• padmabati kund

ଚାଷ କରିବା ପାଇଁ ଆପରେ ମିଳିବ ଟ୍ରାକ୍ଟର ଭଡ଼ା


ଦେଶରେ ବର୍ତ୍ତମାନ ଓଲା ଓ ଉବର ଭଳି ଟାକ୍ସି ମାନଙ୍କର ଚାହିଦା ବଢିବାରେ ଲାଗିଛି। ତେବେ ଓଲା ଓ ଉବର ଭଳି ଆଗାମୀ ଦିନରେ ଗରିବ ଚାଷୀମାନେ ଟ୍ରାକ୍ଟର ମଧ୍ୟ ଭଡାକୁ ଆଣିପାରିବେ। ଏରିସ ଇଣ୍ଡିଆ ଓ ହେଲୋ ଟ୍ରାକ୍ଟର ତରଫରୁ ମିଳିତ ଭାବରେ ଏହି ସେବା ପ୍ରଥମେ ପରୀକ୍ଷା ମୂଳକ ଭାବେ ପୂର୍ବ ଭାରତରେ ଆରମ୍ଭ ହେବ।

ପୂର୍ବ ଭାରତରେ ପ୍ରଥମେ 500 ଟ୍ରାକ୍ଟର ସହିତ ଏହି ସେବା ଆରମ୍ଭ କରାଯିବ ଓ ଚାଷ କାମରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ମେସିନ ଯଥା କମ୍ବାଇନ୍ସ, ରେଟୋଭେଟର ଓ ହାର୍ଭେଷ୍ଟର ମଧ୍ୟ ଭଡାରେ ଯୋଗାଇ ଦିଆଯିବ।

ଏଥିପାଇଁ ଏକ ସରଳ ଆପ ଜରିଆରେ ଚାଷୀମାନେ ଘଣ୍ଟା ପିଛା ଦର ହିସାବରେ ଟ୍ରାକ୍ଟର ବୁକ କରିପାରିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଭାରତରେ ଅଧିକାଂଶ ଚାଷୀ ଚାଷ କରିବା ପାଇଁ ଆବଶ୍ୟକୀୟ ଉପକରଣ ଯଥା ଟ୍ରାକ୍ଟର କିଣିବା ପାଇଁ ସମର୍ଥ ହୋଇନଥାନ୍ତି। ଖାସ କରି ଯେଉଁ ଚାଷୀମାନେ ଅଳ୍ପ ପରିମାଣର ଜମିରେ ଚାଷ କରିଥାନ୍ତି ସେମାନେ ଟ୍ରାକ୍ଟର କିଣିବାକୁ ଅସମର୍ଥ ଥାଆନ୍ତି।

ନାବାର୍ଡ (NABARD) ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ଭାରତରେ ମାତ୍ର 5.2% ଚାଷୀଙ୍କର ନିଜସ୍ଵ ଟ୍ରାକ୍ଟର ରହିଛି ଓ 1.8% ଚାଷୀଙ୍କର ନିଜସ୍ଵ ପାୱାରଟିଲର ରହିଛି। ଏପରିସ୍ଥଳେ ଏହି ସେବା ଗରିବ ଚାଷୀମାନଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ଇରିସ ଇଣ୍ଡିଆ ଓ ହେଲୋ ଟ୍ରାକ୍ଟର କମ୍ପାନୀ ଆଶା ରଖିଛନ୍ତି।

ଇରିସ ଇଣ୍ଡିଆ ତରଫରୁ ଏହି ସେବା ଗତ ବର୍ଷେ ହେବ ନାଇଜେରିଆରେ 500 ଟ୍ରାକ୍ଟରକୁ ନେଇ ଆରମ୍ଭ ହେବା ସହିତ ସଫଳ ହୋଇଛି ବୋଲି କମ୍ପାନୀର ସଭାପତି ରିଷି ଭଟ୍ଟନାଗର କହିଛନ୍ତି। ଭାରତରେ ଏହି ସେବା ଯୋଗୁ ପ୍ରଥମେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡିଶାର କୃଷକମାନେ ଭଡା ଦେଇ ସେମାନଙ୍କ ଜମିରେ ଟ୍ରାକ୍ଟରରେ ଚାଷ କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।

ଏହି ସେବାକୁ ଚାଷୀ ମାନଙ୍କୁ କମ ମୂଲ୍ୟରେ ଯୋଗାଇ ଦିଆଯିବ ଓ ଏହା କେତେ ମୂଲ୍ୟରେ ଯୋଗାଇ ଦିଆଯିବ ସେ ବିଷୟରେ ବର୍ତ୍ତମାନ କମ୍ପାନୀ କାମ କରୁଅଛି ବୋଲି ଇରିସର ସଭାପତି ଭଟ୍ଟନାଗର କହିଛନ୍ତି।   

ଭାରତରେ ଟ୍ରାକ୍ଟର ଭଡା ସେବା ଯୋଗାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ମହିନ୍ଦ୍ରା, ମହିନ୍ଦ୍ରା ଟ୍ରିଙ୍ଗୋ, khetabadi.com ଓ EM3 କମ୍ପାନୀ ଅନଲାଇନ ଏବଂ ଫୋନ ମାଧ୍ୟମରେ ଚାଷୀ ମାନଙ୍କୁ ଭଡାରେ ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଉପକରଣ ସେବା ଯୋଗାଇ ଆସୁଛନ୍ତି।

#renttractor #ireshellotractor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon