- ବେତାର ବ୍ୟୁରୋ
କେବଳ ବିଗବସ ନୁହେଁ, ଏହି ଶୋ'ରୁ ମଧ୍ୟ ବାହାରିବାକୁ କହିଥିଲେ ଶ୍ରୀସନ୍ଥ

(ବେତାର ବ୍ୟୁରୋ) ବିଗବସ 12 ଘରେ ପ୍ରତିଯୋଗୀ ଭାବେ ପ୍ରବେଶ କରିଥିବା କ୍ରିକେଟର ଶ୍ରୀସନ୍ଥଙ୍କ ସ୍ଵଭାବ ଅଧିକାଂଶ ଲୋକଙ୍କୁ ଜଣା। ତାଙ୍କର ଏହି ସ୍ଵଭାବ ପାଇଁ ସେ ଚର୍ଚ୍ଚାରେ ରହିଥାଆନ୍ତି। ବିଗବସ 12 ଆରମ୍ଭ ହେବାର ମାତ୍ର ଦୁଇଦିନ ମଧ୍ୟରେ ଘରେ ଶ୍ରୀସନ୍ଥଙ୍କର ରାଗି ସ୍ଵଭାବ ଦେଖିବାକୁ ମିଳିଛି। ଶ୍ରୀସନ୍ଥ ବିଗବସ ଘରୁ ବାହାରକୁ ଯିବାପାଇଁ ଧମକ ଦେଉଥିବାର ଦେଖିବାକୁ ମିଳିଛି।
ବିଗବସ12 ରେ ଯୋଡି ଭାବରେ ପ୍ରବେଶ କରିଥିବା ଖାନ ଶିଷ୍ଟର ସବା ଖାନ ଓ ସୋମି ଖାନ ପ୍ରଥମ ଦିନ ରାତିରେ ଘରର ସଦସ୍ୟଙ୍କ ସହିତ ମିଛିମିଛିକା ଗଣ୍ଡଗୋଳର ନାଟକ ବା ପ୍ରାଙ୍କ କରିଥିଲେ। ଶ୍ରୀସନ୍ଥ ଏହାକୁ ନେଇ ବିଲକୁଲ ଖୁସି ନଥିଲେ। ତେଣୁ ସେ ଠିକ କରିଥିଲେ ଘର ଲୋକଙ୍କ ସହ ସେହିଭଳି କିଛି ପ୍ରାଙ୍କ କରିବେ ବୋଲି।
ହେଲେ ତାଙ୍କର ଏହି ଯୋଜନା ବିଫଳ ହେଇଥିଲା ଓ ବିଗବସ ପ୍ରତିଯୋଗୀମାନଙ୍କୁ ଦିଆଯାଉଥିବା ଟାସ୍କକୁ ରଦ୍ଦ କରିଦେଇଥିଲେ।
ପ୍ରଥମ କାର୍ଯ୍ୟରେ ଶ୍ରୀସନ୍ଥ ବଜର ବଜାଇ ଶିବାଶିଷ ଓ ସୌରଭଙ୍କର ଯୋଡିକୁ ଦୁର୍ବଳ ଯୋଡି ଭାବେ
ଦର୍ଶାଇବେ ବୋଲି ବାଛିଥିଲେ। କିନ୍ତୁ ଘରର ସମସ୍ତ ସଦସ୍ୟଙ୍କ ଆଗରେ କନଫରେନ୍ସ ସମୟରେ ସେ କିଛି ବି କାରଣ ଦର୍ଶାଇ ନଥିଲେ ଓ କାର୍ଯ୍ୟରୁ ପଛଘୁଞ୍ଚା ଦେଇଥିଲେ। ଏଥିପାଇଁ ବିଗବସ ଏହି କାର୍ଯ୍ୟକୁ ବନ୍ଦ କରିଦେଇଥିଲେ ଓ ସବୁ ସଦସ୍ୟଙ୍କର ପରିଶ୍ରମ ବେକାର ହୋଇଯାଇଥିଲା।
ଶ୍ରୀସନ୍ଥଙ୍କର ଏପରି କାର୍ଯ୍ୟକଳାପରେ ଘରର ସଦସ୍ୟମାନେ ନିରାଶ ହୋଇଥିଲେ ତାଙ୍କୁ ଦୋଷୀ ବୋଲି କହିଥିଲେ। ଏହାପରେ ଖାନ ଭଉଣୀଙ୍କ ସହିତ ମଧ୍ୟ ତାଙ୍କର ଝଗଡା ହୋଇଥିଲା ଓ ସେ ନିଜ ମାଇକ
ବାହାର କରି ଘରୁ ବାହାରକୁ ଯିବା ପାଇଁ ଚେଷ୍ଟା କରିଥିଲେ।
ତେବେ ଏହି ଘଟଣା ପ୍ରଥମ ଥର ନୁହେଁ ଶ୍ରୀସନ୍ଥ ଆଗରୁ ମଧ୍ୟ ‘ଝଲକ ଦିଖିଲା ଜା 7’ରୁ ଶୋ କୁ ମଝିରୁ ଛାଡି ଦେଇଥିଲେ। ରିପୋର୍ଟ ମୁତାବକ ଝଲକ ଦିଖିଲାଜାର ଗୋଟିଏ ଏପିସୋଡରେ ତାଙ୍କର ଡ୍ୟାନ୍ସ ବିଳମ୍ବରେ ଶୁଟିଙ୍ଗ ହେବାର ଥିଲା। ହଠାତ ତାଙ୍କ ଡ୍ୟାନ୍ସକୁ ପ୍ରଥମକୁ ଆଣିବା ପାଇଁ ଟିମ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ଓ ଏଥିରେ ସେ ରାଗି ଯାଇ ଶୋ’କୁ ଅଧାରୁ ଛାଡି ଦେଇଥିଲେ।