• ବେତାର ବ୍ୟୁରୋ

ପୁରସ୍କାର ପାଇଁ ଧନ୍ୟବାଦ,ରାଜଧାନୀରେ ଜାଗା ଦିଅ: ଦୂତୀ


ଏସୀୟ କ୍ରୀଡା 2018 ପ୍ରତିଯୋଗୀତାରେ 100ମିଟର ଦୌଡ ପ୍ରତିଯୋଗୀତାରେ ରୌପ୍ୟ ପଦକ ଜିତିଥିବା ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହିତ ଦେଢକୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ତେବେ ଦେଢକୋଟି ଟଙ୍କାର ପୁରସ୍କାର ରାଶିରେ ଦୂତୀ ସନ୍ତୁଷ୍ଟ ନାହାନ୍ତି ଓ ଭୁବନେଶ୍ଵରରେ ଜାଗା ପୁରଷ୍କାର ସ୍ୱରୂପ ମାଗିଛନ୍ତି।

ସରକାରଙ୍କର ପୁରସ୍କାର ରାଶିକୁ ନେଇ ଦୂତୀ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି , "ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ମାତ୍ର ଦେଢ କୋଟି ପୁରସ୍କାର ରାଶିରେ ସନ୍ତୁଷ୍ଟ ନୁହେଁ, କାରଣ ଅନ୍ୟ ରାଜ୍ୟର ପଦକ ବିଜେତାଙ୍କୁ ଅଧିକ ଅର୍ଥ ପୁରସ୍କାର ମିଳୁଛି। ଭୁବନେଶ୍ଵରରେ ଜାଗା କିମ୍ବା ଘର ଖଣ୍ଡେ ଦେଲେ ଖୁସି ହେବି।"

ଇଣ୍ଡୋନେସିଆ ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡା 2018 ପ୍ରତିଯୋଗୀତାରେ ରବିବାର 100 ମିଟର ଦୂରତାକୁ ମାତ୍ର 11.32 ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ରୌପ୍ୟ ହାସଲ କରିପାରିଛନ୍ତି। ଚାରିବର୍ଷ ପରେ ଅନ୍ତର୍ଜାତିକ ଇଭେଣ୍ଟକୁ ଫେରିଥିବା ଦୂତୀ ଖୁବ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଦୂତୀଙ୍କ ପୂର୍ବରୁ ନବେ ଦଶକରେ ଭାରତୀୟ କ୍ରିକେଟ ଦଳରେ କିଛି ଦିନ ପାଇଁ ସାମିଲ ହେଇଥିବା ଦେବାଶିଷ ମହାନ୍ତିଙ୍କୁ ଓଡିଶା ସରକାର ମଧ୍ୟ ଅନେକ ପୁରସ୍କାର ଓ ଜାଗା ପ୍ରଦାନ କରିବା ନେଇ ଘୋଷଣା କରିଥିଲେ ।

ଦୀର୍ଘ 20ବର୍ଷ ପରେ ଓଡିଆ ଧାବିକା ଦୂତୀ ଚାନ୍ଦ 100ମିଟର ଦୌଡରେ ଭାରତକୁ ପଦକ ଆଣିଦେଇଛନ୍ତି । ପୂର୍ବରୁ 1998 ଏସୀୟ କ୍ରୀଡା ପ୍ରତିଯୋଗୀତାରେ ଭାରତ ବ୍ରୋଞ୍ଚ ପଦକ ହାସଲ କରିଥିଲା। ଓଡିଶାର ପୂର୍ବତ୍ତନ ଧାବିକା ରଚିତା ପଣ୍ଡା ଭାରତ ପାଇଁ ଏହି ସଫଳତା ଆଣିଥିଲେ।

ଏସୀୟ କ୍ରୀଡା 2018 ପ୍ରତିଯୋଗୀତାରେ ପ୍ରଥମ ଓଡିଆ ଆଥଲେଟ ଭାବେ ଦୂତୀ ଭାରତ ପାଇଁ ପଦକ ଜିତିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ମିଳିଛି। ଏହା ହେଉଛି ଦୂତୀଙ୍କ ପ୍ରଥମ ଏସିଆଡ ପଦାର୍ପଣ। ଦୂତୀଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଓଡିଶା ଆଥଲେଟିକ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଦୂତୀଙ୍କୁ ଓଡିଶା ଆଥଲେଟିକ ଆସୋସିଏସନ ତରଫରୁ ପଚାଶ ହଜାର ପୁରଷ୍କାର ରାଶି ଘୋଷଣା କରାଯାଇଛି।

#currentnews #duteechand

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon