• ବେତାର ବ୍ୟୁରୋ

ଏନସିସି ଢାଞ୍ଚାରେ ସ୍କୁଲମାନଙ୍କରେ ତିଆରି ହେବେ ପୋଲିସ କ୍ୟାଡେଟ


(ବେତାର ବ୍ୟୁରୋ) କମିଶନରେଟ ପୋଲିସ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ‘ତୁମ ପୋଲିସକୁ ଜାଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଏହାପରେ କମିଶନରେଟ ପୋଲିସ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ପୁଣି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ନାମ ରହିଛି ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ (ଏସ.ପି.ସି)। ଏହା ଅନୁସାରେ ଛାତ୍ରଛାତ୍ରୀମାନେ ଆଗକୁ ପୋଲିସ କ୍ୟାଡେଟ ହୋଇପାରିବେ।

ଆଗରୁ ରହିଥିବା ‘ନ୍ୟାସନାଲ କ୍ୟାଡେଟ କପ୍ସ’ (ଏନ.ସି.ସି) ଢାଞ୍ଚାରେ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ତିଆରି ହେବ। ବିଶେଷ କରି ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମକୁ ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସ୍କୁଲରେ ପହଞ୍ଚାଇବା ପାଇଁ ଯୋଜନା ରଖିଛି।

ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ କାର୍ଯ୍ୟକ୍ରମ ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆଦୃତ ହୋଇପାରିବ ଓ ଏହାଦ୍ୱାରା ଛାତ୍ରଛାତ୍ରୀ ଏବଂ ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ଗଢି ଉଠିବ ବୋଲି ଆଶା କରାଯାଉଛି।

ପୋଲିସ ଷ୍ଟୁଡେଣ୍ଟ କ୍ୟାଡେଟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଜନସାଧାରଣଙ୍କ ନିରାପତ୍ତା, ଧୈର୍ଯ୍ୟ, ସହାନୁଭୂତି, ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସାମାଜିକ ଏକତା, ଟ୍ରାଫିକ ଜ୍ଞାନ ଓ ଦୁର୍ନୀତି ମୁକ୍ତ ପରିବେଶ ସୃଷ୍ଟି କରିବାର ମନୋବଳ ଜାଗ୍ରତ କରିପାରିବ ବୋଲି ପୋଲିସ କମିଶନର ଶ୍ରୀ ସତ୍ୟଜିତ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ପ୍ରତ୍ୟେକ ଥାନାକୁ ଏ ସମ୍ପର୍କୀୟ ପତ୍ର ପ୍ରଦାନ କରାଯାଇଛି। କମିଶନରେଟ ପୋଲିସ ଏନେଇ ପ୍ରତ୍ୟେକ ବିଦ୍ୟାଳୟକୁ ପତ୍ର ଦେବା ସହିତ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେନେଇ ତର୍ଜମା ଆରମ୍ଭ ହୋଇଛି।

ବିଦ୍ୟାଳୟକୁ ମିଳିବ ସହାୟତା

ଏହି କାର୍ଯ୍ୟକ୍ରମ ବାବଦରେ ବିଦ୍ୟାଳୟ ଗୁଡିକୁ ଟ.50,000 ସହାୟତା ଯୋଗାଇ ଦିଆଯିବ। ଏହାସହିତ ପରବର୍ତ୍ତୀ ସମୟରେ ବିଦ୍ୟାଳୟର ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟଙ୍କ ପାଇଁ ପୋଲିସ ଚାକିରୀରେ ମଧ୍ୟ କିଛି ପଦବୀ ସଂରକ୍ଷଣ  ରଖିବାକୁ ଯୋଜନା ରହିଛି ବୋଲି କମିଶନର ଶ୍ରୀ ସତ୍ୟଜିତ ମହାନ୍ତି କହିଛନ୍ତି।

ସମ୍ପ୍ରତି ପ୍ରତିଯୋଗୀତା ପୂର୍ଣ୍ଣ ଏବଂ ଆଧୁନିକ ଯୁଗରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ କ୍ୟାରିୟର ଗଠନ ଓ ଅଧିକ ରୋଜଗାର ଉପରେ ଗୁରୁତ୍ଵ ଦେଉଛନ୍ତି। ବିଦ୍ୟାଳୟ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଉପରେ ଅଧ୍ୟୟନ ପାଇଁ ଚାପ ସୃଷ୍ଟି କରାଯାଉଛି। ଇଣ୍ଟରନେଟ ଏବଂ ନୂତନ ବୈଷୟିକ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ଅଧିକ ତ୍ୱରାନ୍ୱିତ କରୁଛି। ହେଲେ ଏହାର ପ୍ରତିକୂଳ ପ୍ରଭାବ ସମାଜ ଉପରେ ପଡୁଛି। ଯାହାଫଳରେ ସମାଜରେ ଅଧିକ ଅପରାଧ ଓ ବଳତ୍କାର ଭଳି ଘଟଣା ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।

#studentpolicecadet #commissionerpolice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon