• ବେତାର ବ୍ୟୁରୋ

ଅନଲାଇନରେ ମିଳିବ ବୋର୍ଡ/ୟୁନିଭର୍ସିଟି ସାର୍ଟିଫିକେଟ


(ବେତାର ବ୍ୟୁରୋ) ଏଣିକି ଛାତ୍ରଛାତ୍ରୀମାନଙ୍କୁ ବୋର୍ଡ ଏବଂ ୟୁନିଭର୍ସିଟି ପ୍ରମାଣପତ୍ର ପାଇଁ ବୋର୍ଡ ବା ୟୁନିଭର୍ସିଟି କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଛାତ୍ରଛାତ୍ରୀମାନେ ସେମାନଙ୍କର ବୋର୍ଡ ବା ୟୁନିଭର୍ସିଟି ପ୍ରମାଣପତ୍ର ଅନଲାଇନ ପୋର୍ଟାଲ ଲୋକସେବା.ଓଡିଶା.ଇନ (lokaseba.odisha.in)ରେ ଆବେଦନ କରିପାରିବେ।

ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନିଜ ୟୁଜର ଆଇଡି ଓ ପାସୱାର୍ଡ କରିବାକୁ ପଡିବ ଏବଂ ଏହି ଆଇଡି ମାଧ୍ୟମରେ ଆବେଦନ କରିପାରିବେ । ସାର୍ଟିଫିକେଟ ପାଇଁ ଆବଶ୍ୟକ ଦେୟ ମଧ୍ୟ ଅନଲାଇନ ବ୍ୟାଙ୍କ ସେବା ମାଧ୍ୟମରେ ଦାଖଲ କରାଯାଇ ପାରିବ। ଆବେଦନ ପତ୍ରକୁ ପଇଠ କରିବା ପରେ ଆବେଦନକାରୀଙ୍କୁ ଏକ ରସିଦ ମିଳିବ ଓ ଏହାର କାର୍ଯ୍ୟ ଅନଲାଇନରେ ଆରମ୍ଭ ହେବ। ଅଧିକାରୀଙ୍କ ଦ୍ଵାରା ଶେଷ ମଞ୍ଜୁରୀ ପାଇ ଅନୁମୋଦନ ହେବା ପରେ ସାର୍ଟିଫିକେଟ ଡାଉନଲୋଡ କରିବା ପାଇଁ ଆବେଦନକାରୀଙ୍କୁ ଏକ ଏସ.ଏମ.ଏସ ଯିବ।

ଡିସେମ୍ବର ସୁଦ୍ଧା ବ୍ୟବସ୍ଥା

ରବିବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟ ଠାରେ ଏ ପ୍ରକାର ୮ଟି ସେବାକୁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଆସନ୍ତା ୨ ରୁ ୩ ମାସ ମଧ୍ୟରେ ଏହି ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସରକାରୀ ସେବା ଆଧୁନୀକରଣ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦରଖାସ୍ତ ଗ୍ରହଣ, ପ୍ରକ୍ରିୟାକରଣ, ବୈଧକରଣ, ଦେୟ ଆଦାୟ, ଅନୁମୋଦନ ଏବଂ ପ୍ରମାଣପତ୍ର ପ୍ରଦାନ ଆଦି ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ବ୍ୟକ୍ତି ନିୟନ୍ତ୍ରଣ ମୁକ୍ତ ଓ ଯନ୍ତ୍ରଚାଳିତ କରିବା ପାଇଁ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।

ନୂତନଭାବେ ଅନଲାଇନ କରାଯାଉଥିବା ଏହି ୮ଟି ସେବା ବିଷୟରେ ସୂଚନା ଦେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କହିଥିଲେ ଯେ, “ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬ଟି ସେବା ଏବଂ ଉଚ୍ଚଶିକ୍ଷା ବିଭାଗର ୨ଟି ସେବା ଏହାର ଅନ୍ତର୍ଭୁକ୍ତ ହୋଇଛି। ଏଗୁଡିକ ହେଲା ହାଇସ୍କୁଲ ମାର୍କସିଟର ନକଲ, ବୋର୍ଡ ସାର୍ଟିଫିକେଟର ନକଲ, ବୈଧକରଣ ପ୍ରମାଣ, ବୋର୍ଡର ପ୍ରୋଭିଜନାଲ୍ ଏବଂ ବିଶ୍ୱବିଦ୍ୟାଳୟର ମାଇଗ୍ରେସନ ସାର୍ଟିଫିକେଟ ଇତ୍ୟାଦି ।“ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦିପ୍ତ କୁମାର ମହାପାତ୍ର କହିଥିଲେ ଯେ, “ଏଣିକି ବିଭିନ୍ନ ପ୍ରକାର ସାର୍ଟିଫିକେଟ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବୋର୍ଡ ବା ୟୁନିଭରସିଟି କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ନିଜ ଘରେ କିମ୍ବା ଯେକୌଣସି ସର୍ଭିସ ସେଣ୍ଟରରୁ ସେମାନେ ଏହି ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ ।“

#board #univercity #cartificate

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon