• ବେତାର ବ୍ୟୁରୋ

ଶ୍ରୀମନ୍ଦିରରେ ରହିବନି ଦାନଥାଳି, ଭକ୍ତମାନଙ୍କ ପାଇଁ ହେବ ବିଶ୍ରାମାଗାର


(ବେତାର ବ୍ୟୁରୋ) ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ଆଗକୁ ମନ୍ଦିର ମଧ୍ୟରେ ଦାନଥାଳି ବା ଦାନପାତ୍ର ରହିପାରିବ ନାହିଁ କି ସେବାୟତ ମାନେ ମଧ୍ୟ ଦାନ ଓ ଦକ୍ଷିଣ ନେଇ ପାରିବେ ନାହିଁ। ଏହାସହିତ ଭକ୍ତ ମାନଙ୍କ ପାଇଁ ବିଶ୍ରାମାଗାରର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସେବାୟତ ମାନଙ୍କ ଦାନ ଓ ଦକ୍ଷିଣ ଉପରେ  ରୋକ ଲଗାଇବା ପାଇଁ  ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରର ଚାରି ଦ୍ଵାରରେ ଚାରିଟି ହୁଣ୍ଡି ଲଗାଯିବ ଓ ଏସବୁକୁ ଅନୁଧ୍ୟାନ କରିବା ପାଇଁ ଆମିକସ କ୍ୟୁରି (କୋର୍ଟ ମିତ୍ର) ପ୍ରତି ଦୁଇ ମାସରେ ଶ୍ରୀମନ୍ଦିର ଆସିବେ। ଶ୍ରୀମନ୍ଦିରରେ ଥିବା ପାର୍ଶ୍ଵ ଦେବାଦେବୀଙ୍କ ଦାୟିତ୍ଵ ମଧ୍ୟ ସଂପୂର୍ଣ୍ଣ ଭାବରେ ପ୍ରଶାସନ ହାତରେ ରହିବ।

ବିଶ୍ରାମାଗାର

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ବିଶ୍ରାମ କରିବା ପାଇଁ ମେଘନାଦ ପାଚେରୀ ଠାରୁ ୫୦ଫୁଟ ମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିଶ୍ରାମସ୍ଥଳ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନେ ସିହ୍ନଦ୍ଵାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନିଟି ଦ୍ଵାର ଦେଇ ପ୍ରସ୍ଥାନ କରିବେ।

ଏହାସହିତ ଶ୍ରୀମନ୍ଦିରରେ ଥିବା ସେବାୟତ ମାନଙ୍କୁ ପରିଚୟ ପତ୍ର ଦିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଧୂଳିଆ ସେବାୟତ ମାନଙ୍କୁ ଅନ୍ୟଏକ ପରିଚୟ ପତ୍ର ପ୍ରଦାନ କରାଯିବ।

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଙ୍କ ବେଶରେ ପହଞ୍ଚିଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କାରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ସାକ୍ଷାତ କରିଥିଲେ ଓ ମନ୍ଦିର ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଗଜପତି ମହାରାଜାଙ୍କୁ ଭେଟି ବିଶଦ ଆଲୋଚନା କରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏପରି ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପୂର୍ବରୁ ମଧ୍ୟ ଭକ୍ତମାନଙ୍କ ଦାନ ଓ ଦକ୍ଷିଣକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଥିଲା। ସେବାୟତ କିମ୍ବା ସେମାନଙ୍କର ସହଯୋଗୀ, ଭକ୍ତମାନେ ଦାନ ଆକାରରେ ଦେଉଥିବା ଅର୍ଥକୁ ଗ୍ରହଣ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୋଟିସ ଲଗାଇ ତାଗିଦ କରଯାଇଥିଲା। ସେତେବେଳେ ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତମାନେ ଗ୍ରହଣ କରିନଥିଲେ ଓ କୋର୍ଟ ନିଷ୍ପତ୍ତିକୁ ଠିକ ଭାବରେ ତର୍ଜମା ନକରାଯାଇ ତରବାରିଆ ଭାବେ ଲାଗୁ କରାଯାଇଛି ବୋଲି ଅଭିଯୋଗ ମଧ୍ୟ କରିଥିଲେ।

#puritemple #shreemandira

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon