• Bishnupriya Swain

ଆମ୍ବ ଟାକୁଆ ଖାଇ 2 ମୃତ: କଣ ଅଛି ଏଥିରେ


ରାଜ୍ୟରେ ଲୋକଙ୍କ ଭୋକକୁ ଦୂର କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨ ଟଙ୍କିଆ ଚାଉଳ ସହିତ ବିଭିନ୍ନ ଗରିବ ଉତ୍ଥାନ ଯୋଜନା ରଖିଛନ୍ତି । କିନ୍ତୁ ଏହି ଯୋଜନା ଲୋକଙ୍କ ପାଖରେ ପହଁଚି ପାରୁ ନାହିଁ କାରଣ ଓଡିଶାର ଗରିବ ଜିଲ୍ଲାମାନଙ୍କରେ ଏବେ ବି କିଛି ପରିବାର ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରୁଛନ୍ତି ।

ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଓଡିଶାର ଏକ ଗରିବ ଜିଲ୍ଲା ନବରଙ୍ଗପୁରର ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମଇନାପଦର ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି ।

ମୃତକମାନେ ହେଲେ ନଣନ୍ଦ ନମିତା ସାଆନ୍ତା ଓ ଭାଉଜ ସୁଧାମଣି ସାଆନ୍ତା । ଗୁରୁତରଙ୍କ ମଧ୍ୟରେ ଗୋଟିଏ ୬ ବର୍ଷର ଶିଶୁ ରହିଛି ।

ଏହି ପରିବାରର ତିନି ଜଣ ଆମ୍ବ ଟାକୁଆକୁ ଗୁଣ୍ଡ କରି ତାକୁ ମାଣ୍ଡିଆ ସହିତ ରାନ୍ଧି ଖାଇଥିଲେ। ଏହା ପରେ ହଠାତ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପ୍ରଥମେ ନଣନ୍ଦ ନମିତା ପ୍ରାଣ ହରାଇଥିଲେ । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ନବରଂଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଭାଉଜ ସୁଧାମଣିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏବେବି ଶିଶୁ ପୁତ୍ରର ଅବସ୍ଥା ସଙ୍କଟାପନ୍ନ ରହିଛି ।

କିଛି ବର୍ଷ ପୂର୍ବରୁ ମଧ୍ୟ ଓଡିଶାରେ ଆମ୍ବ ଟାକୁଆ ଖାଇ କିଛି ପରିବାର ସଦସ୍ୟ ମୃତ୍ୟୁ ବରଣ କରିଥିବା ଖବର ଆସିଥିଲା। ଓଡିଶାର ଅନେକ ସ୍ଥାନରେ ଆମ୍ବ ଟାକୁଆ ଖାଇବାର ଉଦାହରଣ ଦେଖିବାକୁ ମିଳିଥାଏ ।

ଆମ୍ବ ଟାକୁଆ ବିଷ?

ଅନେକ ଆୟୁର୍ବେଦ ତଥା ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଆମ୍ବ ଟାକୁଆରେ ଥିବା ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଟାକୁଆରେ ଏପରି କିଛି ପଦାର୍ଥ ଅଛି ଯାହା ଆମ ଶରୀରର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଓ ମେଦବହୁଳତାରୁ ରକ୍ଷା କରିଥାଏ । ତେବେ ଏ ସବୁ ଲାଭ ପାଇବା ପାଇଁ ଉପଯୁକ୍ତ ପଦ୍ଧତିରେ ଆମ୍ବ ଟାକୁଆରୁ ଔଷଧ ପ୍ରସ୍ତୁତ କରିବା ଉଚିତ ।

କିଛି ପୋଷକତତ୍ତ୍ଵବିଦ ଙ୍କ ମତରେ ଅଧିକ ଦିନ ରହିଯାଇଥିବା ଟାକୁଆ ଭିତରେ ଫିମ୍ପି ମାରିଯିବାର ସମ୍ଭାବନା ବହୁତ ଅଧିକ , ଏଣୁ ଯଦି ଆମ୍ବ ଟାକୁଆକୁ ଅଧିକ ଦିନ ରଖି ଖିଆଯାଏ, ତେବେ ଫୁଡ ପଏଜନିଂ ହେବା ସହିତ ମୃତ୍ୟୁ ହେବାର ସମ୍ଭାବନା ରହିଛି ।

#currentaffairs #currentnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon