• ବେତାର ବ୍ୟୁରୋ

ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଫିଲ୍ମଷ୍ଟାର ଅନୁଭବ


(ବେତାର ବ୍ୟୁରୋ) ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏକ ଫିଲ୍ମର ସୁଟିଙ୍ଗରୁ ଫେରୁଥିବା ବେଳେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି। ସୌଭାଗ୍ୟ ବଶତଃ  ଅନୁଭବ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅନୁଭବ ଦୂଢପଟନୀ ଅଞ୍ଚଳରୁ ଫିଲ୍ମର ସୁଟିଙ୍ଗ ଶେଷ କରି ଫେରୁଥିବା ବେଳେ କାଶ୍ମୀରର ବାରମୁଲ୍ଲା ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଅନୁଭବ ସେହି ସ୍ଥାନକୁ ତାଙ୍କର ଆଗାମୀ ଫିଲ୍ମ “ପ୍ରେମ କୁମାର”ର ସୁଟିଙ୍ଗ ପାଇଁ ଯାଇଥିଲେ।

ସୂଚନା ଅନୁଯାୟୀ, ଜାତୀୟ ରାଜପଥରେ ଅନୁଭବଙ୍କ ଗାଡି ଯାଉଥିବା ସମୟରେ ଦୁଇଜଣ ଆତଙ୍କବାଦୀ ତାଙ୍କ ଗାଡି ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଅନୁଭବ ମହାନ୍ତି, ଫିଲ୍ମର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ସଦସ୍ୟ ମାନେ  ଦୁଇଟି ଗାଡିରେ ଯାଉଥିଲେ ଓ ସେହି ଦୁଇଟି ଗାଡିକୁ ଆତଙ୍କବାଦୀ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ।

ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ ରବିନ୍ଦ୍ର ବେହେରା, ମେକଅପ୍ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିବା ବେଳେ ଅନ୍ୟ ଏକ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଥିଲେ ।

ତେବେ ଘଟଣା ସ୍ଥଳରେ ଜାମ୍ମୁ କାଶ୍ମୀରର ପୋଲିସ ପହଞ୍ଚି ଥିଲେ ଓ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳି ଚାଳନା ଚାଲିଥିଲା। ଏହି ସମୟର ସୁଯୋଗ ଦେଖି ଅନୁଭବଙ୍କ ଗାଡିର ଡ୍ରାଇଭର ସେହି ସ୍ଥାନରୁ ଗାଡିକୁ ଏକ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ସେହି ସମୟରେ ଗାଡି ବ୍ରେକ ଫେଲ ମଧ୍ୟ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ତେବେ ସନ୍ଧ୍ୟାରେ ଅନୁଭବ ଓ ତାଙ୍କର ସହଯୋଗୀ ସୁରକ୍ଷିତ ଭାବରେ ଦିଲ୍ଲୀ ଫେରି ଆସିଥିଲେ।

ଏହା ପୂର୍ବରୁ ଏପ୍ରିଲ ମାସରେ ଅନୁଭବ ‘ପ୍ରେମ କୁମାର’ର ସୁଟିଙ୍ଗ ସମୟରେ 30ଫୁଟ ଉଚ୍ଚତାରୁ ପଡି ଯାଇଥିଲେ। ଫିଲ୍ମର ଆକ୍ସନ ଦୃଶ୍ୟ ସୁଟିଙ୍ଗ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

#entertainment #ollywood #anubhavmohanty

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon