଣୀ ସୁବିଧା ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି।
ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ 2019 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ।ଏଥିଲାଗି ଘରର ମାଲିକଙ୍କୁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ। ଏହାସହିତ ଘରମାଲିକ, ପରିବାର ସଦସ୍ୟ, କେୟାର ଟେକର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।
କେମିତି ଘର ଥିବା ଉଚିତ
ଏଥିପାଇଁ ଜନଗହଳି ପୂର୍ଣ୍ଣ ନଥିବା ଘରକୁ ପ୍ରଥମିକତା ଦିଆଯିବ ଓ ନିରାପତ୍ତା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ। ଉତ୍ତମ ସୁବିଧା ଥିବା ସର୍ବାଧିକ 5ଟି ରୁମ କିମ୍ବା 10ଟି ବେଡ଼ ଘରମାଲିକ ଭଡା ଦେଇପାରିବେ। ପର୍ଯ୍ୟଟକମାନଙ୍କ ପାଇଁ ସକାଳର ଜଳଖିଆ ଘରମାଲିକଙ୍କୁ ଦେବାକୁ ପଡିବ। ପର୍ଯ୍ୟଟନ ଅଧିକାରୀଙ୍କ ତରଫରୁ ପ୍ରତିଦିନ ପର୍ଯ୍ୟଟକଙ୍କ ମତାମତ ସଂଗ୍ରହ କରାଯିବ।
ଏଥିଲାଗି ଘରମାଲିକ ନାମ ପଞ୍ଜୀକରଣ କରି ପର୍ଯ୍ୟଟକଙ୍କୁ ସୁବିଧା ଦେଇପାରିବେ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ଡ. ନୀତିନ ଭାନୁଦାସ ଜାୱଲେ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ 2006ରୁ ‘ହୋମ ଷ୍ଟେ’ ଓ ‘ବେଡ଼ ଆଣ୍ଡ ବ୍ରେକଫାଷ୍ଟ’ ଯୋଜନା ଆରମ୍ଭ ହୋଇଛି। ବର୍ତ୍ତମାନ ଭୁବନେଶ୍ଵରରେ ପ୍ରାୟ 63ଟି ଘରମାଲିକ ଏହି ଯୋଜନାରେ ସାମିଲ ହୋଇଛନ୍ତି।
ହୋଟେଲ, ରେଷ୍ଟୁରାଣ୍ଟ, ଗେଷ୍ଟ ହାଉସ ଓ ଲଜ୍ ରେ ରହିବ ଅଧିକ ବ୍ୟୟ ସାପେକ୍ଷ ହୋଇଥିବାବେଳେ ଘରୋଇ ଭାବେ ରହିବାକୁ ପର୍ଯ୍ୟଟକମାନେ ଅଧିକ ପସନ୍ଦ କରିଥାନ୍ତି। ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ଘରୋଇ ଭାବେ ରହିବା ପାଇଁ ପର୍ଯ୍ୟଟକମାନଙ୍କୁ ବିଜ୍ଞାପନ ମାଧ୍ୟମରେ ସଚେତନ କରାଯିବ। ତେବେ ଘରୋଇ ଭାବେ ପର୍ଯ୍ୟଟକମାନଙ୍କୁ ରହିବା ପାଇଁ ଅନୁମତି ଦେବା ପୂର୍ବରୁ ଘରମାଲିକଙ୍କ ଚରିତ୍ର ଓ ବ୍ୟବହାର ସମ୍ପର୍କରେ ଯାଞ୍ଚ କରାଯିବ। “
ରାଜଧାନୀ ଭୁବନେଶ୍ଵରରେ ଆଗକୁ ହେବାକୁ ଥିବା ପୁରୁଷ ହକି ବିଶ୍ଵକପ ପୂର୍ବରୁ ଏହି ‘ହୋମ ଷ୍ଟେ’ ଯୋଜନାରେ ପ୍ରାୟ 500 ପର୍ଯ୍ୟଟକଙ୍କୁ ରଖାଯିବାର ଯୋଜନା କରାଯାଇଛି।