• ବେତାର ବ୍ୟୁରୋ

ସମସ୍ତ ଦେୟ ପାଇଁ ଗୋଟିଏ କାର୍ଡ :ସେପ୍ଟେମ୍ବରରେ ଆରମ୍ଭ ହେବ କମନ ପେମେଣ୍ଟ କାର୍ଡ


ଭୁବନେଶ୍ଵର ସ୍ମାର୍ଟ ସିଟି ଯୋଜନାର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ‘କମନ ପେମେଣ୍ଟ କାର୍ଡ’ ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହା ମାଧ୍ୟମରେ ରାଜଧାନୀରେ ସମସ୍ତ ଦେୟ ପାଇଁ ଗୋଟିଏ କାର୍ଡର ବ୍ୟବହାର କରାଯିବ। 

ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଉଦ୍‌ଘାଟନ କରିବେ ବୋଲି ସ୍ଥିର ହୋଇଛି। ଆସନ୍ତା ସେପ୍ଟେମ୍ବର ୧୫ ପୂର୍ବରୁ ଏହି କମନ୍‌ ପେମେଣ୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କମନ ପେମେଣ୍ଟ କାର୍ଡ ସାହାଯ୍ୟରେ ବିଏମ୍‌ସିର ହୋଲଡିଂ ଟିକସ, ୟୁଜର୍ସ ଫି’, ଟ୍ରେଡ୍‌ ଲାଇସେନ୍ସ ଫି’, ବିଏମ୍‌ସି କଲ୍ୟାଣ ମଣ୍ଡପ ବୁକିଂ, ସିଟି ବସ୍‌ ଟିକେଟ, ପାର୍କିଂ ଫି’, ଜଳ କର, ବିଦ୍ୟୁତ ବିଲ୍‌ ଏବଂ ବିଏମ୍‌ସି ଓ ବିଡିଏର ସମସ୍ତ ସେବା ଭଳି ୧୦ଟି ସେବାପାଇଁ ଦେୟ ପଇଠ କରିପାରିବେ। ଏହି ସେବା ଗୁଡିକ ଉପଲବ୍ଧ ହେଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ୱାଇପ୍‌ ମେସିନ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯିବା ସହିତ ବିଭିନ୍ନ ପାର୍କିଂ ସ୍ଥଳରେ ମଧ୍ୟ ସ୍ୱାଇପ୍‌ ମେସିନ୍‌ ରହିବ। ଏଥିପାଇଁ ଏବେ କାର୍ଡ ପ୍ରିଣ୍ଟିଂ କାର୍ଯ୍ୟ ଶେଷ ହୋଇଛି ବୋଲି ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କ୍ୟାଶବ୍ୟାକ ସୁବିଧା

ଏହି କାର୍ଡ ଆଇସିଆଇସିଆଇ ବ୍ୟାଙ୍କ ଯୋଗାଇବାକୁ ଥିବା ବେଳେ ପ୍ରତ୍ୟେକ ଦେୟ ଉପରେ ୧.୪୫% ଫି’ ନେବାକୁ ଟେଣ୍ଡର ପାଇଛି। ସାଧାରଣ ଲୋକମାନେ ଏହି କାର୍ଡକୁ 50ଟଙ୍କା ଦେଇ କିଣିପାରିବେ। ଏହାପରେ ଯେଉଁ ଅନୁସାରେ କାର୍ଡକୁ ରିଚାର୍ଜ କରିବେ ସେହି ଅନୁସାରେ ଏହାକୁ ବ୍ୟବହାର କରିପାରିବେ। ମୋବାଇଲ ବ୍ୟାଙ୍କିଙ୍ଗ ଓ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଏହାକୁ ରିଚାର୍ଜ କରିହେବ।

ଲୋକମାନେ ଯେପରି ସୁବିଧାରେ କାର୍ଡ ପାଇପାରିବେ, ସୁବିଧାରେ ରିଚାର୍ଜ କରିପାରିବେ, ସେଥିପାଇଁ ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ 50ଟି ପଏଣ୍ଟ ଅଫ ସେଲ ଖୋଲାଯିବ ଓ ପରବର୍ତ୍ତୀ ସମୟରେ ଏହାକୁ 250କୁ ବୃଦ୍ଧି କରାଯିବ।

ପ୍ରଥମ ପର୍ଯ୍ୟାୟରେ ଏହାକୁ ଲୋକପ୍ରିୟ କରିବା ପାଇଁ ଗ୍ରାହକଙ୍କୁ କ୍ୟାଶବ୍ୟାକ ଓ ପାର୍କିଙ୍ଗ ସ୍ଥାନରେ ଡିଶକାଉଣ୍ଟ ମଧ୍ୟ ଉପଲବ୍ଧ କରାଯିବ। ପରବର୍ତ୍ତୀ ସମୟରେ ରାଜଧାନୀର ସମସ୍ତ ଦୋକାନ, ସପିଂ ମଲ୍‌, ସିନେମା ହଲ୍‌, ପେଟ୍ରୋଲ ପମ୍ପ୍‌, ରେଷ୍ଟୁରାଣ୍ଟରେ ଏହି କାର୍ଡର ବ୍ୟବହାର ହୋଇପାରିବ। କେବଳ ଏତିକି ନୁହେଁ, ଏହା ମାଧ୍ୟମରେ ଇଣ୍ଟରନେଟ୍‌ ବ୍ୟାଙ୍କିଂ, ମୋବାଇଲ୍‌ ବ୍ୟାଙ୍କିଂ, କ୍ଵାର୍‌ କୋଡ୍‌ରେ ନେଣଦେଣ, ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌, ଆଧାର ସହାୟତାରେ ପେମେଣ୍ଟ ବ୍ୟବସ୍ଥା ଉପଲବ୍ଧ ହୋଇପାରିବ।

#smartcity #bhubaneswar #commonpaymentcard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon