- ବେତାର ବ୍ୟୁରୋ
ଟ୍ରାଫିକ ପୋଲିସକୁ ମୋବାଇଲ ଆପରେ ଦେଖାଇହେବ ଡ୍ରାଇଭିଙ୍ଗ ଲାଇସେନ୍ସ

(ବେତାର ବ୍ୟୁରୋ) ଗାଡି ଚଲାଇ ଯାଉଥିବାବେଳେ ଗାଡି ଚାଳକମାନେ ପ୍ରାୟ ସମୟରେ ନିଜ ସହିତ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପଞ୍ଜୀକରଣ ପ୍ରମାଣପତ୍ର (ଆରସି ବୁକ)ରଖିବାକୁ ଭୁଲି ଯାଇଥାଆନ୍ତି। ଯାହାଫଳରେ ରାସ୍ତାରେ ପୋଲିସ କିମ୍ବା ପରିବହନ ବିଭାଗର ଯାଞ୍ଚ ସମୟରେ ଅସୁବିଧାରେ ପଡିଥାଆନ୍ତି। ତେବେ ଆଗକୁ ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହି କାମ ଆପଣ ନିଜ ମୋବାଇଲ ଫୋନରେ କରିପାରିବେ।
ଏଥିପାଇଁ କେବଳ ଆପଣଙ୍କୁ ସ୍ମାର୍ଟଫୋନରେ ଦୁଇଟି ଆପ ଡାଉନଲୋଡ କରିବାକୁ ପଡିବ।
କେନ୍ଦ୍ର ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ଏବଂ ପରିବହନ ମନ୍ତ୍ରଣାଳୟ ତରଫରୁ ଦୁଇଟି ମୋବାଇଲ ଆପରେ ଏହି ସୁବିଧା ଉପଲବ୍ଧ ହେଉଛି। ପ୍ରଥମଟି ହେଉଛି ‘ଡିଜିଲକର ଆପ’, ଏଥିରେ ଆପଣ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସକୁ ସଂରକ୍ଷିତ କରି ରଖିପାରିବେ ଓ ଦ୍ଵିତୀୟଟି ହେଉଛି ‘ଏମ ପରିବହନ ଆପ’, ଏଥିରେ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଡିଜିଟାଲ ଫର୍ମାଟରେ ସଂରକ୍ଷିତ ହୋଇ ରହିପାରିବ।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ଯାଞ୍ଚ ସମୟରେ ଦୁଇଟି ଯାକ ଆପରେ ପ୍ରମାଣପତ୍ର ଗ୍ରହଣ ପାଇଁ ପରିବହନ କମିଶନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏହି ଦୁଇଟି ଆପରେ ସମସ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆରସି ବୁକ ଅପଲୋଡ ହୋଇସାରିଛି ବୋଲି ମଧ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ
ଅଧିକାରୀ ସୂଚନା ଦେଇଛନ୍ତି।
ଏହାକୁ ଦେଖିବା ପାଇଁ ପ୍ରଥମେ ନିଜ ମୋବାଇଲରେ ‘ଡିଜିଲକର ଆପ’ ଓ ‘ଏମ ପରିବହନ ଆପ’ ଡାଉନଲୋଡ କରି ଆବଶ୍ୟକ ତଥ୍ୟ ପ୍ରଦାନ କରି ନିଜକୁ ପଞ୍ଜୀକୃତ କରିବେ। ଏହାପରେ ଉଭୟ ଆପରେ ନିଜ ନାମ ଓ ଜନ୍ମ ତାରିଖ ଟାଇପ କାଲେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆରସି ବୁକ ଦେଖିପାରିବେ। ଯଦି ଜଣେ ବ୍ୟକ୍ତିଙ୍କର ଲାଇସେନ୍ସ ବାତିଲ ହୋଇଥାଏ ତାହା ମଧ୍ୟ ଏହି ଆପରେ ଦେଖି ହେବ।
ସେହିପରି ଗାଡିର ଫିଟନେସ, ପରମିଟ ଓ ପଞ୍ଜୀକରଣ ତଥ୍ୟ ମୋବାଇଲରେ ଦେଖିବା ସମ୍ଭବ ହୋଇପାରୁଛି। ଯଦି ପୂର୍ବରୁ କୌଣସି ବାହାନ ବିରୋଧରେ ଚାଲାଣ କଟାଯାଇଥାଏ ତେବେ ତାହା ମଧ୍ୟ ଆପରେ ପ୍ରଦର୍ଶିତ ହେବ। ଯାହାଦ୍ୱାରା ଯାଞ୍ଚ ସମୟରେ ଉଭୟ କର୍ତ୍ତୃପକ୍ଷ ଓ ଗାଡିଚାଳକଙ୍କୁ ସମସ୍ୟା ଭୋଗିବାକୁ ପଡିବ ନାହିଁ। ଏହାସହିତ କର୍ତ୍ତୃପକ୍ଷ ଇ-ଚାଲାଣ ମଧ୍ୟ କାଟିପାରିବେ।