- ବେତାର ବ୍ୟୁରୋ
ଏଣିକି ମାଟ୍ରିକ ପ୍ରମାଣପତ୍ର ହିଁ ଆବାସିକ ପ୍ରମାଣପତ୍ର

(ବେତାର ବ୍ୟୁରୋ) ଛାତ୍ରଛାତ୍ରୀମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ମାଟ୍ରିକ ପ୍ରମାଣପତ୍ରକୁ ଆଗକୁ ଆବାସିକ ପ୍ରମାଣପତ୍ର ଭାବେ ବିବେଚନା କରାଯିବ। ଆବାସିକ ପ୍ରମାଣପତ୍ରକୁ ନେଇ ଆଗରୁ ରହିଥିବା ନିୟମାବଳୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସଂଶୋଧନ ଅଣାଯାଇଅଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଉ ଆବାସିକ ପ୍ରମାଣପତ୍ର ପାଇଁ ବାରମ୍ବାର ତହସିଲ ଅଫିସ ଯିବାକୁ ପଡିବ ନାହିଁ।
ତେବେ ଏହି ପ୍ରମାଣପତ୍ରର ବୈଧତା ଏକ ବର୍ଷ ପରିବର୍ତ୍ତେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବ। ସେହିପରି ବିଭାଗ ତରଫରୁ ଦିଆଯାଉଥିବା ଆୟ ପ୍ରମାଣପତ୍ରର ମାନ୍ୟତା ଏଣିକି ଏକ ବର୍ଷ ବଦଳରେ ତିନି ବର୍ଷ ପର୍ଯ୍ୟନ୍ତ ରହିବ। ଯେଉଁ ଛାତ୍ରଛାତ୍ରୀମାନେ ହାଇସ୍କୁଲ ଡିଗ୍ରୀ ହାସଲ କରିନାହାନ୍ତି ସେମାନଙ୍କୁ ଆଗରୁ ଥିବା ନିୟମ ଅନୁଯାୟୀ ଆବାସିକ ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡିବ।
ଏହାବ୍ୟତୀତ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଅବିଭାବକତ୍ଵ ପ୍ରମାଣପତ୍ରକୁ ଯଦି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ବିନା ପରିବର୍ତ୍ତନ ବା ବାତିଲ କରାଯାଇନଥାଏ ତେବେ ତାହା ସବୁଦିନ ପାଇଁ ବୈଧ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆବାସିକ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଓ ଏହାର ବୈଧତା ବୃଦ୍ଧି ସମ୍ପର୍କରେ ଓଡିଶା ମିସେଲେନିୟସ ସାର୍ଟିଫିକେଟ ଆଇନ-2007ରେ ଆବଶ୍ୟକୀୟ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ସୁପାରିଶକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ଵର ମହାନ୍ତି ଅନୁମୋଦନ କରିଥିଲେ।
ଏହାକୁ ଓଡିଶା ଗେଜେଟରେ ପ୍ରକାଶ କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ.ସି.ଏସ କୁମାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗେଜେଟରେ ପ୍ରକାଶ ପାଇବା ଦିନଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଗେଜେଟ ବିଜ୍ଞପ୍ତି ଜାରି କରିବା ସହିତ ଏସଙ୍କ୍ରାନ୍ତ ନକଲ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆର.ଡ଼ି.ସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।