- ବେତାର ବ୍ୟୁରୋ
ଭାରତୀୟ ମୁଦ୍ରା ଦୁର୍ବଳ ପ୍ରଭାବ : ପ୍ରବାସୀ ଭାରତୀୟ ଛାତ୍ର କମ ଖାଉଛନ୍ତି, କରୁଛନ୍ତି ପାର୍ଟ ଟାଇମ ଚାକିରୀ

(ବେତାର ବ୍ୟୁରୋ) ଡଲାର ତୁଳନାରେ ଭାରତୀୟ ମୁଦ୍ରା ଲଗାତର ଭାବରେ ଦୁର୍ବଳ ହେଉଥିବାରୁ ଆମେରିକାରେ ରହୁଥିବା ଭାରତୀୟ ଛାତ୍ରଙ୍କ ସମସ୍ୟା ବଢିବାରେ ଲାଗିଛି ଓ ତାଙ୍କ ଅବିଭାବକଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଆମେରିକାରେ ନିଜର ଖର୍ଚ୍ଚ ଉଠାଇବା ପାଇଁ ସେମାନେ ପାର୍ଟ ଟାଇମ ଚାକିରୀ କରୁଛନ୍ତି ଓ କମ ଖାଉଛନ୍ତି।
କିଛି କିଛି ଅବିଭାବକଙ୍କର ଏକରୁ ଅଧିକ ପିଲା ଆମେରିକାରେ ରହି ପାଠ ପଢୁଛନ୍ତି। ଡଲାର ମୂଲ୍ୟ ଭାରତୀୟ ଟଙ୍କା ତୁଳନାରେ ବଢିଥିବାରୁ ବିଦେଶରେ ଖର୍ଚ୍ଚ ୭% ରୁ ୯% ବଢିଯାଇଛି। ଏହା ସେଠାରେ ରହି ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସମସ୍ୟାର କାରଣ ହେଇଚି ବୋଲି ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମସ ଏକ ଖବରରେ କହିଛି।
ଏହି ଖବର ମୁତାବକ ମୁମ୍ବାଇରେ ରହୁଥିବା ଜନୈକ ବେଦକଙ୍କର ଦୁଇଜଣ ସନ୍ତାନ ଆମେରିକାରେ ରହି ପଢୁଛନ୍ତି। ଗତ ଛଅ ମାସରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟ.୬୫ ରୁ ଟ.୭୨ରେ ପହଞ୍ଚିବା ପରେ ସେ ତାଙ୍କର ବଡପୁଅର ସମାବର୍ତ୍ତନ ଉତ୍ସବକୁ ଯିବା ଯୋଜନାକୁ ରଦ୍ଦ କରିଦେଇଛନ୍ତି।
ସେହିପରି ୟୁନିଭର୍ସିଟି ଅଫ ଟେକ୍ସାସରେ ପଢୁଥିବା ୨୨ବର୍ଷୀୟ ଅଙ୍କୁର ବୈଶମପାୟନ ଗତ ଦୁଇ ସପ୍ତାହ ହେବ ନିଜ ଖାଇବା ଖର୍ଚ୍ଚ କମ କରିଛନ୍ତି। ସେ କହିଛନ୍ତି ଯେ, “ମୁଁ ଖାଇବା ପାଇଁ ସବୁଠାରୁ ଶସ୍ତା ପରିବା କିଣୁଛି। ଏହା ମୋ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ମୋର ଅଧିକାଂଶ ବନ୍ଧୁ ସମୟ ବଞ୍ଚାଇବା ପାଇଁ ବାହାରେ ଖାଉଥିବ ବେଳେ ମୁଁ ଅର୍ଥ ବଞ୍ଚାଇବା ପାଇଁ ନିଜେ ରୋଷେଇ କରି ଖାଉଛି। କଖାରୁ ଓ ଲାଉ ସବୁଠାରୁ ଶସ୍ତା ପରିବା ଅଟେ ଓ ମୁଁ ଏହାକୁ ସପ୍ତାହକୁ ଚାରିଥର ଖାଉଛି।“
ୟୁନିଭର୍ସିଟି ଅଫ ଡେଟ୍ରଏଟରେ ମାଷ୍ଟରସ ଇନ ମେକନିକାଲ ଇଞ୍ଜିନିୟରିଂ କରୁଥିବା ୨୩ବର୍ଷୀୟ ନିମିଷ ବାନ୍ଦେକର ନିଜର କୋର୍ସ ଫି ଓ ଖର୍ଚ୍ଚ ପାଇଁ ୩୦ଲକ୍ଷ ଟଙ୍କା ଏପ୍ରିଲ ମାସରେ ଋଣ ନେଇଥିଲେ। ସେହି ସମୟରେ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ଟ.୬୬ ରହିଥିଲା। ମୁଦ୍ରାର ମୂଲ୍ୟ ଦୁର୍ବଳ ହେବା ପରେ ସେ ପାର୍ଟ ଟାଇମ ଚାକିରୀ କରିବା ପାଇଁ ଯୋଜନା କରୁଛନ୍ତି।
ସେହିପରି ଆମେରିକାରେ ମାଷ୍ଟର ଇନ ଇଲେକ୍ଟ୍ରିକାଲ ଓ କମ୍ପ୍ୟୁଟର ଇଞ୍ଜିନିୟରିଙ୍ଗ କରୁଥିବା ୨୧ ବର୍ଷୀୟ ନନ୍ଦନ ବାଡେକର କହିଛନ୍ତି ଯେ, “ ମୋର କୋର୍ସ ଫି ଆଗାମୀ ତିନି ସେମିଷ୍ଟାର ପାଇଁ ଟ.୬୦,୦୦୦ରୁ ଅଧିକ ହେବ। ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଅଛି। ବର୍ତ୍ତମାନ ସମୟରେ ରେଷ୍ଟୁରାଣ୍ଟରୁ କିଣି ଖାଇବା ସମ୍ଭବ ନୁହେଁ, ତେଣୁ ନିଜେ ରୋଷେଇ କରି ଖାଇବାକୁ ପଡିବ।“