- padmabati kund
ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦେଲେ ସୁପ୍ରିମକୋର୍ଟ: ପଢନ୍ତୁ ବଲିଉଡର ମତ

(ବେତାର ବ୍ୟୁରୋ) ସମାଜରେ ବର୍ତ୍ତମାନ ପର୍ଯ୍ୟନ୍ତ ସମଲିଙ୍ଗୀୟ ସମ୍ପର୍କକୁ ସ୍ଵୀକୃତି ଦିଆଯାଇନଥିଲେ ମଧ୍ୟ ଅପରାଧ ଶ୍ରେଣୀରେ ଗଣାଯାଉଥିବା ଏହି ସମଲିଙ୍ଗୀୟ ସଂପର୍କକୁ ଭାରତରେ ବୈଧ କରାଯାଇଛି। ଆଇପିସିର ଧାରା-377 (ସମଲିଙ୍ଗିକତା)କୁ ସୁପ୍ରିମ କୋର୍ଟ ଅବୈଧ ବୋଲି ଘୋଷଣା କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିରେ ବଲିଉଡରେ ଖୁସିର ଲହର ଖେଳିଯାଇଛି। ନିର୍ଦ୍ଦେଶକ କରନ ଜୋହରଙ୍କ ଠାରୁ ଆରମ୍ଭ କରି ବିକି କୌଶଳ,ଶ୍ଵରା ଭାସ୍କର ଓ ଆହୁରି ଅନେକ କଳାକାର ଟ୍ଵିଟ କରି ଖୁସି ଜଣାଇଛନ୍ତି।
ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିବା ପରେ ପ୍ରଥମେ ବଲିଉଡ ନିର୍ଦ୍ଦେଶକ କରନ ଜୋହର ଏନେଇ ଟ୍ଵିଟ କରିଥିଲେ। ନିଜ ଅଧିକାଂଶ ଫିଲ୍ମରେ ‘ଗେ’/ସମଲିଙ୍ଗୀ ଚରିତ୍ରକୁ ପ୍ରମୁଖତା ଦେଉଥିବା କରନ ଜୋହର ଲେଖିଛନ୍ତି ଯେ, “ ଏହା ଏକ ଐତିହାସିକ ନିଷ୍ପତ୍ତି ଅଟେ। ଏହା ଶୁଣି ଆଜି ମୁଁ ଗର୍ବିତ। ସମଲିଙ୍ଗିକତାକୁ ଅପରାଧ ଶ୍ରେଣୀରୁ ହଟାଇବା ଓ ଧାରା-377କୁ ହଟାଇବା ସମାନ ଅଧିକାର ଓ ମାନବତା ପାଇଁ ଏକ ବଡ ସକାରାତ୍ମକ ନିଷ୍ପତ୍ତି ଅଟେ। ଦେଶକୁ ଏହାର ଅମ୍ଳଜାନ ପୁଣି ଥରେ ମିଳିଯାଇଛି।“
ସେହିପରି ଅଭିନେତା ଓ ଗାୟକ ଆୟୁଷ୍ମାନ ଖୁରାନା ଟ୍ଵିଟ କରି ଲେଖିଛନ୍ତି, ଆଜିର ସୂର୍ଯ୍ୟ କିରଣ ଏକ ପ୍ରଗତୀଶୀଳ ଭାରତକୁ ଆଲୋକ ଦେଉଛି।
ଲେଖକ ଚେତନ ଭଗତ ମଧ୍ୟ ସୁପ୍ରିମ କୋର୍ଟର ଏହି ନିଷ୍ପତ୍ତିରେ ଖୁସି ଜଣାଇ ଟ୍ଵିଟ କରିଛନ୍ତି ଯେ, “ ଭାରତ ହେଉଛି ଏପରି ଏକ ଦେଶ ଯେଉଁଠି ପ୍ରତି 100କିମି ବ୍ୟବଧାନରେ ଏହାର ସଂସ୍କୃତି ଓ ପରମ୍ପରା ବଦଳି ଥାଏ। ବିବିଧତାକୁ ସ୍ଵୀକାର କରିବା ଆମ ଭାରତୀୟ ସଂସ୍କୃତିରେ ରହିଛି। ଏହା ଭାରତ ପାଇଁ ଏକା ଭଲ ଦିନ ଅଟେ।“
ଅଭିନେତ୍ରୀ ସ୍ବରା ଭାସ୍କର, ଏହି ଲଢେଇରେ ସାମିଲ ହୋଇଥିବା ସମସ୍ତ ସମାଜସେବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ ,ଆପଣ ମାନେ ଭାରତକୁ ଆହୁରି ଭଲ ରାଷ୍ଟ୍ର କରିପାରିଛନ୍ତି।
ଚଳିତ ବର୍ଷ ଜୁଲାଇ ମାସରେ କୋର୍ଟ ଧାରା-377 ଉପରେ ଶୁଣାଣୀ କରିଥିଲେ। ଏହି କେସ ଉପରେ ଚାରିଦିନ ପର୍ଯ୍ୟନ୍ତ ଶୁଣାଣୀ ଚାଲିଥିଲା। ପୂର୍ବ ଶୁଣାଣୀ ସମୟରେ କୋର୍ଟ କହିଥିଲା ଯେ, ଯଦି କୌଣସି ନିୟମ ବ୍ୟକ୍ତିର ମୌଳିକ ଅଧିକାରକୁ ଖଣ୍ଡନ କରୁଥାଏ ତେବେ ସରକାର ଏହାକୁ ଖାରଜ କରିବା ପର୍ଯ୍ୟନ୍ତ କୋର୍ଟ ଅପେକ୍ଷା କରିବ ନାହିଁ।