- padmabati kund
ଏବେଠୁ ପ୍ରି-ସ୍କୁଲରେ ପାଠ ପଢାଇବେ କେବଳ ତାଲିମପ୍ରାପ୍ତ ଶିକ୍ଷକ

ପ୍ରି-ସ୍କୁଲରେ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା କରାଯାଉଛି। ଯଦି ସବୁ କିଛି ଠିକ ଚାଲେ ତେବେ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ନିୟମକୁ ସାରା ଦେଶରେ ଲାଗୁ କରିବାକୁ ମନ୍ତ୍ରଣାଳୟ ତରଫରୁ ନିର୍ଦ୍ଦେଶ ଜାରି କରାଯିବ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପ୍ରି-ସ୍କୁଲରେ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତ କରିବାକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆସିଛି। ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେଶନ (ସିଟି ଟ୍ରେନିଂ) ତାଲିମ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ପ୍ରି-ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଇ ପାରିବେ। ସେମାନେ ବର୍ତ୍ତମାନ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେଶନ ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଉଛନ୍ତି।
ଶିକ୍ଷାବିତ ପ୍ରିତିଶ ଆଚାର୍ଯ୍ୟଙ୍କ ମତରେ ପ୍ରି-ସ୍କୁଲ ପାଇଁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ବହୁତ ରହିଛି। କାରଣ ତାଲିମପ୍ରାପ୍ତ ଶିକ୍ଷକମାନେ କୋମଳମତି ଶିଶୁଙ୍କର ଖେଳକୁଦ ସହିତ ପାଠପଢା ଉପରେ ଗୁରୁତ୍ଵ ଦେଇପାରିବେ।
ପୂର୍ବରୁ ପ୍ରି-ସ୍କୁଲ ଗୁଡିକ ପରିଚାଳନା ନେଇ ଓଡିଶା ସରକାର ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଓଡିଶାରେ ଅଙ୍ଗନୱାଡି ମାଧ୍ୟମରେ ସରକାରୀ ପ୍ରି-ସ୍କୁଲ ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଉଛି। କିନ୍ତୁ ଘରୋଇ ପ୍ରି-ସ୍କୁଲ ପରିଚାଳନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଛଅ ମାସ ତଳେ ପ୍ରି-ସ୍କୁଲର ପରିଚାଳନା ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରଯାଇଥିଲା। ଏହି ଡ୍ରାଫ୍ଟରେ ସ୍କୁଲର ପରିଚାଳନା କିପରି ହେବେ, କେତେ ଯୋଗ୍ୟତା ଥିବା ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ହେବେ, ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ଓ ପିଲାଙ୍କ ପାଠପଢା ଏବଂ ଖେଳକୁଦ ପାଇଁ ଶ୍ରେଣୀ କକ୍ଷ ଗୁଡିକ କିଭଳି ହେବ ଏନେଇ ଉଲ୍ଲେଖ କଡ଼ାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗର ଚୁଡାନ୍ତ ମୋହର ଲାଗିପାରିନଥିବାରୁ ଏହା ଲାଗୁ ହେବାରେ ବିଳମ୍ବ ହେଉଛି।
ବର୍ତ୍ତମାନ ରାଜ୍ୟରେ ଥିବା ଘରୋଇ ପ୍ରି-ସ୍କୁଲର ସଂଖ୍ୟା ବିଷୟରେ ତଥ୍ୟ କିଛି ନାହିଁ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ କେବଳ ଅଙ୍ଗନୱାଡି ପରିଚାଳନା କରୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମଧ୍ୟ ଏବିଷୟରେ କିଛି ତଥ୍ୟ ରଖାଯାଉନାହିଁ। ତେବେ ଏହି ଆଇନ ଲାଗୁ ହେବା ପରେ ସରକାରୀ ଓ ଘରୋଇ ପ୍ରି-ସ୍କୁଲ ଉପରେ ଲଗାମ ଲାଗିବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।