- ବେତାର ବ୍ୟୁରୋ
ଭୁବନେଶ୍ଵର ଫୁଟପାଥରେ ହେବ ସ୍ମାର୍ଟ ଭୂତଳ ଡଷ୍ଟବିନ

ଭୁବନେଶ୍ଵରରେ ରାସ୍ତା କଡରେ ଅଳ୍ପ ସ୍ଥାନରେ ଅଧିକ ଆବର୍ଜନା ରଖିବା ପାଇଁ ଫୁଟପାଥରେ ପ୍ଲାଷ୍ଟିକ ଡଷ୍ଟବିନ ବଦଳରେ ଭୂତଳ (ଅଣ୍ଡରଗ୍ରାଉଣ୍ଡ) ଡଷ୍ଟବିନ ସ୍ଥାପନ କରାଯିବ। ଏଥିପାଇଁ ଭୁବନେଶ୍ଵର ମ୍ୟୁନସପାଲଟି କର୍ପୋରେସନ (BMC) ତରଫରୁ ଟେଣ୍ଡର ମଧ୍ୟ ଆହ୍ଵାନ କରାଯାଇଛି।
ସହରର ମୁଖ୍ୟ ସଡକର ଫୁଟପାଥରେ 50ଟି ଦୁଇ ପ୍ରକାର ଭୂତଳ ଡଷ୍ଟବିନ ରହିବ। ଏପରି ଡଷ୍ଟବିନ ବ୍ୟବହାର ଦ୍ଵାରା ଆବର୍ଜନା ସଫେଇ ଖର୍ଚ୍ଚ ହ୍ରାସ ପାଇବା ସହିତ ଦୁର୍ଗନ୍ଧ ମଧ୍ୟ ହେବ ନାହିଁ। ପ୍ରତ୍ୟେକ ଭୂତଳ ଡଷ୍ଟବିନରେ ସେନ୍ସର ଲାଗିବ,ଯାହାକି ଆବର୍ଜନା ଅଧିକ ହୋଇଯିବାପରେ ଆବର୍ଜନା କକ୍ଷକୁ ସୂଚନା ଦେଇପାରିବ।
ବର୍ତ୍ତମାନ ଭୁବନେଶ୍ଵରରେ ବିଏମସିତରଫରୁ ବଡ ଡଷ୍ଟବିନ ସହିତ ପ୍ଲାଷ୍ଟିକ ନିର୍ମିତ ଛୋଟ ଡଷ୍ଟବିନର ବ୍ୟବହାର କରାଯାଉଛି। ବର୍ଷେ ପୂର୍ବରୁ ଲୁହା ଷ୍ଟାଣ୍ଡରେ ନୀଳ ଓ ସବୁଜ ରଙ୍ଗର ଛୋଟ ପ୍ଲାଷ୍ଟିକ ଡଷ୍ଟବିନ ରଖାଯାଇଥିଲା। ତେବେ ଆସନ୍ତା ହକି ୱାର୍ଲ୍ଡକପକୁ ଆଖି ଆଗରେ ରଖି ବିଏମସି ଭୂତଳ ଡଷ୍ଟବିନ ସ୍ଥାପନା ପାଇଁ ନିଷ୍ପତ୍ତି ନେଇଛି।
ବିଏମସିର ସୂଚନା ଅନୁଯାୟୀ 30ଟି ଡଷ୍ଟବିନ ଅଧା ପର୍ଯ୍ୟନ୍ତ ମାଟି ତଳକୁ ପୋତି ହୋଇ ରହିବ ଓ 20ଟି ଡଷ୍ଟବିନ ସଂପୂର୍ଣ୍ଣ ଭୂତଳ ବିଶିଷ୍ଟ ହେବ। 30ଟି ଅଧା ଭୂତଳ ଡଷ୍ଟବିନର ଆୟତନ 1.5 କ୍ୟୁବିକ ମିଟର ହୋଇଥିବା ବେଳେ 20ଟି ସଂପୂର୍ଣ୍ଣ ଭୂତଳ ଡଷ୍ଟବିନର ଆୟତନ 3 କ୍ୟୁବିକ ମିଟର ହେବ ଏବଂ ଏଥିରେ 1.5 କ୍ୟୁବିକ ମିଟରର ଦୁଇଟି କୋଠରୀ ରହିବ। ଜୈବ ଓ ଅଜୈବ ଆବର୍ଜନାକୁ ଅଲଗା ଅଲଗା କରି ରଖାଯିବ।
ଏହି ଭୂତଳ ଡଷ୍ଟବିନ ସାଧାରଣ ଡଷ୍ଟବିନ ଠାରୁ ଭିନ୍ନ ଅଟେ। ଏହା ଫୁଟପାଥରେ ପୋତି ହୋଇ ରହିବ ଯାହାଦ୍ୱାରା ପିଲା ଓ ଦିବ୍ୟାଙ୍ଗମାନେ ଏହାକୁ ବ୍ୟବହାର କରିପାରିବେ। ଏହି ବ୍ୟବସ୍ଥାରେ ସଫେଇ ଖର୍ଚ୍ଚ ମଧ୍ୟ କମ ରହିବ। ଏହାର ସିଗନାଲ ବ୍ୟବସ୍ଥାକୁ ସ୍ମାର୍ଟ ସିଟି ନିୟନ୍ତ୍ରଣ କକ୍ଷ ସହିତ ଯୋଡାଯିବ।
ଏହି ଭୂତଳ ଡଷ୍ଟବିନରୁ ବାହାରୁଥିବା ଆବର୍ଜନା ପୃଥକୀକରଣ ହୋଇପାରିବ ତେଣୁ ଆବର୍ଜନାର ପୁନଃଚକ୍ରଣ ମଧ୍ୟ ସହଜରେ ହୋଇପାରିବ। ଟେଣ୍ଡର ପରେ ଯେଉଁ ସଂସ୍ଥା ଏଥିପାଇଁ ମନୋନୀତ ହେବ, ସେହି ସଂସ୍ଥା ଡଷ୍ଟବିନ ସ୍ଥାପନ କରିବା ସହିତ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ନେବ।