• ବେତାର ବ୍ୟୁରୋ

ଝଡବାତ୍ୟାର ଆଶଙ୍କା : ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ


(ବେତାର ବ୍ୟୁରୋ) ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଡିପ ଡିପ୍ରେସନରେ ପରିଣତ ହୋଇଛି ଓ ଏହାର ପ୍ରଭାବରେ ଗୁରୁବାର ମଧ୍ୟରାତ୍ରରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ଝଡବାତ୍ୟା ହେବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ଗୋପାଳପୁର ଠାରୁ ୩୦୦ କିଲୋମିଟର ଦୂରତାରେ ରହିଛି। ଏହି ଘୂର୍ଣ୍ଣିବଳୟ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣାମ ଏବଂ ପୁରୀ ଉପକୂଳ ଦେଇ ଗତିକରିପାରେ ବୋଲି ଅନୁମାନ କରାଯାଇଛି।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମଧ୍ୟ ରାତ୍ରିରୁ ଘଣ୍ଟା ପ୍ରତି ୬୦ ରୁ ୮୦ କିଲୋମିଟର ବେଗର ପବନ ବହିବ ଓ ବର୍ଷାର ପରିମାଣ ମଧ୍ୟ ବଢିବାର ଆଶଙ୍କା ରହିଛି। ତେବେ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ ଏହି ଘୂର୍ଣ୍ଣିବଳୟ ସ୍ଥଳ ଭାଗରେ ପହଞ୍ଚିବା ପରେ ଦୁର୍ବଳ ହୋଇଯିବ।

ଘୂର୍ଣ୍ଣିବଳୟର ପ୍ରଭାବରେ ଓଡିଶା ସମେତ ୯ଟି ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି। ଏଥିଲାଗି ସତର୍କ ରହିବା ପାଇଁ ଉକ୍ତ ରାଜ୍ୟକୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଓଡିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଏବଂ ବିଶାଖାପାଟଣା, ଭାଇଜାକ ଓ ସିରିକୁଲମରେ ପ୍ରବଳ ବର୍ଷା ସହିତ କ୍ଷୟକ୍ଷତି ହୋଇପାରେ ବୋଲି ସୂଚନା ମିଳିଛି।

ଓଡିଶା, ଆଭ୍ୟନ୍ତରୀଣ ଆନ୍ଧ୍ରପ୍ରଦେଶ, ତେଲେଙ୍ଗନା, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଓ ପୂର୍ବ ରାଜସ୍ଥାନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହି ଘୂର୍ଣ୍ଣିବଳୟ ଯୋଗୁଁ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି। ସମୁଦ୍ର ଭିତରକୁ ନ ଯିବାପାଇଁ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି। ସେହିପରି ଓଡିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

#weather #weatherreport #cyclone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon