- padmabati kund
କଫି ବଦଳରେ ପିଇ ପାରିବେ ଏହିପରି ସ୍ୱାସ୍ଥ୍ୟକର ପାନୀୟ

(ବେତାର ବ୍ୟୁରୋ) ଅଧିକାଂଶ ଲୋକ କଫି ପିଇବାକୁ ପସନ୍ଦ କରିଥାଆନ୍ତି। ଏହାଦ୍ୱାରା ଶରୀରକୁ ଶକ୍ତି ମିଳିବା ସହିତ ଅଳସୁଆପଣ ମଧ୍ୟ ଦୂର ହୋଇଥାଏ। ଏହା ମଧ୍ୟ କୋଲେଷ୍ଟେରଲ କମ କରିବା ସହିତ ଲିଭର କ୍ୟାନସର ହେବା ଆଶଙ୍କାକୁ ଦୂରେଇ ରଖିଥାଏ। କିନ୍ତୁ ଅଧିକମାତ୍ରାରେ କଫି ପିଇବା ମଧ୍ୟ ଶରୀରପାଇଁ କ୍ଷତିକାରକ ହୋଇଥାଏ ଓ ଏହାଦ୍ୱାରା ହୃଦଘାତ, ବଦହଜମ ଓ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ।
ଯଦି ଆପଣଙ୍କର ବି କଫି ପିଇବାର ଅଭ୍ୟାସ ରହିଥାଏ ତେବେ କଫି ପରିବର୍ତ୍ତେ ଆପଣ କେଉଁ ସ୍ଵାସ୍ଥ୍ୟକର ପାନୀୟ ପିଇ ପାରିବେ ଜାଣିରଖନ୍ତୁ।
୧.ମସଲା ଚା’ : ଏହା ଏକ ଲୋକପ୍ରିୟ ଭାରତୀୟ ପାନୀୟ। ଏଥିରେ ଯଥେଷ୍ଟ ପରିମାଣରେ କାଫେଇନ ରହିଥାଏ। ଏହା ଆପଣଙ୍କୁ ଶକ୍ତି ଯୋଗାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ଅଳେଇଚ, ଡାଲଚିନ, ଲବଙ୍ଗ, ଜାଇଫଳ ଓ ଆଡକୁ ସ୍ଵାସ୍ଥ୍ୟକର କରିଥାଏ। ଏହାକୁ ପିଇବା ଦ୍ଵାରା ଥଣ୍ଡାକାଶ ମଧ୍ୟ ଦୂର ହୋଇଥାଏ।
୨.ହଳଦୀ ଚା: ଏହି ହଳଦୀ ଚା’ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏହା ଦେଖିବାକୁ ହଳଦିଆ ରଙ୍ଗର ଓ ଏହାର ସ୍ଵାଦ ବହୁତ କଡା ହୋଇଥାଏ। ଏଥିରେ ଥିବା ପୋଷଣ ତତ୍ତ୍ଵ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। କ୍ୟାନସର ପରି ବଡ ରୋଗକୁ ମଧ୍ୟ ଏହା ଦୂରେଇ ରଖିଥାଏ।
୩.ଡାଣ୍ଡେଲିଅନ ଚେରରୁ ପ୍ରସ୍ତୁତ କଫି: ହଳଦିଆ ଫୁଲ ଥିବା ଏକପ୍ରକାର ଜଙ୍ଗଲୀ ଗଛର ଚେରରୁ ଏହା ପ୍ରସ୍ତୁତ ହୋଇଥାଏ। ଏଥିରେ ଅଧିକ ମାତ୍ରାରେ ଭିଟାମିନ-ଏ, ବି,ସି,ଡ଼ି ,ଆଇରନ, କ୍ୟାଲସିୟମ ଓ ମାଗ୍ନେସିୟମ ରହିଥାଏ, ଯାହାକି ଶରୀର ପାଇଁ ଉପଯୋଗୀ ହୋଇଥାଏ।
୪. ତୁଳସୀ ଓ ମହୁରୁ ପ୍ରସ୍ତୁତ ପାନୀୟ: ତୁଳସୀ ଓ ମହୁରୁ ପ୍ରସ୍ତୁତ ପାନୀୟ ଅତ୍ୟନ୍ତ ସ୍ଵାସ୍ଥ୍ୟକର ହୋଇଥାଏ ଓ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ଏହାକୁ ପିଇବା ଦ୍ଵାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ।
୫. ଅଦା, ଲେମ୍ବୁ ଓ ମହୁରୁ ପ୍ରସ୍ତୁତ ପାନୀୟ: ଏହି ସମସ୍ତ ପ୍ରାକୃତିକ ପଦାର୍ଥରୁ ତିଆରି ହେଉଥିବା ପାନୀୟ ନିହାତି ଭାବରେ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଅଟେ। ଏହା ଥଣ୍ଡା ଓ କାଶକୁ ଦୂର କରିଥାଏ ଏବଂ ହଜମ ଶକ୍ତି ବଢିବାରେ ସାହାଯ୍ୟ କରେ।