• ବେତାର ବ୍ୟୁରୋ

ଅକ୍ଟୋବର ମାସ ଭିତରେ ସରିବ ଭୁବନେଶ୍ୱର ସିଟି ୱାଇ-ଫାଇ ପ୍ରକଳ୍ପ


ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ସିଟି ୱାଇ-ଫାଇ ବ୍ୟବସ୍ଥା। ହକି ବିଶ୍ଵକପକୁ ଆଖି ଆଗରେ ରଖି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ କାମ ଚାଲୁଅଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ସହରର 70ଟି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଲୋକମାନେ ଏହି ୱାଇ-ଫାଇ ସେବାକୁ ବ୍ୟବହାର କରିପାରିବେ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସେବା ଲୋକମାନଙ୍କ ପାଇଁ ଦେୟଯୁକ୍ତ ହେବ, କିନ୍ତୁ ହକି ବିଶ୍ଵକପ ଯୋଗୁଁ କିଛିଦିନ ପାଇଁ ଏହି ସେବା ଲୋକମାନଙ୍କୁ ମାଗଣାରେ ଯୋଗାଇ ଦେବାର ସମ୍ଭାବନା ରହିଛି।

ଏହି ୱାଇ-ଫାଇ ପ୍ରକଳ୍ପ ସ୍ମାର୍ଟ ସିଟି ମିଶନର ପ୍ରକଳ୍ପ ଗୁଡିକ ମଧ୍ୟରୁ ଏକ ପ୍ରକଳ୍ପ ଅଟେ। ଏହି ସ୍ମାର୍ଟସିଟି ମିଶନ ଅଧୀନରେ ଭୁବନେଶ୍ଵରରେ 650ଟି ସ୍ଥାନରେ ୱାଇ-ଫାଇ ସେବା ଯୋଗାଇବା ପାଇଁ ଯୋଜନା ରହିଛି।

ଏଥିପାଇଁ ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ନାମରେ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି।

ସହରରେ ୱାଇ-ଫାଇ ସେବା ପାଇଁ 1800ଟି ଆକ୍ସେସ ପଏଣ୍ଟ ସହିତ କଣ୍ଟ୍ରୋଲର ସ୍ଥାପନ କରାଯିବ। ଜନସାଧାରଣଙ୍କୁ ମାଗଣାରେ ଦୈନିକ 30ମିନିଟ କିମ୍ବା 50ଏମବି ଡାଟା ବ୍ୟବହାର କରିବାକୁ ମିଳିବ। ଏହି 50ଏମବି ଡାଟାକୁ 2ଏମବିପିଏସ ସ୍ପିଡରେ ବ୍ୟବହାର କରିପାରିବେ। ଏହି ସେବା ଯଦିଓ ଯଥେଷ୍ଟ ନୁହେଁ, ତେବେ ମେଲ ଚେକ କରିବା କିମ୍ବା ଫେସବୁକ ଦେଖିବା ପାଇଁ ଏହା ଉପଯୋଗୀ ହେଇପାରେ।

ସେହିପରି ବିଭିନ୍ନ ୱାଇ-ଫାଇ ସେବା ପାଇଁ କିଓସ୍କ ମାଧ୍ୟମରେ କୁପନର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସହରରେ 70ଟି ସ୍ଥାନରେ ଏହି ୱାଇ-ଫାଇ ସୁବିଧା ମିଳିବ ଓ ଏଥିପାଇଁ 300ଟି ଆକ୍ସେସ ପଏଣ୍ଟ ରହିବ।

ଅକ୍ଟୋବର ମାସ ଶେଷ ସୁଦ୍ଧା କାମ ଶେଷ ହୋଇ ଏହି ସେବା ଆରମ୍ଭ ହେବ। ପ୍ରଥମେ କଳିଙ୍ଗ ନଗର ଷ୍ଟାଡିୟମ, ଜୟଦେବ ବିହାର, ସହିଦ ନଗର, ପୁରୁଣା ଭୁବନେଶ୍ଵର, ଆଇଆରସି ଭିଲେଜ, ମାଷ୍ଟର କ୍ୟାଣ୍ଟିନ, ଖାରବେଳ ନଗର, ଅଶୋକ ନଗର, ରାଜମହଲ ଛକ, ୟୁନିଟ-1, ୟୁନିଟ-2 ଓ ବିମାନ ବନ୍ଦର ଅଞ୍ଚଳରେ ୱାଇ-ଫାଇ ଇଣ୍ଟରନେଟ ଉପଲବ୍ଧ କରାଯିବ। ପରବର୍ତ୍ତୀ ସମୟରେ ସହରର ଅନ୍ୟସ୍ଥାନକୁ ଏହା ସମ୍ପ୍ରସାରିତ କରାଯିବ।

କର୍ତ୍ତୃପକ୍ଷଙ୍କ କହିବ ଅନୁଯାୟୀ, ୱାଇ-ଫାଇ ସେବା ପାଇଁ ଲୋକମାନଙ୍କୁ କେତେ ଟଙ୍କା ଦେବାକୁ ପଡିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଦୁଇବର୍ଷ ପୂର୍ବେ ପାଇଲଟ ପ୍ରକଳ୍ପ ଭାବେ ରାଜ୍ୟସରକାରଙ୍କ ତରଫରୁ ଭୁବନେଶ୍ଵରରେ ପାଞ୍ଚଟି ସ୍ଥାନରେ ମାଗଣା ୱାଇ-ଫାଇ ସେବା ଆରମ୍ଭ ହୋଇଥିଲା। ସ୍ମାର୍ଟସିଟି ମିଶନରେ ୱାଇ-ଫାଇ ପ୍ରକଳ୍ପ ସାମିଲ ହେବା ପରେ ପୁରୁଣା ପ୍ରକଳ୍ପକୁ ଏଥିରେ ମିଶ୍ରଣ କରାଯାଇଛି।

ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଯୋଜନା କ୍ରମେ ଭୁବନେଶ୍ବର ରେଳ ଷ୍ଟେସନରେ ମାଗଣାରେ ୱାଇ-ଫାଇ ସେବା ମିଳୁଛି।

#smartcity #bhubaneswar #wifi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon