• ବେତାର ବ୍ୟୁରୋ

ଆରମ୍ଭ ହେବ ଏସିଆ କପ'18 : ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ତଥ୍ୟ


(ବେତାର ବ୍ୟୁରୋ) ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ 2018। ଏସିଆ ମହାଦେଶର ଛଅଟି କ୍ରିକେଟ ଦଳ ମଧ୍ୟରୁ କେଉଁ ଦଳ ସବୁଠାରୁ ଶ୍ରେଷ୍ଠ ତାହା ଏହି ଏସିଆ କପ 2018ରୁ ଜଣା ପଡିବ। ଦୁବାଇରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗୀତାରେ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ଥାନ, ବାଂଲାଦେଶ ଭଳି ଆଇସିସି ମାନ୍ୟତାପ୍ରାପ୍ତ ଦେଶ ସହିତ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂ ମଧ୍ୟ ଖେଳିବ।

ତେବେ ଆଜିର ଉଦଘାଟନୀ ମ୍ୟାଚରେ ଗ୍ରୁପ-ବି ର ଦୁଇଦଳ ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହେବେ। ଏହାର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲରେ ଦେବ। ଅପରାହ୍ନ 4.30ରେ ଟସ ପଡିବ ଓ 5ଟାରେ ଖେଳ ଆରମ୍ଭ ହେବ।

ଶ୍ରୀଲଙ୍କା ଦଳ ପାଞ୍ଚ ଥର ବିଜେତା ହୋଇଥିବା ବେଳେ ବାଂଲାଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଫି ଜିତିପାରି ନାହିଁ, କିନ୍ତୁ 2012 ଓ 2016 ରେ ବାଂଲାଦେଶ ଉପବିଜେତା ରହିଥିଲା। ଉଭୟ ଦଳର ପୂର୍ବ ପ୍ରଦର୍ଶନ ଭଲ ରହିଥିବାରୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଏସିଆ କପ 2018 ପାଇଁ ଛଅଟି ଦଳକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ-ଏ ରେ ଭାରତ, ପାକିସ୍ଥାନ ଓ ହଂକଂ ରହିଥିବା ବେଳେ ଗ୍ରୁପ-ବି ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ଥାନ ରହିଛି। ପ୍ରତ୍ୟେକ ଦଳ ନିଜ ଗ୍ରୁପରେ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳର ଗ୍ରୁପ ଶ୍ରେଷ୍ଠ ଦୁଇ ଦଳ ସୁପର-4ରେ ପହଞ୍ଚିବେ । ଏହି ଚାରିଦଳ ମଧ୍ୟରେ ମୁକାବିଲା ହେବ ଓ ଶ୍ରେଷ୍ଠ ଦୁଇଦଳ ସେପ୍ଟେମ୍ବର 28 ତାରିଖରେ ଫାଇନାଲ ମ୍ୟାଚ ଖେଳିବେ।

ଭାରତ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଏସିଆ କପରେ ସବୁଠାରୁ ଅଧିକ ଛଅ ଥର ବିଜେତା ହୋଇପାରିଛି। ଭାରତୀୟ ଦଳ ଏସିଆ କପରେ ବର୍ତ୍ତମାନ ପର୍ଯ୍ୟନ୍ତ 48ଟି ମ୍ୟାଚ ଖେଳିଛି ଓ ସେଥିରୁ 31ଟି ମ୍ୟାଚ ଜିତିଛି, 16ଟି ମ୍ୟାଚ ହାରିଛି ଓ ଗୋଟିଏ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରାଯାଇ ପାରିନଥିଲା।

ଭାରତ ଏହି ଏସିଆ କପରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର 18 ତାରିଖରେ ହଂକଂ ବିପକ୍ଷରେ ଖେଳିବ। ଏହାପରେ ଦ୍ଵିତୀୟ ମ୍ୟାଚ ସେପ୍ଟେମ୍ବର 19 ତାରିଖରେ ପାକିସ୍ଥାନ ବିପକ୍ଷରେ ଖେଳିବ। ବିରାଟ କୋହଲିଙ୍କୁ ଏସିଆ କପରେ ସାମିଲ କରାନଯାଇ ବିଶ୍ରାମ ଦିଆଯାଇଥିବା ବେଳେ, ଦଳର ଅଧିନାୟକ ଦାୟିତ୍ଵ ରୋହିତ ଶର୍ମାଙ୍କ ଉପରେ ନ୍ୟସ୍ତ କରାଯାଇଛି।

#cricket #asiacup

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon