- ବେତାର ବ୍ୟୁରୋ
ଆହୁରି ଦୁଇଦିନ ଲାଗିରହିବ ବର୍ଷା : 21 ଜିଲ୍ଲାକୁ ସତର୍କ ସୂଚନା

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରୁ ଉତ୍ତର-ପୂର୍ବ ଦିଗକୁ ଜାରି ରହିଥିବା ମୌସୁମୀ ପ୍ରଭାବରେ ଉତ୍ତର ଓଡିଶା ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗି ରହିଛି। ଏହି ବର୍ଷା ଓଡିଶାରେ ଆହୁରି ଦୁଇଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ସ୍କାଏ ମେଟ ୱେଦର ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ମାତ୍ର 4କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଉତ୍ତର, ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏନେଇ ରାଜ୍ୟରେ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଗଞ୍ଜାମ, ନୟାଗଡ, ଜଗତସିଂହପୁର, ବୌଦ୍ଧ, ସୋନପୁର, ସୁନ୍ଦରଗଡ, କେନ୍ଦ୍ରାପଡା, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି।
ଏହି ରାଜ୍ୟ ଗୁଡିକରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବର୍ଷା ସହିତ ଖୁବ ଜୋରରେ ପବନ ବହିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ତେବେ ଗତ 24 ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ବର୍ଷା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ଵରରେ 73.9 ମିଲିମିଟର ବର୍ଷା, ପାରାଦୀପରେ 88.2 ମିଲିମିଟର, ଚାନ୍ଦବାଲିରେ 64.2 ମିଲିମିଟର, କଟକରେ 35.2 ମିଲିମିଟର, ଅନୁଗୁଳରେ 17.6 ମିଲିମିଟର, ବାଲେଶ୍ଵରରେ 25.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।