- padmabati kund
ପଢନ୍ତୁ : ବର୍ଷାଦିନରେ ଶିଶୁ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପାଞ୍ଚ ଉପକାରୀ ଟିପ୍ସ

ବର୍ଷାଋତୁ ଆସିବା ସହିତ ଅନେକ ପ୍ରକାର ରୋଗକୁ ମଧ୍ୟ ସାଙ୍ଗରେ ଧରି ଆସିଥାଏ। ଏହି ସମୟରେ ଯଦି ଆପଣ ଅସୁସ୍ଥ ହୁଅନ୍ତି ତେବେ ନିଜର ଯତ୍ନ ନେଇପାରିବେ କିନ୍ତୁ ଯଦି ବର୍ଷାଋତୁରେ ଆପଣଙ୍କ ଶିଶୁ ଶରୀରରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ତେବେ ଶିଶୁଙ୍କର ଯତ୍ନ ନେବା ବହୁତ କଷ୍ଟକର ହୋଇଥାଏ। ତେଣୁ ନୂଆ ଜନ୍ମ ହୋଇଥିବା ଶିଶୁଙ୍କର ଏହି ସମୟରେ ବିଶେଷ ଧ୍ୟାନ ନେବାକୁ ପଡିଥାଏ।
ଆସନ୍ତୁ ଜାଣିବା ବର୍ଷାଦିନରେ ଆପଣଙ୍କର ଶିଶୁଙ୍କୁ ରୋଗଜୀବାଣୁ ଠାରୁ ଦୂରେଇ ରଖିବା ପାଇଁ ଯତ୍ନ କିପରି ନେବେ।
୧. ଶିଶୁଙ୍କୁ ସପ୍ତାହକୁ ୨-୩ଥର ଗାଧାନ୍ତୁ : ବର୍ଷାଦିନରେ ପାଣି ମାଧ୍ୟମରେ ଅନେକ ପ୍ରକାର ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ କାରଣ ଅଧିକାଂଶ ପାଣି ବ୍ୟାକ୍ଟେରିଆ ଯୁକ୍ତ ହୋଇଥାଏ। ତେଣୁ ଶିଶୁଙ୍କୁ ସପ୍ତାହକୁ ଦୁଇ-ତିନି ଥର ଗାଧୋଇ ଦିଅନ୍ତୁ। ବେଳେବେଳେ ଏହି ସମୟରେ ଶିଶୁମାନଙ୍କ ଦେହରେ ଅଧିକ ଝାଳ ବୋହିଥାଏ। ଏଥିପାଇଁ ଆଣ୍ଟିସେଫଟିକ ସାବୁନ ସହିତ ସାମାନ୍ୟ ପାଣିରେ ଶିଶୁର ଶରୀରକୁ ସଫା ରଖନ୍ତୁ।
୨. ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ : ବର୍ଷାଦିନରେ ଶିଶୁମାନଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। କାରଣ ଏହାଦ୍ୱାରା ପେଟ ସଙ୍କ୍ରାନ୍ତୀୟ ରୋଗ ଦେଖାଯାଇଥାଏ। ଯଦି ଆପଣଙ୍କର ଶିଶୁ ୬ମାସରୁ କମ ହୋଇଥାଏ ତେବେ ଶିଶୁକୁ କେବଳ ମା’ର କ୍ଷୀର ପିଇବାକୁ ଦିଅନ୍ତୁ। ୬ମାସରୁ ଉର୍ଦ୍ଧ୍ଵ ଶିଶୁଙ୍କ ପାଇଁ ଖାଦ୍ୟ ଫୁଟା ପାଣିରେ ପ୍ରସ୍ତୁତ କରନ୍ତୁ ଓ ଶିଶୁକୁ ସବୁବେଳେ ଫୁଟା ପାଣି ପିଇବାକୁ ଦିଅନ୍ତୁ।
୩. ପାଗ ଅନୁସାରେ ପୋଷାକ ପିନ୍ଧାନ୍ତୁ: ବର୍ଷାଦିନରେ ଅନେକ ସମୟରେ ପାଣିପାଗରେ ପରିବର୍ତ୍ତନ ଦେଖାଯାଇଥାଏ। କେତେବେଳେ ବର୍ଷା ହୋଇଥାଏ ତ କେତେବେଳେ ଖରା ହୋଇଥାଏ। ତେଣୁ ପାଣିପାଗ ଅନୁସାରେ ଶିଶୁଙ୍କୁ ପୋଷାକ ପିନ୍ଧାଇବେ। ଯଦି ପାଣିପାଗ ଥଣ୍ଡା ଥାଏ ତେବେ ଶିଶୁଙ୍କୁ ଗରମ କପଡା ପିନ୍ଧାନ୍ତୁ।
୪.ତେଲ ମାଲିସ କରନ୍ତୁ : ଶିଶୁଙ୍କ ଶରୀରରେ ତେଲ ମାଲିସ କରିବା ଦ୍ଵାରା ଅଙ୍ଗ ଗୁଡିକ ମଜଭୁତ ହୋଇଥାଏ। ତେଣୁ ନିୟମିତ ଭାବରେ ଶିଶୁଙ୍କୁ ତେଲ ମାଲିସ କରନ୍ତୁ, କିମ୍ବା ସପ୍ତାହକୁ ୨-୩ଥର ତେଲ ମାଲିସ କରିପାରିବେ।
୫. ମଶା ଠାରୁ ରକ୍ଷା କରନ୍ତୁ : ବର୍ଷାଦିନରେ ମଶାମାନଙ୍କର ଉପଦ୍ରବ ଅଧିକ ରହିଥାଏ। ତେଣୁ ଶିଶୁଙ୍କୁ ମଶାଙ୍କ ଠାରୁ ରକ୍ଷା କରିବାକୁ ପଡିବ । ଏଥିପାଇଁ ଶିଶୁଙ୍କୁ ଶୁଏଇବା ସମୟରେ ମଶାରୀ ମଧ୍ୟରେ ହିଁ ଶୁଆନ୍ତୁ। ଶିଶୁର ଶରୀରକୁ ସଂପୂର୍ଣ୍ଣ ଘୋଡାଉଥିବା ପରି ପୋଷାକ ପିନ୍ଧାନ୍ତୁ। କିନ୍ତୁ ଶିଶୁର କକ୍ଷରେ କୌଣସି କୀଟନାଶକର ପ୍ରୟୋଗ କରନ୍ତୁ ନାହିଁ।