• ବେତାର ବ୍ୟୁରୋ

ଏସି,ଫ୍ରିଜ ସମେତ 19ଟି ସାମଗ୍ରୀ ହେଲା ମହଙ୍ଗା


(ବେତାର ବ୍ୟୁରୋ) ବୁଧବାର ମଧ୍ୟରାତ୍ରୀରୁ କେନ୍ଦ୍ର ସରକାର ଏସି,ଫ୍ରିଜ ଆଦି 19ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି ଓ ସାଧାରଣ ଲୋକଙ୍କ ମୁଣ୍ଡରେ ଆଉ ଏକ ମହଙ୍ଗା ବୋଝ ଲଦି ଦେଇଛନ୍ତି।

କେନ୍ଦ୍ର ସରକାର ମୋଟ 19ଟି ସାମଗ୍ରୀ ଉପରେ 2.5% ରୁ 10% ଯାଏଁ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର 27ତାରିଖ ରାତି 12ଟାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଯାଇଛି।

ଆଗକୁ ପାର୍ବଣ ଋତୁ ଆସୁଛି ଓ ଏହି ସମୟରେ ଅଧିକାଂଶ ଲୋକ ନିଜ ଘର ପାଇଁ ଅନେକ ଉପକରଣ କିଣିଥାଆନ୍ତି। କାରଣ ଏହି ସମୟରେ ଘରୋଇ ଉପକରଣ ଗୁଡିକରେ ରିହାତି ମିଳିଥାଏ। ଏଥର ବିଭିନ୍ନ କମ୍ପାନୀମାନେ ପୂଜା ଆଗରୁ ବିଦେଶରୁ ଏହିସବୁ ସାମଗ୍ରୀ ଅଧିକ ସଂଖ୍ୟାରେ ମଗେଇବାକୁ ଯୋଜନା କରୁଥିବାରୁ ଓ ଏହାର ପ୍ରଭାବ ଭାରତୀୟ ଟଙ୍କା-ଡ଼ଲାର ଏକ୍ସଚେଞ୍ଜ ଦରରେ ପ୍ରଭାବ ପକାଇବାର ସମ୍ଭାବନାକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଥିବା ସାମଗ୍ରୀ ଗୁଡିକ ହେଉଛି ଏସି, ଫ୍ରିଜ, ୱାଶିଙ୍ଗମେସିନ, ଫ୍ରିଜ ଓ ଏସିର କମ୍ପ୍ରେସର, ସ୍ପିକର, ଜୋତା, ରେଡିଆଲ କାର ଟାୟାର, ଅଣ ଶିଲ୍ପ ହୀରା, ହୀରା (ସେମି ପ୍ରୋସେସେଡ), ଲ୍ୟାବରେ ପ୍ରସ୍ତୁତ ହୀରା, କଟା ହୋଇଥିବା ଓ ପଲିସ ହୋଇଥିବା ରତ୍ନ ପଥର, ଗହଣା ସାମଗ୍ରୀ ଓ ମୂଲ୍ୟବାନ ଧାତୁ, ପ୍ଲାଷ୍ଟିକରେ ତିଆରି ବାଥ, ସାୱାର ଓ ୱାସ ମେସିନ, ପ୍ଲାଷ୍ଟିକ ଡବା ଓ ବୋତଲ, ରୋଷେଇ ପାଇଁ ପ୍ଲାଷ୍ଟିକରେ ତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ, ପ୍ଲାଷ୍ଟିକରୁ ତିଆରି ଅଫିସ ଷ୍ଟେସନାରୀ ଓ ଫର୍ଣ୍ଣିଚର ଫିଟିଙ୍ଗ୍ସ, ଟ୍ରଙ୍କ ଓ ସୁଟକେସ,ଏକଜ୍ୟୁକେଟିଭ କେସ, ବ୍ରିଫକେସ, ଟ୍ରାଭେଲ ବ୍ୟାଗ ସମେତ ଅନ୍ୟାନ୍ୟ ବ୍ୟାଗ ଓ ବିମାନ ଇନ୍ଧନ ଇତ୍ୟାଦି।

ବିମାନ ଇନ୍ଧନ,ଇଲେକ୍ଟ୍ରୋନିକ୍ସରେ ଅଧିକ ଶୁକ୍ଳ

ଏସି,ଫ୍ରିଜ, ୱାଶିଙ୍ଗମେସିନରେ ଆଗରୁ କଷ୍ଟମ ଡ୍ୟୁଟି 10% ରହିଥିବା ବେଳେ ଏହାକୁ ଦୁଇ ଗୁଣା ବଢାଯାଇ 20%କୁ ବୃଦ୍ଧି କରାଯାଇଛି।

ସେହିପରି ସ୍ପିକରରେ 10% ରୁ 15%କୁ ଓ ଜୋତାରେ 20% ରୁ 25%କୁ ବୃଦ୍ଧି କରାଯାଇଛି। ବିମାନ ଇନ୍ଧନରେ ଆଗରୁ କୌଣସି କଷ୍ଟମ ଡ୍ୟୁଟି ଲାଗୁ ନ ଥିବା ବେଳେ ଏହାକୁ 5%କୁ ବୃଦ୍ଧି କରାଯାଇଛି ଓ ଏହାଦ୍ଵାରା ବିମାନ ଯାତ୍ରାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ଏହି 19 ଟି ସାମଗ୍ରୀରେ 2017-18ରେ 86ହଜାର କୋଟି ଟଙ୍କାର ଆମଦାନୀ ହୋଇଥିଲା।

ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଡଲାର ତୁଳନାରେ ଟଙ୍କାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଘୋଷଣା କରିଥିବା ପଞ୍ଚସୂତ୍ରୀ ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇବା।

ଇଲେକ୍ଟ୍ରୋନିକ୍ସ ଆଇଟମ ଉପରେ ଅଧିକ ଦରବୃଦ୍ଧିର ଅନ୍ୟ ଏକ କାରଣ ହେଲା ଭାରତୀୟ ଫ୍ରିଜ, ଏସି ତଥା ୱାଶିଂ ମେସିନ ନିର୍ମାତାମାନେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରି ଚୀନ ଓ ଅନ୍ୟାନ୍ୟ ଦେଶରୁ ଆମଦାନୀ ହେଉଥିବା ଏହିସବୁ ସାମଗ୍ରୀ ଉପରେ ଅଧିକ ଟିକସ ସଂଗ୍ରହ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ସରକାର କାର୍ଯ୍ୟକାରୀ କରିଛନ୍ତି।

#customduty

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon