- padmabati kund
ଫେସବୁକର ଫିଚର : ହୋଇପାରିବ ପ୍ରତିଟି ଭାଷାର ଅନୁବାଦ

ଗବେଷକମାନେ ବର୍ତ୍ତମାନ ଫେସବୁକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଅଲଗା ଅଲଗା ଭାଷାକୁ ସରଳ ଓ ସଠିକ ଭାବରେ ଅନୁବାଦ କରିବାକୁ ଏକ ଫିଚର ବିକଶିତ କରିଛନ୍ତି। ଏହାଦ୍ୱାରା ଉର୍ଦ୍ଦୁ ଓ ବର୍ମା ପରି ଦେଶର ଭାଷାର ସଠିକ ଓ ସରଳ ଅନୁବାଦ ହୋଇପାରିବ।
ସମ୍ପ୍ରତି ଫେସବୁକରେ ଥିବା ଅନୁବାଦ ପ୍ରଣାଳୀରେ ସ୍ପେନ, ଇଟାଲୀ ଦେଶର ଭାଷା ପରି ଅଳ୍ପ କିଛି ଭାଷା ଠିକ ଭାବେ ଅନୁଦିତ ହେଇପାରୁଛି। ମାତ୍ର ଅନେକ ଏସୀୟ ତଥା ଭାରତୀୟ ଭାଷା ଓ ଡ଼ାହାଣରୁ ବାମକୁ ଲେଖାଯାଉଥିବା ଉର୍ଦ୍ଦୁ ଭଳି ଭାଷାର ସଠିକ ଅନୁବାଦ ହେଇପାରୁ ନ ଥିଲା।
ଫୋବର୍ସ ରିପୋର୍ଟ ଅନୁଯାୟୀ, ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାରକୁ ‘ଇମ୍ପେରିଆଲ ମେଥଡ୍ସ ଇନ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଙ୍ଗ’ (EMNLP)ରେ ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସମୟରେ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ସାରା ଦୁନିଆରେ ବ୍ୟବହାରକାରୀଙ୍କୁ ତାଙ୍କର ନିଜ ଭାଷାରେ ପୋଷ୍ଟ କରିବା ଓ ପୋଷ୍ଟ ପଢିବା ପାଇଁ ‘ଅଟୋମାଟିକ ଲାଙ୍ଗୁଏଜ ଟ୍ରାନ୍ସଲେଟର’ର ବ୍ୟବହାର କରୁଛି। ଏଥିଲାଗି ଫେସବୁକ ପାଇଁ ଏହି ଆବିଷ୍କାର ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।
ବର୍ତ୍ତମାନ ସମୟରେ ଯାନ୍ତ୍ରିକ ଉପାୟରେ ହେଉଥିବା ଅନୁବାଦରେ କିଛି ଭାଷାରେ ମାନବୀୟ ସ୍ତରର ଅନୁବାଦ ହୋଇପାରୁଛି। କିନ୍ତୁ ଏହା ସବୁ ଭାଷା ପାଇଁ ସମ୍ଭବ ହେଉନାହିଁ କାରଣ ଅନୁବାଦ କରୁଥିବା ସଫ୍ଟୱେର ପାଖରେ ଅନୁବାଦ ପ୍ରଣାଳୀ ଶିଖିବା ପାଇଁ ଅଲଗା ଅଲଗା ଭାଷାର ଗୋଟିଏ ସାଧାରଣ ବାକ୍ୟ ସଂଗୃହୀତ ହୋଇଥିବା ଆବଶ୍ୟକ।
ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗବେଷଣା କେନ୍ଦ୍ର (FAIR)ର ସଦସ୍ୟମାନେ ନିକଟରେ ଅନେକ ଗୁଡିଏ ଭାଷା ପାଇଁ ଯାନ୍ତ୍ରିକ ଅନୁବାଦ ପ୍ରଣାଳୀକୁ ପ୍ରସ୍ତୁତ କରିବାରେ ସଫଳ ହୋଇପାରିଛନ୍ତି। ଏଥିରେ ୱିକିପିଡିଆ ପରି ୱେବସାଇଟରୁ ଅଲଗା ଅଲଗା ଭାଷାରେ ଏକ ଅର୍ଥ ଭଳି ସାମଞ୍ଜସ୍ୟ ଥିବା ବାକ୍ୟକୁ ଏକାଠି କରାଯାଇଛି।
ତେବେ ଏହା ଏକ ଜଟିଳ ଓ କଠିନ ପ୍ରକ୍ରିୟା ବୋଲି ଏହାର ଗବେଷଣା ମୁଖ୍ୟ କହିଛନ୍ତି।
ପ୍ୟାରିସରେ ଥିବା ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗବେଷଣା କେନ୍ଦ୍ର (FAIR)ର ମୁଖ୍ୟ ଓ ଗବେଷକ ଏଣ୍ଟନି ବୋର୍ଡେସ କହିଛନ୍ତି ଯେ, “ ଅଲଗା ଅଲଗା ଭାଷାର ଗୋଟିଏ ବାକ୍ୟ ଖୋଜିବା ବହୁ କଷ୍ଟକର କାର୍ଯ୍ୟ ଅଟେ, କାରଣ ଏଥିପାଇଁ ଦୁଇଟି ଭାଷାରେ ପାରଙ୍ଗମ ଥିବା ବ୍ୟକ୍ତିଙ୍କର ଆବଶ୍ୟକ ପଡିଥାଏ। ଯେପରି ପର୍ତ୍ତୁଗାଲ ଓ ନେପାଳୀ ଭାଷାର ଗୋଟିଏ ବାକ୍ୟ ଖୋଜିବା ପାଇଁ ଏହି ଉଭୟ ଭାଷାରେ ପାରଙ୍ଗମ ଥିବା ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ଓ ଏହା ବହୁତ କଠିନ ଅଟେ।“