- ବେତାର ବ୍ୟୁରୋ
ଇଣ୍ଡିଗୋ ଦେଉଛି ଟ.999ରେ ବିମାନ ଯାତ୍ରା କରିବାର ସୁଯୋଗ

ଯଦି ଆପଣ ବିଦେଶକୁ ବୁଲିଯିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ତେବେ ଦେଶର ସବୁଠାରୁ ବଡ ବିମାନ କମ୍ପାନୀ ଇଣ୍ଡିଗୋ ଆଣିଛି ଏକ ନୂଆ ଅଫର। ଏହି ଅଫରରେ ଆପଣ ଟ୍ରେନ ଯାତ୍ରା ଠାରୁ କମ ମୂଲ୍ୟରେ ବିମାନରେ ଯାତ୍ରା କରିପାରିବେ। ଇଣ୍ଡିଗୋ ତରଫରୁ ଏହାର 10ଲକ୍ଷ ସିଟ ପାଇଁ ସେଲ ଆରମ୍ଭ ହୋଇଯାଇଛି। ଏହି ସେଲରେ ପ୍ରତ୍ୟେକ ଟିକେଟର ମୂଲ୍ୟ ଟ.999ରୁ ଆରମ୍ଭ ହେବ। ତେବେ କମ୍ପାନୀ ତରଫରୁ ଆରମ୍ଭ ହୋଇଥିବା ଏହି ସେଲ ସିମୀତ ସମୟ ପାଇଁ ଅଟେ।
ଇଣ୍ଡିଗୋର ଏହି ସେଲ ସୋମବାରଠାରୁ (ସେପ୍ଟେମ୍ବର 3)ଆରମ୍ଭ ହୋଇଛି ଓ ଏହା ଚାରିଦିନ ପର୍ଯ୍ୟନ୍ତ ଅର୍ଥାତ ସେପ୍ଟେମ୍ବର 6 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମୋବାଇଲ ୱାଲେଟ ମୋବିକ୍ଵିକ ମାଧ୍ୟମରେ ଟିକଟର ମୂଲ୍ୟ ପଇଠ କଲେ ଗ୍ରାହକଙ୍କୁ 20 ପ୍ରତିଶତ କ୍ୟାଶବ୍ୟାକ ମଧ୍ୟ ଦେବ। ଏହି କ୍ୟାଶବ୍ୟାକ ଟ.600 ପର୍ଯ୍ୟନ୍ତ ରହିବ।
ଏହି ସମୟ ମଧ୍ୟରେ ଟିକେଟ ବୁକ କରିଥିବା ଯାତ୍ରୀମାନେ ସେପ୍ଟେମ୍ବର 18 ତାରିଖ, 2018ରୁ ମାର୍ଚ୍ଚ 30 ତାରିଖ, 2019 ମଧ୍ୟରେ ଯାତ୍ରା କରିପାରିବେ। ତେବେ ଏହି ଅଫର ବିମାନବନ୍ଦରରେ ଦିଆଯାଉଥିବା ଚାର୍ଜ ଓ ସରକାରୀ ଟ୍ୟାକ୍ସ/ଜିଏସଟି ଉପରେ ଲାଗୁ ହେବ ନାହିଁ।
ଏହି ଅଫର କେବଳ ଇଣ୍ଡିଗୋର ଘରୋଇ ଓ ଆନ୍ତର୍ଜାତୀୟ ନେଟୱାର୍କ ମଧ୍ୟରେ ଚାଲୁଥିବା ନନ-ଷ୍ଟପ ଫ୍ଲାଇଟ ବୁକିଙ୍ଗରେ ଉପଲବ୍ଧ ହୋଇପାରିବ। ସେହିପରି ଗ୍ରାହକମାନେ କେବଳ ଏକପାଖିଆ ଯାତ୍ରା ପାଇଁ (କେବଳ ଯିବା ବା କେବଳ ଆସିବା) ଏହି ଅଫରର ସୁବିଧା ନେଇପାରିବେ। ଏହି ଅଫର କୌଣସି ଗ୍ରୁପ ବୁକିଙ୍ଗ ପାଇଁ ଉପଲବ୍ଧ ହୋଇପାରିବ ନାହିଁ।
ଏହି ସେଲକୁ ନେଇ କମ୍ପାନୀର ମୁଖ୍ୟ ବାଣିଜ୍ୟ ଅଧିକାରୀ ୱିଲିୟମ ବୋଲ୍ଟର କହିଛନ୍ତି ଯେ, “ କମ୍ପାନୀ ତରଫରୁ 4ଦିନ ପାଇଁ ଏହି ଅଫର ରଖାଯାଇଛି। ଏଥିରେ ଗ୍ରାହକ ଆମର ନେଟୱାର୍କ ମଧ୍ୟରେ ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ। ଏହାର ମୂଲ୍ୟ ଟ.999ରୁ ଆରମ୍ଭ ହେବ।“
ପୂର୍ବରୁ ମଧ୍ୟ ଜୁଲାଇ ମାସରେ କମ୍ପାନୀ ତରଫରୁ 12ଲକ୍ଷ ସିଟ ପାଇଁ ସେଲ ହୋଇଥିଲା ଓ ଏଥିରେ ଗୋଟିଏ ସିଟର ମୂଲ୍ୟ ଟ.1,212ରୁ ଆରମ୍ଭ ହୋଇଥିଲା।