• ବେତାର ବ୍ୟୁରୋ

ଏସିଆ କପ ଫାଇନାଲ : ଭାରତ ବାଂଲାଦେଶଠାରୁ ମଜବୁତ ସ୍ଥିତିରେ


(ବେତାର ବ୍ୟୁରୋ) ଏସିଆ କପ-2018ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟ 5ଟା ରେ ଖେଳାଯିବ। ପୂର୍ବଥର ପରି ଏଥର ମଧ୍ୟ ଭାରତ ବାଂଲାଦେଶ ଠାରୁ ବିଜୟ ହାସଲ କରି ସପ୍ତମ ଥର ପାଇଁ ଏସିଆ କପ ବିଜେତା ହେବ ବୋଲି ଆଶା କରାଯାଉଛି।

ବୁଧବାର ସୁପର-4ରେ ଖେଲାଯାଇଥିବା ବାଂଲାଦେଶ ବନାମ ପାକିସ୍ଥାନ ମ୍ୟାଚରେ ପାକିସ୍ଥାନକୁ 37 ରନରେ ପରାସ୍ତ କରି ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି। ତେବେ ସୁପର-4 ମ୍ୟାଚରେ ଭାରତ ବାଂଲାଦେଶ ଓ ପାକିସ୍ଥାନକୁ ହରାଇବା ପରେ ଫାଇନାଲରେ ପହଞ୍ଚି ସାରିଥିଲା ଓ ମଙ୍ଗଳବାର ଦିନ ଆଫଗାନିସ୍ଥାନ ସହ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ ଉଭୟ ଦଳ ମଧ୍ୟରେ ଟାଇ ହୋଇଥିଲା।

ପୂର୍ବ ରେକର୍ଡ ଅନୁଯାୟୀ ଭାରତୀୟ ଦଳ ବାଂଲାଦେଶ ଦଳ ଉପରେ ଭାରି ରହିବ। ଉଭୟ ଦଳ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 34ଟି ମ୍ୟାଚ ଖେଲାଯାଇଛି। ସେଥି ମଧ୍ୟରୁ ଭାରତୀୟ ଦଳ 28ଟି ମ୍ୟାଚ ଜିତିଥିବା ବେଳେ ବାଂଲାଦେଶ ପାଞ୍ଚଟି ମ୍ୟାଚ ଜିତିଛି ଓ ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନଥିଲା।

ଏହା ସତ୍ତ୍ଵେ ମଧ୍ୟ ବାଂଲାଦେଶ ଦଳକୁ ଭାରତୀୟ ଦଳ ଏତେଟା  ହାଲକାରେ ନେବା କଥା ନୁହେଁ। କାରଣ ଏହି ଦଳ ୱାର୍ଲ୍ଡକପ-2007ରେ ଭାରତକୁ ହରାଇଥିଲା। ଏହା ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରିବାର ମୁଖ୍ୟ କାରଣ ଥିଲା। ଏହାବ୍ୟତୀତ ଆହୁରି ଅନେକ ମ୍ୟାଚରେ ମଧ୍ୟ ବାଂଲାଦେଶ ଭାରତ ସହିତ କଡା ମୁକାବିଲା କରିଛି।

ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ ବିଶ୍ରାମ ନେଇଥିବା ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚର ଅଧିନାୟକ ରହିବେ ଏବଂ ଶିଖର ଧାୱନ, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର ଓ ଜସପ୍ରିତ ବୁମରାହ ପୁଣି ପ୍ଲେୟିଙ୍ଗ ଏକାଦଶରେ ସାମିଲ ହେବେ।

ଏସିଆ କପ-2016ରେ ମଧ୍ୟ ଏହି ଉଭୟ ଦଳ ଫାଇନାଲରେ ପରସ୍ପର ମୁହାଁମୁହିଁ ହୋଇଥିଲେ ଓ ଭାରତ ବିଜୟ ଲାଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ ଗୁଡିକ 20-20 ଫର୍ମାଟରେ ଖେଲାଯାଇଥିଲା। ତେବେ ଚଳିତ ଥର ଦିନିକିଆ ଫର୍ମାଟରେ ଖେଳଯାଉଥିବା ଏସିଆ କପ-2018ର ଟାଇଟିଲ ଭାରତ ହାସଲ କରିବ ବୋଲି ଭାରତୀୟ ଦଳ ଓ ପ୍ରଶଂସକ ମାନେ ଆଶା ରଖିଛନ୍ତି।

#asiacup2018 #finalmatch

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon