- ବେତାର ବ୍ୟୁରୋ
ଜିଓଫୋନ ଗ୍ରାହକଙ୍କୁ ଗୁଜବ ଚିହ୍ନିବା ଶିଖେଇବ ହ୍ଵାଟସଅପ

(ବେତାର ବ୍ୟୁରୋ) ରିଲାଏନ୍ସ ଜିଓ ତରଫରୁ ଗ୍ରାହକମାନଙ୍କୁ ଶସ୍ତାରେ ଯୋଗାଇ ଦିଆଯାଉଥିବା ଜିଓଫୋନ ଓ ଜିଓଫୋନ ୨ରେ ବର୍ତ୍ତମାନ ଚାଟିଙ୍ଗ ଆପ ‘ହ୍ଵାଟସଅପ’ ସପୋର୍ଟ ଅଛି। ଏହି ସେବା ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଗୁଜବ ଓ ଅପପ୍ରଚାରକୁ ରୋକିବା ପାଇଁ ହ୍ଵାଟସଅପ ଓ ରିଲାଏନ୍ସ ଜିଓ ମିଳିତ ଭାବେ ଉଦ୍ୟମ
ଆରମ୍ଭ କରିଛନ୍ତି ।
ଏ ସମ୍ପର୍କରେ ହ୍ଵାଟସଅପ କହିଛି ଯେ, ପ୍ରତ୍ୟେକ ନୂଆ ଜିଓ ଫୋନ ବ୍ୟବହାରକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ସୂଚନା ଦିଆଯିବ। ଏହା ସାହାଯ୍ୟରେ ବ୍ୟବହାରକରୀ ମାନେ ହ୍ଵାଟସଅପରେ ଆସୁଥିବା ଫରୱାର୍ଡ ମେସେଜକୁ ସହଜରେ ଜାଣିପାରିବେ ଓ କୌଣସି ମେସେଜକୁ ଭାବିଛିନ୍ତି ଶେୟର କରିପାରିବେ। ଏହା ହ୍ଵାଟସଅପର ଅପବ୍ୟବହାର ରୋକିବା ପ୍ରଚାରର ଏକ ଅଂଶ ଅଟେ, ଯାହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଗୁଜବକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି।
ହ୍ଵାଟସଅପର ମୁଖପାତ୍ର କାର୍ଲ ଉଙ୍ଗ୍ସ କହିଛନ୍ତି ଯେ, “ହ୍ଵାଟସଅପ ବ୍ୟବହାରକାରୀଙ୍କ ମଧ୍ୟରେ ଗୁଜବ ଓ ଅପପ୍ରଚାରକୁ ରୋକିବା ପାଇଁ ଆମେ ଜିଓ ସହିତ ମିଶି କାମ କରୁଛୁ।“ ଭାରତର ଛୋଟ ସହର ଓ ଗାଁରେ ଆଗରୁ ଥିବା ଅନ୍ଧବିଶ୍ଵାସ, ଜାତି ଓ ଧର୍ମ ଗୁଜବ ପ୍ରଚାରର ମୁଖ୍ୟ କାରଣ ଅଟେ ଏବଂ ଡାଟା ପ୍ୟାକର ମୂଲ୍ୟ ହ୍ରାସ ହେଉଥିବାରୁ ଏହା ବଢିବାରେ ଲାଗିଛି। ଏହି ଛୋଟ ସହର ଓ ଗାଁରେ ଜିଓ ଫୋନ ପରି ଶସ୍ତା ମୋବାଇଲ ଅଧିକ ବିକ୍ରି ହେଉଛି। ରିପୋର୍ଟ ମୁତାବକ ଚଳିତ ବର୍ଷ ୩୦ରୁ ଅଧିକ ଲୋକ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଥ୍ୟା ଖବର ଓ ଗୁଜବ ଯୋଗୁଁ ମୃତ୍ୟୁବରଣ କରିଛନ୍ତି।
ଏହି ଗୁଜବ ଓ ମିଥ୍ୟା ଖବରକୁ ରୋକିବା ପାଇଁ ହ୍ଵାଟସଅପ ତରଫରୁ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇଛି। ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରିଣ୍ଟ ଓ ରେଡିଓ ବିଜ୍ଞାପନ କାର୍ଯ୍ୟକ୍ରମ ଲଞ୍ଚ କରାଯାଇଛି। ଏହାସହିତ ହ୍ଵାଟସଅପରେ ଗୋଟିଏ ମେସେଜକୁ ଫରୱାର୍ଡ କରିବା ପାଇଁ ନିର୍ଦ୍ଧାରିତ ସୀମା ମଧ୍ୟ ରଖାଯାଇଛି। ଜଣେ ବ୍ୟକ୍ତି ହ୍ଵାଟସଅପରୁ ଗୋଟିଏ ମେସେଜକୁ କେବଳ ୫ଜଣଙ୍କୁ ହିଁ ଫରୱାର୍ଡ କରିପାରିବ।
ଏହାଛଡା ହ୍ଵାଟସଅପ ଡିଜିଟାଲ ଏମ୍ପାୱାରମେଣ୍ଟ ଫାଉଣ୍ଡେସନ (DEF)ନାମକ ଏକ ସଂସ୍ଥା ସହିତ ମଧ୍ୟ ଭାଗିଦାରୀ କରିଛି। ନୂଆଦିଲ୍ଲୀର ଏହି ସଂସ୍ଥା ଭାରତର ଗାଁ ଓ ସହରର ଲୋକମାନଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବଢାଇବାକୁ ପ୍ରୟାସ କରୁଛି।