• ବେତାର ବ୍ୟୁରୋ

ରାଜ୍ୟ ସରକାର ନିଯୁକ୍ତ କରିବେ  500 ସେକ୍ସନ ଅଫିସର : ଜାଣନ୍ତୁ ପରୀକ୍ଷା ପଦ୍ଧତି


ରାଜ୍ୟ ସଚ୍ଚିବାଳୟରେ 500 ଆସିଷ୍ଟାଣ୍ଟ ସେକ୍ରେଟେରିଏଟ ପଦରେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରକ୍ରିୟାର ସମସ୍ତ ଭାର ଓଡିଶା ପବ୍ଲିକ ସର୍ଭିସ କମିଶନ ଉପରେ ନ୍ୟସ୍ତ କରିଛନ୍ତି।

ଏହି ନିଯୁକ୍ତି ପ୍ରକ୍ରିୟା 2018 ମଧ୍ୟରେ ହିଁ ସଂପୂର୍ଣ୍ଣ କରାଯିବ ଓ ଏହାଦ୍ୱାରା ରାଜ୍ୟ ସଚ୍ଚିବାଳୟରେ ଖାଲି ପଡିଥିବା ବିଭିନ୍ନ ପଦବୀ ଗୁଡିକ ପୂର୍ଣ୍ଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପଦବୀ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାସ କରିବା ସହିତ କମ୍ପ୍ୟୁଟର ଆପ୍ଲିକେଶନରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।

ପ୍ରକାଶ ପାଇଥିବା ମୋଟ 500ଟି ପଦବୀ ମଧ୍ୟରୁ ଅନୁସୂଚିତ ଜାତି, ଜନଜାତି, ଓ.ବି.ସି, ମହିଳା ପ୍ରାର୍ଥୀ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ଥାନ ସଂରକ୍ଷିତ କରାଯିବ। ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 75ଟି ପଦ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତିର ମହିଳା ପ୍ରାର୍ଥୀଙ୍କ ପାଇଁ 25 ପଦବୀ ସଂରକ୍ଷିତ ରହିଛି। ସେହିପରି ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 72ଟି ପଦବୀ (24 ମହିଳା ପ୍ରାର୍ଥୀ), ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 20ଟି ପଦବୀ (6 ମହିଳା ପ୍ରାର୍ଥୀ) ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ 15ଟି ପଦବୀ ସଂରକ୍ଷିତ ରହିବ।

ଏହାସହିତ ଆବେଦନ ପାଇଁ ସର୍ବାଧିକ ବୟସସୀମାରେ ମଧ୍ୟ ଅନୁସୂଚିତ ଜାତି ,ଜନଜାତି, ଓ.ବି.ସି, ମହିଳା ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ 5ବର୍ଷ କୋହଳ କରାଯିବ ଓ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ପରୀକ୍ଷାର ବିଷୟବସ୍ତୁ

ଏହି ନିଯୁକ୍ତି ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ହେବାକୁ ଥିବା ପରୀକ୍ଷାରେ ବିଷୟବସ୍ତୁକୁ ଚଳିତ ବର୍ଷ ଠାରୁ ପରିବର୍ତ୍ତନ କରାଯିବ। ଓଡିଆ ଭାଷାକୁ ଅଧିକ ସରକାରୀ ନିଯୁକ୍ତି ପରୀକ୍ଷାରେ ବାଧ୍ୟତାମୂଳକ ଭାବେ ନିଆଯିବ।

ପରୀକ୍ଷାର୍ଥୀମାନେ ମୋଟ ଚାରିଟି ପେପରରେ ପରୀକ୍ଷା ଦେବେ। ପେପର-1ରେ 100ମାର୍କର ଜେନେରାଲ ଆୱାରନେସର ପରୀକ୍ଷା ଦେବେ ଓ ଏଥିପାଇଁ ମୋଟ 1ଘଣ୍ଟା 30 ମିନିଟ ସମୟ ମିଳିବ। ପେପର-2ରେ ରିଜିନିଙ୍ଗ ଓ ମେଣ୍ଟାଲ ଆବିଲିଟି (50ମାର୍କ) ଓ ଗଣିତ (50ମାର୍କ) ପାଇଁ 1 ଘଣ୍ଟା 30ମିନିଟ ସମୟ ଦିଆଯିବ। ପେପର-3ରେ ଇଂରାଜୀ (100 ମାର୍କ) ଓ ଓଡିଆ (100  ମାର୍କ) ପାଇଁ 2ଘଣ୍ଟା ସମୟ ମିଳିବ।

ଲିଖିତ ପରୀକ୍ଷାରେ ପାସ କରିଥିବା ପ୍ରାର୍ଥୀଙ୍କୁ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ। ପେପର-4 ଦକ୍ଷତା ପରୀକ୍ଷାରେ କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା (50 ମାର୍କ ) ହେବ ଓ ଏଥିପାଇଁ ପ୍ରାର୍ଥୀଙ୍କୁ 1ଘଣ୍ଟା ସମୟ ଦିଆଯିବ।

#jobs #odishagovernmen

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon