- padmabati kund
ଆସନ୍ତା 2020ରୁ ବଦଳିବ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା

ଦଶମ ଓ ଦ୍ଵାଦଶ ଶ୍ରେଣୀ ନିମନ୍ତେ ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତ୍ତନ କରିବାକୁ ସେଣ୍ଟ୍ରାଲ ବୋର୍ଡ ଅଫ ଏଜୁକେଶନ (CBSE) ତରଫରୁ ଯୋଜନା କରାଯାଉଛି। ଏହି ଯୋଜନା ୨୦୨୦ ଠାରୁ କାର୍ଯ୍ୟକାରୀ କରାଯାଇପାରେ।
ଏହି ନୂତନ ପରୀକ୍ଷା ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କର ବିଶ୍ଲେଷଣାତ୍ମକ ଦକ୍ଷତା ପରୀକ୍ଷା କରାଯିବ। ପିଲାମାନଙ୍କର ମୁଖସ୍ଥ କରି ପାଠ ମନେ ରଖିବା ଅଭ୍ୟାସକୁ ମଧ୍ୟ କମାଯିବା ପାଇଁ ପ୍ରୟାସ କରାଯିବ।
ଏହି ନୂତନ ପ୍ରଶ୍ନପତ୍ରରେ ଅଧିକାଂଶ ପ୍ରଶ୍ନ ସମାଧାନ ମୂଳକ ରହିବ। ଏକରୁ ପାଞ୍ଚ ମାର୍କ ମଧ୍ୟରେ ଅଧିକ ସଂକ୍ଷିପ୍ତ ପ୍ରଶ୍ନ (ସର୍ଟ କ୍ଵେଶ୍ଚିନ) ଆସିବ। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଚିନ୍ତନ ଦକ୍ଷତା ଉପରେ ଗୁରୁତ୍ଵ ଦିଆଯିବ ଓ ମୁଖସ୍ଥ କରି ପାଠ ମନେରଖି ପରୀକ୍ଷାରେ ଅଧିକ ମାର୍କ ରଖିବା ଅପେକ୍ଷା ଶିକ୍ଷାର ପ୍ରକୃତ ଫଳାଫଳ ଏହି ପରୀକ୍ଷାରୁ ଜଣାପଡିବ ବୋଲି ଟାଇମସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବରରେ କୁହାଯାଇଛି।
ଏହା ବ୍ୟତୀତ CBSEର ସମସ୍ତ ବୋର୍ଡ ପରୀକ୍ଷାକୁ ଏଣିକି ମାର୍ଚ୍ଚ ସୁଦ୍ଧା ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି , ଏହାଫଳରେ ଖାତା ଦେଖିବା ପାଇଁ ଅଧିକ ସମୟ ମିଳିବ ସହିତ ପରୀକ୍ଷା ଫଳ ମଧ୍ୟ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ଆଗରୁ ଘୋଷଣା କରାଯାଇପାରିବ ବୋଲି ବିଚାର କରାଯାଉଛି । ଗତ କିଛି ବର୍ଷ ହେବ CBSEର ପରୀକ୍ଷା ପରିଚାଳନା, ଖାତା ଦେଖା ପଦ୍ଧତି ଉପରେ ଅନେକ ଅଭିଯୋଗ ଆସିଛି ।
ଏହି ପ୍ରସ୍ତାବଟି ଅନୁମୋଦନ ହେବା ପାଇଁ ଆହୁରି ତିନି ରୁ ଚାରି ମାସ ସମୟ ଲାଗିପାରେ କିନ୍ତୁ ୨୦୨୦ ମସିହା ଠାରୁ ପ୍ରଶ୍ନପତ୍ରରେ ପରିବର୍ତ୍ତନ ପାଇଁ ବୋର୍ଡ ତରଫରୁ କାମ ଆରମ୍ଭ ହୋଇଗଲାଣି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
କିଛିଦିନ ପୂର୍ବରୁ CBSE ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ବୋର୍ଡ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଯାଇଅଛି। ଏହି ନିଷ୍ପତ୍ତି ଅନୁସାରେ ଆସନ୍ତା ବର୍ଷଠାରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ତାଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ। ପରୀକ୍ଷାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟ 10.15am ମଧ୍ୟରେ ପରୀକ୍ଷା ହଲରେ ପହଞ୍ଚିବାକୁ ପଡିବ। ପୂର୍ବରୁ 11.15 ପହଞ୍ଚିଲେ ବି ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶ ଅଧିକାର ମିଳୁଥିଲା ।