• ବେତାର ବ୍ୟୁରୋ

ଏସିଆ କପରେ ଆଜି  ଭାରତ ବନାମ ହଂକଂ: ଓଡ଼ିଆ କ୍ୟାପଟେନଙ୍କ ପରୀକ୍ଷା


(ବେତାର ବ୍ୟୁରୋ) ଏସିଆ କପ 2018ରେ ଭାରତ ଆଜି ହଂକଂ ବିରୁଦ୍ଧରେ ଏହାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ବୁଧବାର ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ ଅନୁଷ୍ଠିତ ହେବା ପୂର୍ବରୁ ଆଜିର ମ୍ୟାଚ ଭାରତୀୟ ଦଳ ନିଜର ଦକ୍ଷତା ପରଖିବାକୁ ସୁଯୋଗ ଆଣିଦେଇଛି।

ତେବେ ଚଳିତ ଏସିଆ କପରେ ନିୟମିତ କ୍ୟାପଟେନ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର କ୍ୟାପଟେନର ଭାର ଦିଆଯାଇଛି। ଏପରି ସମୟରେ ଧୋନୀଙ୍କର ଅଭିଜ୍ଞତା ଦଳ ପାଇଁ ବେଶ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ବହନ କରିବ। ଯଦିଓ ହଂକଂକୁ ହରାଇବା ଭାରତ ପକ୍ଷେ ସେତେଟା କଷ୍ଟକର କଥା ନହୋଇପାରେ, ତେବେ ଭାରତର ପ୍ରଦର୍ଶନ କିପରି ରହୁଛି ତା ଉପରେ ସମସ୍ତଙ୍କର ଧ୍ୟାନ ରହିବ।

ହଂକଂ ଦଳ ନିଜ ପ୍ରଥମ ମ୍ୟାଚରେ ପାକିସ୍ଥାନ ଠାରୁ ଆଠ ୱିକେଟରେ ପରାସ୍ତ ହୋଇଥିଲା, ତେବେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ଦଳ ଆଶା ରଖିଛି। ତେବେ ଭାରତୀୟ ଦଳ ହଂକଂକୁ ଏତେ ହଲକାରେ ନେବା ଉଚିତ ହେବ ନାହିଁ କାରଣ ହଂକଂ ଦଲ କ୍ଵାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟରେ ୟୁଏଇକୁ ଦୁଇଥର ଓ ନେପାଳକୁ ଗୋଟିଏ ଥର ପରାସ୍ତ କରି ମୁଖ୍ୟ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇପାରିଛି।

ପୂର୍ବରୁ ଏସିଆ କପ 2008ରେ ଏହି ଦୁଇଦଳ ପରସ୍ପର ବିରୁଦ୍ଧରେ ଖେଳିଥିଲେ। ସେହି ମ୍ୟାଚରେ ଭାରତ 257ରନରେ ମ୍ୟାଚ ଜିତିଥିଲା। ଏହା ୱାନଡେ ଇଣ୍ଟରନାସିନାଲରେ ଭାରତର ଦ୍ଵିତୀୟ ସବୁଠାରୁ ବଡ ବିଜୟ ଅଟେ। ତେବେ ଆଜିର ମ୍ୟାଚରେ ମଧ୍ୟ ଭାରତ ଏହାର ପୁନରାବୃତ୍ତି କରୁବୋଲି ଭାରତୀୟ ଦଳ ସହିତ ଦର୍ଶକମାନେ ମଧ୍ୟ ଆଶା ରଖିଛନ୍ତି।

ହଂକଂର ନେତୃତ୍ଵ ନେବେ ଓଡିଆ ପୁଅ

ସମ୍ପ୍ରତି ଭାରତୀୟ ଦଳରେ ଗୋଟିଏ ହେଲେବି ଓଡିଆ ଖେଳାଳୀ ନଥିଲେ ମଧ୍ୟ ଆଜିର ମ୍ୟାଚରେ ଓଡିଆ ଖେଳାଳୀଙ୍କୁ ଦେଖିବାକୁ ମିଳିବ। କାରଣ ହଂକଂର ଦଳର ନେତୃତ୍ଵ ଦାୟିତ୍ଵରେ ଥିବା ଅଂଶୁମାନ ରଥ ହେଉଛନ୍ତି ଜଣେ ଓଡିଆ। ଅଂଶୁମାନଙ୍କ ପିତା ଜଣେ ଓଡିଆ କିନ୍ତୁ ସେ ଲଣ୍ଡନରେ ପାଠ ପଢିଛନ୍ତି ଓ ହଂକଂରେ ବଡ ହୋଇଛନ୍ତି।

ଅଂଶୁମାନ ମାତ୍ର 7ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରି ମାତ୍ର 20 ବର୍ଷ ବୟସରେ ହଂକଂ ଜାତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ସେଥିଲାଗି ଜଣେ ଭାରତୀୟ ବଂଶୋଦ୍ଭବ ହୋଇ ଭାରତ ବିପକ୍ଷରେ ନେତୃତ୍ଵ ନେବାର ନିଆରା କିର୍ତ୍ତୀ ଆଜି ଅଂଶୁମାନ କରିବେ।

#cricket #asiacup2018

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon