• ବେତାର ବ୍ୟୁରୋ

ଭୁବନେଶ୍ଵର ଏମସରେ ଅନଲାଇନ ନାମ ପଞ୍ଜୀକରଣ ଆରମ୍ଭ


(ବେତାର ବ୍ୟୁରୋ) ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ସେବା ପାଇବା ପାଇଁ ଆଉ ଲମ୍ବା ଲାଇନରେ ଠିଆ ହେବାକୁ ପଡିବ ନାହିଁ। କେନ୍ଦ୍ର ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ବିଭିନ୍ନ ପ୍ରମୁଖ ଡାକ୍ତରଖାନାରେ ରୋଗୀଙ୍କୁ ଅନଲାଇନରେ ଚିକିତ୍ସା ସେବା ପ୍ରଦାନ ପାଇଁ ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ଅନୁସାରେ ଗତ ବୁଧବାର ଠାରୁ ଭୁବନେଶ୍ଵର ଏମସରେ ଚିକିତ୍ସା ସେବା ପାଇଁ ଅନଲାଇନ ନାମ ପଞ୍ଜୀକରଣ ସୁବିଧା ଆରମ୍ଭ ହୋଇଯାଇଛି।

ଏଥିପାଇଁ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ସକାଳ 7.30ରୁ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ଅନଲାଇନରେ ଏମସ ୱେବସାଇଟରେ ନାମ ପଞ୍ଜୀକରଣ କରିପାରିବେ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)ରେ ଚିକିତ୍ସା ପାଇଁ ଦିନକୁ ପ୍ରାୟ 3000ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି। ନାମ ପଞ୍ଜୀକରଣ ପାଇଁ ସେମାନଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡିଥାଏ। ତେବେ ଅନଲାଇନ ରେଜିଷ୍ଟ୍ରେଶନ ହେବା ପରେ ରୋଗୀଙ୍କୁ ଏହି ଅସୁବିଧା ଭୋଗ କରିବାକୁ ପଡିବ ନାହିଁ।

ଗର୍ଭବତୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)କୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ଅସୁସ୍ଥ ରୋଗୀ, 7ରୁ 9 ମାସ ଗର୍ଭବତୀ ଥିବା ମହିଳା, 70ବର୍ଷରୁ ଉର୍ଦ୍ଧ୍ଵ ବୟସର ନାଗରିକ ଓ ନିଜର ଯତ୍ନ ନେଇ ପାରୁନଥିବା ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଟିକେଟ କାଟିବା ପାଇଁ ଲମ୍ବା ଧାଡିରେ ଠିଆ ହେବାକୁ ପଡିବ ନାହିଁ ଓ ଚିକିତ୍ସା ସେବା ପାଇଁ ସିଧାସଳଖ ଡାକ୍ତରଙ୍କ ସହ ସାକ୍ଷାତ କରିବାକୁ ଟିକେଟ ନେଇପାରିବେ।

ସାରାଦେଶରେ ମୋଟ 179 ଡାକ୍ତରଖାନାରେ 1593 ବିଭାଗରେ ଚିକିତ୍ସା ସେବା ପାଇଁ ଅନଲାଇନ ନାମ ପଞ୍ଜୀକରଣ ସୁବିଧା ରହିଛି। ଗୁରୁବାର ସୁଦ୍ଧା ସବୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅନଲାଇନରେ 18ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା ବେଳେ ଭୁବନେଶ୍ଵର ଏମସରେ 83ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି।

ପୂର୍ବରୁ ମଧ୍ୟ 2016 ମସିହା ଫେବୃୟାରୀ ମାସରେ ଭୁବନେଶ୍ଵର ଏମସ ପକ୍ଷରୁ ଅନଲାଇନ ରେଜିଷ୍ଟ୍ରେସନ ସିଷ୍ଟମ ପ୍ରଚଳନ କରଯାଇଥିଲା। ରୋଗୀମାନେ ଅନଲାଇନରେ ଚିକିତ୍ସା ପାଇଁ ରେଜିଷ୍ଟ୍ରେସନ କରିପାରୁଥିଲେ। ତେବେ ପ୍ରାୟ ଦୁଇବର୍ଷ ହେବ ଏହି ସେବା ବନ୍ଦ ହୋଇଯାଇଥିଲା। ଯେଉଁ ୱେବସାଇଟରେ ନାମ ପଞ୍ଜୀକରଣ ହେଉଥିଲା ତାହା କାମ କରୁନଥିଲା। ବର୍ତ୍ତମାନ ତାହା ସଜଡା ହୋଇଯାଇଛି ଓ ସଠିକ ଭାବରେ କାମ କରୁଛି ବୋଲି ଏମସ କର୍ତ୍ତୃପକ୍ଷ କହିଛନ୍ତି।

#onlineregistration #aiims #bhubaneswar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon