- ବେତାର ବ୍ୟୁରୋ
ରେଳବିଭାଗର ଗ୍ରୁପ-ଡି ପରୀକ୍ଷା ସେପ୍ଟେମ୍ବର 17ରୁ

(ବେତାର ବ୍ୟୁରୋ) ରେଳୱେ ଗ୍ରୁପ-ଡି ରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର, ପରୀକ୍ଷା ତାରିଖ ସମ୍ବନ୍ଧରେ ରେଳ ବିଭାଗ ତରଫରୁ ଏହାର ସମସ୍ତ ଆଞ୍ଚଳିକ ରେଲୱେ ୱେବସାଇଟରେ ପ୍ରକାଶ କରାଯାଇଛି। ଗ୍ରୁପ-ଡି ର ମୋଟ 63,000ଟି ପଦରେ ନିଯୁକ୍ତି ପାଇଁ ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ପରୀକ୍ଷା ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବ।
ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ପରୀକ୍ଷାର୍ଥୀଙ୍କର ଆଡମିଟ କାର୍ଡ ପରୀକ୍ଷାର ଚାରିଦିନ ପୂର୍ବରୁ ପ୍ରକାଶ କରାଯିବ। ଯେଉଁ ପ୍ରାର୍ଥୀଙ୍କର ପରୀକ୍ଷା ସେପ୍ଟେମ୍ବର 17 ତାରିଖରେ ହେବ, ସେହି ପ୍ରାର୍ଥୀମାନେ ଆଡମିଟ କାର୍ଡ ସେପ୍ଟେମ୍ବର 13ରୁ ପାଇପାରିବେ।
କିପରି ଯାଞ୍ଚ କରିବେ
ଆବେଦନକାରୀ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ତାରିଖ ବିଷୟରେ ଜାଣିବା ପାଇଁ ରେଲୱେର ଆଞ୍ଚଳିକ ୱେବସାଇଟରେ ଲଗଇନ କରିବେ। ଏହାପରେ ହୋମପେଜରେ CEN-02/2018(Level-1 Posts) Click here for Exam City and Date intimation ଉପରେ କ୍ଲିକ କରିବେ। ଲଗଇନ ପେଜରେ ରେଜିଷ୍ଟ୍ରେଶନ ଆଇଡି ଓ ଜନ୍ମ ତାରିଖ ଦେବାପରେ ସଂପୂର୍ଣ୍ଣ ବିବରଣୀ ପାଇପାରିବେ।
ତେବେ ପରୀକ୍ଷାର୍ଥୀ ମାନେ ଅଭ୍ୟାସ କରିବା ପାଇଁ ରେଳବିଭାଗ ତରଫରୁ ମକ ଲିଙ୍କ ସେପ୍ଟେମ୍ବର 10 ତାରିଖରୁ ଜାରି କରାଯାଇଛି। ଏହି ମକ ଲିଙ୍କ ଉପରେ କ୍ଲିକ କରିବା ପରେ ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା ଦେବେ ସେ ବିଷୟରେ ଜାଣିପାରିବେ ଓ କମ୍ପ୍ୟୁଟରରେ କିପରି ପ୍ରଶ୍ନର ଉତ୍ତର ଦେବେ ସେ ବିଷୟରେ ମଧ୍ୟ ଜାଣିପାରିବେ।
ଏହି କମ୍ପ୍ୟୁଟର ବେସ ପରୀକ୍ଷାକୁ ପାସ କରିବା ପାଇଁ କ୍ଵାଲିଫାଇଙ୍ଗ ମାର୍କ୍ସ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ପରୀକ୍ଷାର୍ଥୀ ମାନଙ୍କୁ ଅତିକମରେ 40% ମାର୍କ ରଖିବାକୁ ପଡିବ। ଏହି କ୍ଵାଲିଫାଇଙ୍ଗ ମାର୍କ ଓବିସି ପ୍ରାର୍ଥୀଙ୍କ ପାଇଁ 30%, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 30% ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 25% ଧାର୍ଯ୍ୟ କରାଯାଇଛି।
ପରୀକ୍ଷାରେ ମୋଟ 100ଟି ପ୍ରଶ୍ନ ପଚରାଯିବ ଓ ଏଥିପାଇଁ ପ୍ରାର୍ଥୀଙ୍କୁ 90ମିନିଟ ସମୟ ଦିଆଯିବ। ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ମୋଟ 120 ମିନିଟ ସମୟ ମିଳିବ। ଏହାସହିତ ପରୀକ୍ଷାରେ ନେଗେଟିଭ ମାର୍କିଙ୍ଗ ମଧ୍ୟ ରହିଛି। ତିନୋଟି ଭୁଲ ଉତ୍ତର ପାଇଁ ଗୋଟିଏ ମାର୍କ କାଟି ଦିଆଯିବ।
ଯେଉଁ ପରୀକ୍ଷାର୍ଥୀ ମାନଙ୍କ ପରୀକ୍ଷା ସେପ୍ଟେମ୍ବର 17 ରୁ ଅକ୍ଟୋବର 16 ତାରିଖ ମଧ୍ୟରେ ହେବ କେବଳ ସେହି ପ୍ରାର୍ଥୀମାନଙ୍କ ପାଇଁ ସୂଚନା ପ୍ରକାଶ ପାଇଛି, ବାକି ରହିଥିବା ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ତାରିଖ ଓ ପରୀକ୍ଷା କେନ୍ଦ୍ର ସମ୍ବନ୍ଧରେ ବିବରଣୀ ସେପ୍ଟେମର 13 ତାରିଖରୁ ରେଲୱେ ୱେବସାଇଟରେ ପ୍ରକାଶ ପାଇବ।