- padmabati kund
ଏଥର ପୂଜା କରନ୍ତୁ ଗୋବର ଗଣେଶ, ବିସର୍ଜନ ପରେ ଉଠିବ ଗଛ

(ବେତାର ବ୍ୟୁରୋ) ଗଣେଶପୂଜା ହେଉ ବା ଦଶହରା, ପୂଜା ସାରିବା ପରେ ବିସର୍ଜନ ସମୟରେ ପରିବେଶ ପ୍ରଦୂଷଣ ହୋଇଥାଏ। ଏକଥା ପ୍ରତି କେହି ଧ୍ୟାନ ଦେଇନଥାନ୍ତି। କିନ୍ତୁ ଆଗକୁ ଆସୁଥିବା ଗଣେଶ ପୂଜାକୁ ଲକ୍ଷ କରି ପ୍ରଦୂଷଣ ରୋକିବା ପାଇଁ ବୃକ୍ଷ ଗଣେଶର ନିର୍ମାଣ କରାଯାଇଛି। ଏହି ଗଣେଶଙ୍କୁ ବିସର୍ଜନ କରିବା ପରେ ଏହାକୁ ପରିବେଶକୁ ପ୍ରଦୂଷଣ କରିବ ନାହିଁ ବରଂ ପରିବେଶକୁ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରିବ।
ପ୍ରକୃତ କଥା ହେଲା ଏହି ମୂର୍ତ୍ତି ମଧ୍ୟରେ ରହିଛି ମଞ୍ଜିଟିଏ। ପୂଜା ପରେ ଏହି ମୂର୍ତ୍ତିରେ ପାଣି ଦେଲେ କ୍ରମେ ସେଥିରୁ ଗଛ ଉଠିବ। ଏକ ଫୁଲ କୁଣ୍ଡରେ ମାଟି ଭରାଯାଇଛି। ଏହାଉପରେ ଭଗବାନ ଗଣେଶଙ୍କର ଏକ ଛୋଟ ପ୍ରତିମା ରଖାଯାଇଛି। ଉକ୍ତ କୁଣ୍ଡରେ ଗଣେଶଙ୍କର ପ୍ରିୟ ଡୁବ ଘାସ ମଧ୍ୟ ଲଗାଯାଇଛି। ଦଶଦିନ ଧରି ଗଣେଶଙ୍କୁ ପୂଜା କରିବା ପରେ ଏହାକୁ ନେଇ ଘରର ବାଲକୋନୀ କିମ୍ବା ଟେରେସରେ ରଖି ପଣି ଢାଳି ଦିଅନ୍ତୁ।ଏହାପରେ ଦଶରୁ ବାରଦିନ ମଧ୍ୟରେ ଏହା ମଧ୍ୟରୁ ଛୋଟ ଗଛଟିଏ ବାହାରି ଆସିବ।
ଭୋପାଳର ଦୁଇ ଯୁବ କାରିଗର ଆନନ୍ଦ ନନ୍ଦେଶ୍ଵର ଓ ନିଖିଳ ଖତ୍ରୀ ଏହି ମୂର୍ତ୍ତିକୁ ପ୍ରସ୍ତୁତ କରୁଛନ୍ତି ଓ ଅନ୍ୟମାନଙ୍କୁ ଏହାର ନିର୍ମାଣ କରିବାକୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଏଥର ଦୁଇଜଣ ମିଶି ୫୦ଟି ମୂର୍ତ୍ତି ତିଆରି କରିଛନ୍ତି। ଏହି ମୂର୍ତ୍ତି ଗୁଡିକ ଗୋବରରୁ ନିର୍ମିତ ହେଉଥିବାରୁ ଏହାକୁ ତିଆରି କରିବା ପାଇଁ ଏକ ବର୍ଷ ଆଗରୁ ଅର୍ଡର ଦେବାକୁ ପଡେ। ଏହି ଦୁଇ କାରିଗର କହିଛନ୍ତି ଯେ, ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ୧୨ରୁ ୧୫ଟଙ୍କା ଖର୍ଚ୍ଚ ହୋଇଥାଏ ମାତ୍ର ସମୟ ବହୁତ ଲାଗିଥାଏ।
ନନ୍ଦେଶ୍ଵର କହିଛନ୍ତି ଯେ ଖରାଦିନରେ ଗାଈର ଗୋବରକୁ ସଂଗ୍ରହ କରି ଏହାକୁ ଶୁଖାଇ ଦିଅନ୍ତି। ପରେ ଏହାକୁ ଗୁଣ୍ଡ କରି ଚିକ୍କଣ ମାଟି ସହିତ ମିଶାଇ ଏହି ମୂର୍ତ୍ତି ନିର୍ମାଣ କରିଥାଆନ୍ତି। ଶାସ୍ତ୍ରରେ ମଧ୍ୟ ଗୋବରରେ ଗଣେଶ ମୂର୍ତ୍ତି ନିର୍ମାଣର ମାନ୍ୟତା ରହିଥିବାରୁ ଏହାର ଚାହିଦା ଅଧିକ ବୋଲି ସେ କୁହନ୍ତି।