• ବେତାର ବ୍ୟୁରୋ

ଏଣିକି ରାତି 11 ଯାଏଁ ଖୋଲା ରହିବ ପୁରୀ ମନ୍ଦିର


(ବେତାର ବ୍ୟୁରୋ) ପୁରୀ ଶ୍ରୀମନ୍ଦିର ଏଣିକି ରାତି 11 ଯାଏଁ ଖୋଲା ରହିବ ବୋଲି ଶ୍ରୀମନ୍ଦିର ନୀତି ସବ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ସକାଳ 5ଟା ମଧ୍ୟରେ ମନ୍ଦିର ଦ୍ଵାର ଫିଟାଯିବ ଓ ରାତି 11ଟା ପୂର୍ବରୁ ଶ୍ରୀମନ୍ଦିର ପହୁଡ ପଡ଼ିପାରିବ ନାହିଁ।

ଅନେକ ସମୟରେ ରାତି 8ଟା ରୁ 9ଟା ମଧ୍ୟରେ ମନ୍ଦିରରେ ପହୁଡ ହେଉଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୈନନ୍ଦିନ ନୀତି ନିର୍ଘଣ୍ଟ ମୁତାବକ ସୂର୍ଯ୍ୟ ଉଦୟ ପୂର୍ବରୁ ଦ୍ଵାରଫିଟା ନିଶ୍ଚିତ କରାଯିବ। ସ୍ଵତନ୍ତ୍ର ନୀତି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ବ୍ୟତୀତ ଅନ୍ୟ ଦିନରେ ନୀତି ନିର୍ଘଣ୍ଟ ଅନୁସାରେ ଅନୁଷ୍ଠିତ ହେବ।

ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଦିନ 10.30 ସୁଦ୍ଧା ଭୋଗ ମଣ୍ଡପ ନିତୀ ସମ୍ପନ୍ନ ହୋଇ ଭକ୍ତମାନେ ଆନନ୍ଦ ବଜାରରେ ମହାପ୍ରସାଦ ପାଇପାରିବେ। ସନ୍ଧ୍ୟା 6ଟା 10ରେ ସନ୍ଧ୍ୟା ଅଳତୀ ଅନୁଷ୍ଠିତ ହେବ, ରାତି 9.30ଘଣ୍ଟା ରୁ 11.30ଘଣ୍ଟା ମଧ୍ୟରେ ଶ୍ରୀଜିଉଙ୍କ ବଡ ସିଂହାର ବେଶ ଓ ବଡ ସିଂହାର ଭୋଗ କରାଯିବ।

ଲାଗିବ ମହାପ୍ରସାଦ ଦରତାଲିକା

ଏହାସହିତ ଭକ୍ତମାନଙ୍କୁ କିପରି ଆନନ୍ଦ ବଜାରରେ ଉଚିତ ମୂଲ୍ୟରେ ମହାପ୍ରସାଦ ମିଳିପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ଏକ ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହାପ୍ରସାଦର ଦର ବିଷୟରେ ଆନନ୍ଦ ବଜାରରେ ଏକ ତାଲିକା ଲଗାଯିବ।

କୌଣସି ସୁଆର ସେବକ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ମୂଲ୍ୟରେ ଅବଢା ବିକ୍ରି କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିରର ଚାରି ଦ୍ଵାର, ବାଇଶିପାହାଚ, ଭିତରବେଢା ଓ ଆନନ୍ଦ ବଜାରରେ ଏହି ଦରତାଲିକା ଲଗାଯିବ। ଥାଳିର ଦର 70ଟଙ୍କାରୁ ଆରମ୍ଭ ହେବ। କେଉଁ ଥାଳିରେ କଣ ମହାପ୍ରସାଦ ରହିବ ତାହା ମଧ୍ୟ ତାଲିକାରେ ଉଲ୍ଲେଖ ରହିବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ଜିଲ୍ଲାଜଜଙ୍କ ସୁପାରିସ ଅନୁଯାୟୀ ରୋଷଶାଳାରେ ରହିଥିବା 232ଟି ଚୁଲି ମନ୍ଦିର ପ୍ରଶାସନ ନିୟନ୍ତ୍ରଣକୁ ଅଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସାହାଣମେଲା ତଥା ପର୍ବପର୍ବାଣୀଗୁଡିକରେ ଭକ୍ତଙ୍କ ଗହଳି ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିରର ବିଭିନ୍ନ ଦ୍ଵାରରେ ଅଧିକ ପ୍ରତିହାରୀ ସେବକ ନିଯୁକ୍ତ କରାଯିବ। 30ଜଣ ପ୍ରତିହାରୀ ପ୍ରତ୍ୟହ ସକାଳ ମଙ୍ଗଳ ଆଳତୀଠାରୁ ମହାପ୍ରଭୁଙ୍କ ରାତ୍ରପାହୁଡ ପର୍ଯ୍ୟନ୍ତ ଭିତରକାଠ, ଜୟବିଜୟ ଦ୍ଵାର ଏବଂ ବେହେରଣ ଦ୍ଵାର ପାଖରେ ରହି ଶୃଙ୍ଖଳା ରକ୍ଷା କରିବେ। ଏହାସହିତ ଦିନକୁ ଅତିକମରେ ଦୁଇଥର ଟିକେଟ ଦର୍ଶନ କରାଯିବ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

#jagannathtemple

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon