- ବେତାର ବ୍ୟୁରୋ
ହକି ବିଶ୍ଵକପ ଆଗରୁ ରାଜଧାନୀରେ ଲାଗିବ ସ୍ୱୟଂଚାଳିତ ଶୌଚାଳୟ

(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ଵରରେ ଆଗକୁ ହେବାକୁ ଯାଉଥିବା ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ସହରର ପରିମଳ ବ୍ୟବସ୍ଥାକୁ ସଜାଡିବା ପାଇଁ ଭୁବନେଶ୍ଵର ମ୍ୟୁନିସପାଲଟି କର୍ପୋରେସନ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି। ତେବେ ଭୁବନେଶ୍ଵରରେ ଖୁବ ଶୀଘ୍ର 60ଟି ସ୍ୱୟଂଚାଳିତ ଶୌଚାଳୟ ସ୍ଥାପନ କରିବାକୁ ବିଏମସି ତରଫରୁ ଯୋଜନା କରାଯାଇଛି।
ଏହି 60ଟି ଶୌଚଳୟ ମଧ୍ୟରୁ 20ଟି ସଂପୂର୍ଣ୍ଣ ସ୍ୱୟଂଚାଳିତ ଓ 40ଟି ଅର୍ଦ୍ଧ ସ୍ୱୟଂଚାଳିତ ରହିବ। ଏହି ଆଧୁନିକ ସ୍ୱୟଂଚାଳିତ ଶୌଚାଳୟର ମୁଖ୍ୟ ବିଶେଷତ୍ଵ ହେଉଛି ଏଥିରେ ଝାଡା କିମ୍ବା ପରିସ୍ରା ଯିବାପରେ ଫ୍ଲସ କରିବାକୁ ପଡିବ ନାହିଁ।
ଏହି ଶୌଚାଳୟରେ ସଫେଇ ବ୍ୟବସ୍ଥା ସ୍ୱୟଂଚାଳିତ ଅଟେ ଓ ଏହା ସଂକ୍ରମଣ ଶୂନ୍ୟ ମଧ୍ୟ ଅଟେ। ଏହି ଶୌଚାଳୟ ବ୍ୟବହାର ଦ୍ଵାରା କୌଣସି ସଂକ୍ରମଣର ଆଶଙ୍କା ରହିନଥାଏ। କମ ପାଣିର ବ୍ୟବହାରରେ ପରିମଳ ବ୍ୟବସ୍ଥା ଯୋଗାଇବା ପାଇଁ ଏପରି ଯୋଜନା ପ୍ରସ୍ତୁତ କରାଯାଇଛି।
ସହରର ମୋଟ 30ଟି ପ୍ରମୁଖ ସ୍ଥାନମାନଙ୍କରେ ଏହି 60ଟି ସ୍ୱୟଂଚାଳିତ ଶୌଚାଳୟ ସ୍ଥାପନ କରାଯିବ ବୋଲି ବିଏମସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ସର୍ଭେ କରାଯିବ ଓ ସ୍ଥାନ ଗୁଡିକ ଚିହ୍ନଟ କରାଯିବ।
ପ୍ରତ୍ୟେକ ସ୍ଥାନରେ ଦୁଇଟି ଶୌଚଳୟ ରହିବ। ଗୋଟିଏ ପୁରୁଷଙ୍କ ପାଇଁ ଓ ଅନ୍ୟଟି ମହିଳାଙ୍କ ପାଇଁ। ସଂପୂର୍ଣ୍ଣ ସ୍ୱୟଂଚାଳିତ ଶୌଚଳୟରେ ପ୍ରବେଶ କରିବା ପାଇଁ କାର୍ଡର ବ୍ୟବହାର କରିବାକୁ ପଡିବ ଓ ଅର୍ଦ୍ଧ ସ୍ୱୟଂଚାଳିତ ଶୌଚାଳୟରେ ପ୍ରବେଶ କରିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଏହାକୁ ବ୍ୟବହାର କରିବା ଦେୟଯୁକ୍ତ ହେବ ଓ ଖୁବ ଶୀଘ୍ର ଏହାର ମୂଲ୍ୟ ଧାର୍ଯ୍ୟ କରାଯିବ।
ଏହାର ନିର୍ମାଣଶୈଳୀ ଅତ୍ୟନ୍ତ ସରଳ ଯାହାଦ୍ୱାରା ବ୍ୟବହାରକାରୀ ମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ ଓ ଷ୍ଟେନଲେସ ଷ୍ଟିଲରେ ନିର୍ମିତ ହୋଇଥିବାରୁ ଏହା ଖୁବ ମଜଭୁତ ଅଟେ।