• ବେତାର ବ୍ୟୁରୋ

ଶ୍ରୀମନ୍ଦିରର ମିଛ ଅବଢା ଦର ତାଲିକା ହଟିଲା


(ବେତାର ବ୍ୟୁରୋ) ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଶୁକ୍ରବାର ସକାଳେ ଲାଗିଥିବା ମିଛ ଅବଢା ଦରର ତାଲିକାକୁ ହଟାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ଓ ବିନା ଅନୁମୋଦନରେ ଏହି ରେଟ ଚାର୍ଟ ଶ୍ରୀମନ୍ଦିରରେ ଲଗାଯାଇଥିଲା ବୋଲି ସେ କହିଛନ୍ତି।

ଶୁକ୍ରବାର ସକାଳେ କେହି ଜଣେ ଆନନ୍ଦ ବଜାରରେ ଅବଢାର ମୂଲ୍ୟ ଲାଗିଥିବା ଏକ ତାଲିକା ମାରିଥିଲେ। ତେବେ ଏହି ଅବଢା ଦର ତାଲିକାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିନାହିଁ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଶ୍ରୀମନ୍ଦିରର ପରିଚାଳନା କମିଟି ଦ୍ଵାରା ଦର ଧାର୍ଯ୍ୟ କରାଯିବା ପରେ ଦର ତାଲିକା ଲଗାଯିବ ବୋଲି ସେ କହିଛନ୍ତି।

ତେବେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହିଁ ଏହି ଅବଢା ଦର ତାଲିକା ଲଗାଯାଇଥିଲା।

ତିନି ପ୍ରକାର ଥାଳି

କିଛିଦିନ ତଳେ ନିଷ୍ପତ୍ତି ନିଆଯାଇଥିଲା ଯେ ଥାଳି ଦର ଅନୁସାରେ ଆନନ୍ଦ ବଜାରରେ ଅବଢା ମିଳିବ । ସେହି ଅନୁସାରେ ଟ.70, ଟ.୮୦ ଓ ଟ.୧୨୦ ମୂଲ୍ୟର ଥାଳି ମିଳିବ ବୋଲି ନିଷ୍ପତ୍ତି ହେଇଥିଲା। କେଉଁ ଦର ଅନୁସାରେ କଣ କଣ ମିଳିବ ତାହା ମଧ୍ୟ ଆଗରୁ ଅବଗତ କରାଯିବ ଓ ପ୍ରସାଦ କୁଡୁଆ ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର, ସିଂହଦ୍ଵାର ବାଇଶି ପାହାଚ ଓ ଶ୍ରୀ ମନ୍ଦିର ଚାରିଦ୍ଵାରରେ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ବିଶ୍ଵ ପ୍ରସିଦ୍ଧ ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ବିକ୍ରି କଲା ବେଳେ ସୁଆର ସେବାୟତମାନେ ମନଇଚ୍ଛା ମୂଲ୍ୟ କହିଥାଆନ୍ତି। ଶ୍ରଦ୍ଧାଳୁ ମାନେ ଯେପରି ଆଗକୁ ଆଉ ଏପରି ଠକାମିର ଶିକାର ହେବେ ନାହିଁ, ସେଥିଲାଗି ଆନନ୍ଦ ବଜାରରେ ଅବଢା ଦର ତାଲିକା ଲାଗିବାର ନିଷ୍ପତ୍ତି ନିଆଯାଇଥିଲା। କାରଣ ଏନେଇ ଭକ୍ତ ମାନଙ୍କ ଠାରୁ ମଧ୍ୟ ଅନେକ ଥର ଅଭିଯୋଗ କରାଯାଉଥିଲା।

ଦର ତାଲିକା ଲାଗିବା ପରେ ଭକ୍ତ ମାନେ ଅବଢାର ଉଚିତ ମୂଲ୍ୟ ଦେଇ କିଣିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ବର୍ତ୍ତମାନ ମୁଖ୍ୟ ପ୍ରଶାସକ ଓ ଶ୍ରୀ ମନ୍ଦିର କର୍ର୍ତୃପକ୍ଷଙ୍କ ପରସ୍ପର ବିରୋଧୀ ତଥ୍ୟ ଭକ୍ତମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଛି।

#jagannathtemple #anandabajar #religion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon